କମିବ ଭିଡ଼, ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା

Jun 13, 2026 - 17:46
କମିବ ଭିଡ଼, ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍‌ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ଓ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ରାସ୍ତା ୮ ଲେନ୍ ବିଶିଷ୍ଟ କରାଯିବ । ଏହି ରାସ୍ତା ଗଣିତ ପ୍ରତିଷ୍ଠାନରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ଯାଏ ଲମ୍ବିଛି । ଏହି ନୂଆ ରାସ୍ତା ଯୋଗୁଁ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ହ୍ରାସ ପାଇବ । ମାତ୍ର ୧୫ ମିନିଟ୍ ରେ ବିନା ଟ୍ରାଫିକରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ । ୨୦୧୬ରେ ଏକାମ୍ର କାନନ-ଆଇଏମ୍ଏ ରାସ୍ତାର ଯୋଜନା କରାଯାଇଥିଲା । ଯାହାର ଲମ୍ବା ୨୦୦ ଫୁଟ ରହିଛି । ୧୦ କୋଟି ୭୭ ଲକ୍ଷ ବିନିମୟରେ ଏହି ୬ ଥାକିଆ ରାସ୍ତା ନିର୍ମାଣ କରାଯାଇଛି । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ରାସ୍ତା ଅତ୍ୟନ୍ତ ଜରୁରୀ ଥିଲା, ଆଜିର ଦିନ ଏକ ଐତିହାସିକ ଦିନ । ସେ ନିଜେ ମଧ୍ୟ ଏହି ଟ୍ରାଫିକ୍ ସମସ୍ୟା ଭୋଗିଛନ୍ତି । ବସ୍ତି ବାସିନ୍ଦାଙ୍କ ସହିତ ସରକାର ଫୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହା ପରେ ସମାଧାନର ରାସ୍ତା ମଧ୍ୟ ଫିଟିଥିଲା । ସମସ୍ତଙ୍କର ଆନ୍ତରିକତା ନ ଥିଲେ ଏହା ସମ୍ଭବ ହୋଇପାରିନଥାଆନ୍ତା । ଏଥିପାଇଁ ପୂର୍ତ୍ତ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ମେୟର ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।