ମାସକ ମଧ୍ୟରେ ପ୍ରତିଷ୍ଠାନ ଗୁଡିକର ନାଁ ବଦଳିବ - ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖୁବ ଶୀଘ୍ର ସଂଶୋଧନ ହେବ ନାମରେ ଥିବା ତ୍ରୁଟି । ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ଆସନ୍ତା ଏକ ମାସ ମଧ୍ୟରେ ସଠିକ୍ ଭାବେ ଲେଖାଯିବ ଓ ଉଚ୍ଚାରଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନରେ ଓଡ଼ିଆ ନାମର ଭୁଲ ବନାନ ଏବଂ ଇଂରାଜୀ ଶବ୍ଦ ଉଚ୍ଚାରଣ ଜନିତ ତ୍ରୁଟି ଦେଖିବାକୁ ମିଳୁଛି । ଏହାକୁ ଦୂର କରି ନାମଗୁଡ଼ିକୁ ମୂଳ ରୂପରେ ଓ ସଠିକ୍ ଭାବେ ପ୍ରଦର୍ଶିତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।
ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପ୍ରକ୍ରିୟା ମାସକ ଭିତରେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଏହି ପ୍ରକ୍ରିୟା ବର୍ଷକ ଭିତରେ ସମ୍ପୂର୍ଣ୍ଣ ହେବ । ତେବେ ନାମ ସଂଶୋଧନ ପ୍ରକ୍ରିୟାର ପ୍ରଭାବ ପୂର୍ବରୁ ଜାରି ହୋଇଥିବା ପ୍ରମାଣପତ୍ର ଉପରେ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସାର୍ଟିଫିକେଟ୍, ଶିକ୍ଷାଗତ ପ୍ରମାଣପତ୍ର, ଜମି ସମ୍ବନ୍ଧୀୟ ଦଲିଲ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରମାଣପତ୍ର, ଯାହା ପୂର୍ବରୁ ଜାରି ହୋଇସାରିଛି, ସେଗୁଡ଼ିକ ଅପରିବର୍ତ୍ତିତ ରହିବ ଏବଂ ସେଗୁଡ଼ିକର ବୈଧତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।