06 JULY 2026

Welcome!

Unlock your personalized experience.
Sign Up

ଇରାନରେ ଖାମେନେଇଙ୍କ ଅନ୍ତିମ ଯାତ୍ରା; ତେହେରାନରେ ଜନସମୁଦ୍ର, ୧୯୮୯ ଭଳି ଦଳାଚକଟା ଆଶଙ୍କା

Jul 06, 2026 - 10:55
ଇରାନରେ ଖାମେନେଇଙ୍କ ଅନ୍ତିମ ଯାତ୍ରା; ତେହେରାନରେ ଜନସମୁଦ୍ର, ୧୯୮୯ ଭଳି ଦଳାଚକଟା ଆଶଙ୍କା

ତେହେରାନ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୁଖ୍ୟ ଅନ୍ତିମ ଯାତ୍ରା ସୋମବାର ଅନୁଷ୍ଠିତ ହେଉଛି । ଏହି ଶୋଭାଯାତ୍ରାରେ ଐତିହାସିକ ଜନସମୁଦ୍ର ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେବ ତେହେରାନର କେନ୍ଦ୍ରୀୟ ମସଜିଦରେ ଅଲି ଖାମେନେଇ ଓ ତାଙ୍କ ପରିବାର ସଦସ୍ୟଙ୍କ କଫିନ ସାଧାରଣ ଦର୍ଶନ ପାଇଁ ରଖାଯାଇଥିବା ବେଳେ ଆଜି ସେମାନଙ୍କୁ ବିଦାୟ ଦେବାକୁ ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟିଛି । ଇରାନ ସରକାର ଏଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି, ଯେପରି ପୂର୍ବଭଳି କୌଣସି ଅଭାବନୀୟ ପରିସ୍ଥିତି ବା ଦଳାଚକଟା ନ ଉପୁଜେ । ତେହେରାନର ଗ୍ରାଣ୍ଡ ମୋସଲ୍ଲା ମସଜିଦରେ ଶେଷ ଦର୍ଶନ ପରେ, ସୋମବାର ସକାଳ ୬ଟାରୁ ଏହି ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି । ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ବିଶାଳ ଶୋଭାଯାତ୍ରା ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ପ୍ରାୟ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

୧୯୮୯ର ସେହି ଭୟଙ୍କର ଦଳାଚକଟା:

ଉଲ୍ଲେଖଯୋଗ୍ୟ ଯେ, ୧୯୮୯ ମସିହାରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲ୍ଲା ଖୋମେନିଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରାୟ ୧ କୋଟି ଲୋକ ଏକାଠି ହୋଇଥିଲେ । ସେତେବେଳେ ଭିଡ଼ ଅନିୟନ୍ତ୍ରିତ ହେବା ଯୋଗୁଁ ଭୟଙ୍କର ଦଳାଚକଟା ହୋଇଥିଲା, ଯେଉଁଥିରେ ୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦,୦୦୦ ରୁ ଅଧିକ ଆହତ ହୋଇଥିଲେ । ସେଥିପାଇଁ ଚଳିତ ସଂସ୍କାରରେ ଭିଡ଼ ନିୟନ୍ତ୍ରଣ ପାଇଁ କଫିନ ଓ ଜନସାଧାରଣଙ୍କ ମଧ୍ୟରେ ବଡ଼ ବଡ଼ କଂକ୍ରିଟ୍ ପାଚେରୀ ନିର୍ମାଣ କରାଯାଇଛି । ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅଲି ଖାମେନେଇ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ପ୍ରାଣ ହରାଇଥିଲେ । ପ୍ରାୟ ସାଢ଼େ ତିନି ଦଶନ୍ଧି ଧରି ଇରାନ ଶାସନ କରିଥିବା ଏହି ଶୀର୍ଷ ନେତାଙ୍କୁ ଶେଷ ବିଦାୟ ଦେବା ସହ ଇରାନ ବିଶ୍ଵକୁ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଯୁଦ୍ଧ ପରେ ମଧ୍ୟ ଦେଶ ଏବେବି ଶକ୍ତିଶାଳୀ ରହିଛି ବୋଲି ଏହି ଶୋଭାଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଉଛି ।

ଆଜିର ଅନ୍ତିମ ଯାତ୍ରା ପରେ ମଙ୍ଗଳବାର ଦିନ ଧାର୍ମିକ ସହର କୋମ୍, ବୁଧବାର ଇରାକର ପବିତ୍ର ସହର ନଜଫ୍ ଓ କରବଲାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ଗୁରୁବାର ଦିନ ଉତ୍ତର-ପୂର୍ବ ଇରାନରେ ଥିବା ତାଙ୍କ ପୈତୃକ ସହର ମଶହାଦ୍ଠାରେ ଅଲି ଖାମେନେଇଙ୍କୁ ସମାଧି ଦିଆଯିବ । ତେବେ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଖାମେନେଇଙ୍କ ତିନି ପୁଅ ଉପସ୍ଥିତ ଥିଲେ ମଧ୍ୟ ନୂତନ ସର୍ବୋଚ୍ଚ ନେତା ଘୋଷିତ ହୋଇଥିବା ପୁଅ ମୋଜତାବା ଖାମେନେଇ ଏପର୍ଯ୍ୟନ୍ତ ସର୍ବସାଧାରଣରେ ନଜର ଆସିନାହାନ୍ତି । ସୁରକ୍ଷା ଜନିତ କାରଣ ଏବଂ ପୂର୍ବ ଆକ୍ରମଣରେ ସେ ଆହତ ହୋଇଥିବା ଯୋଗୁଁ ସେ ଏହି ଶୋଭାଯାତ୍ରାରୁ ଦୂରେଇ ରହିଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ରିଭୋଲ୍ୟୁସନାରୀ ଗାର୍ଡର ନୂତନ ମୁଖ୍ୟ ଅହମ୍ମଦ ୱାହିଦି ରବିବାର ଦିନ ସର୍ବସାଧାରଣରେ ନଜର ଆସିଛନ୍ତି ।