06 JULY 2026

Welcome!

Unlock your personalized experience.
Sign Up

Heavy Rain Alert: ୫ ଦିନ ବର୍ଷିଲାଣି, ଆହୁରି ଢାଳିବ; ସ୍ୱାଭାବିକଠୁ ୨୩୪% ବର୍ଷା, ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ

Jul 06, 2026 - 08:28
Heavy Rain Alert: ୫ ଦିନ ବର୍ଷିଲାଣି, ଆହୁରି ଢାଳିବ; ସ୍ୱାଭାବିକଠୁ ୨୩୪% ବର୍ଷା, ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ

ଭୁବନେଶ୍ୱର ୦୬/୦୭: ଗତ ୫ ଦିନରେ ନାକେଦମ୍‌ କଲାଣି ବର୍ଷା । ସ୍ୱାଭାବିକଠାରୁ ୨୩୪% ଅଧିକ  ବର୍ଷିଛି । କେଉଁଠି ଘରେ ପାଣି ପଶିଲାଣି ତ’ ଆଉ କେଉଁଠି ରାସ୍ତା ଧସେଇ ଦେଲାଣି । ନିର୍ଧୁମ ବର୍ଷାରେ ଜନଜୀବନ  ଅସ୍ତବ୍ୟସ୍ତ । ଆଗକୁ ଆହୁରି ଢାଳିବ । ସୋମବାର ପଶ୍ଚିମ  ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ ।  

ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର  ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅବପାତ  ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ  ଦିଗରେ ଗତି କରି  ଉତ୍ତର ଓଡ଼ିଶା ଉପକୂଳକୁ  ଅତିକ୍ରମ କରିବ । ଆସନ୍ତା ୧୨ ଘଣ୍ଟାରେ ଏହି  ଅବପାତ ବାଲେଶ୍ୱର ପାଖରେ ଚାନ୍ଦବାଲି ଓ ଦୀଘା  ମଝି ଦେଇ ଅତିକ୍ରମ କରିପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି ।  

ପୂରା ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୪୧.୪  ମିମି ବର୍ଷା ହେବା କଥା । କିନ୍ତୁ ପ୍ରଥମ ୫ ଦିନରେ ୧୫୫.୨  ମିମି ବର୍ଷା ହୋଇ ସାରିଲାଣି । ଗତ ୫ଦିନରେ ପୂରା  ମାସର ପ୍ରାୟ ୪୫% ବର୍ଷା ହୋଇ ସାରିଲାଣି । ଏତିକି  ଦିନରେ ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷି ସାରିଲାଣି ।  

ଏଭଳି ମୂଷଳ ଧାରାରେ ବର୍ଷା ସତ୍ତେ୍ୱ ଚଳିତ ମୌସୁମୀ  ଋତୁ(ଜୁନ୍‌ ୧ରୁ ଜୁଲାଇ ୫) ଭିତରେ ୬ ଜିଲ୍ଲାରେ  ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । ସୁନ୍ଦରଗଡ଼ରେ  ୪୧%, ନବରଙ୍ଗପୁରରେ ୩୭%, କଳାହାଣ୍ଡିରେ  ୩୪%, ଦେବଗଡ଼ରେ ୩୧%, ଝାରସୁଗୁଡ଼ାରେ  ୨୮%, ସମ୍ବଲପୁରରେ ୨୧% ବର୍ଷା ହୋଇଛି ।  

ଉଭୟ ଜୁନ୍‌ ଓ ଜୁଲାଇ ମାସରେ ବୌଦ୍ଧ ଓ  କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି । ବୌଦ୍ଧରେ  ସ୍ୱାଭାବିକଠାରୁ ୯୫% ଅଧିକ ଓ କନ୍ଧମାଳରେ ୭୭%  ଅଧିକ ବର୍ଷା ହୋଇଛି । ଢେଙ୍କାନାଳ, କଟକ, ନୟାଗଡ଼,  କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ବରଗଡ଼,  ବଲାଙ୍ଗୀର ଓ କୋରାପୁଟରେ ସ୍ୱାଭାବିକ ତୁଳନାରେ ପ୍ରବଳ  ବର୍ଷା ହୋଇଛି ।  ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ,  ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି,  ରାୟଗଡ଼ା ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି ।  

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ  ୨୨୪ ମିମି ବର୍ଷା ହୋଇଛି । ଟିଟିଲାଗଡ଼ରେ ୨୦୫ ମିମି,  କେନ୍ଦ୍ରାପଡ଼ାରେ ୧୭୬, ବଲାଙ୍ଗୀରରେ ୧୪୦, କଟକରେ  ୧୨୪, ଯାଜପୁରରେ ୧୨୦, ଭୁବନେଶ୍ୱରରେ ୧୧୯ ଓ  ଚାନ୍ଦବାଲିରେ ୮୧ମିମି ବର୍ଷା ହୋଇଛି । ରାଜ୍ୟର ଅନେକ  ସ୍ଥାନରେ ବର୍ଷା ବିତ୍ପାତ ଯୋଗୁ ଅଘଟଣ ଘଟିଛି । ଲଗାଣ  ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ପଥର୍ଲା  ପଞ୍ଚାୟତ ଲୁହୁରେନପାଲିରେ କାନ୍ଥ ପଡ଼ିଯିବାରୁ ଚାପି  ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବରଗଡ଼  ଲୁହୁରାଚଟି-ଲେଖାପଦ ରାସ୍ତାରେ ବାଇକ୍‌ ଭାସି ଯିବାରୁ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲାରେ  ଥିବା ଲାନ୍ଥ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ୫୦ରୁ  ଅଧିକ ଗୋରୁ ଫସି ରହିଥିଲେ । ଏନଡିଆରଏଫ ଟିମ୍‌  ସେମାନଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।  

ଅଧିକ ପଢ଼ନ୍ତୁ :-  Police Encounter: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌, ଏନ୍‌କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ

ବୌଦ୍ଧ ଜିଲ୍ଲା ସାଲୁଙ୍କି ନଦୀରେ ୨ ମହିଳା ଫସି  ରହିଥିଲେ । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା ।  ସେହିଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲରେ ପାଣି   ଭର୍ତ୍ତି ହୋଇ ଯାଇଥିଲା । ସମ୍ବଲପୁର ଓ ନୂଆପଡ଼ାର  ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ କଚ୍ଚା ଘର  ଭାଙ୍ଗିଛି । ବରଗଡ଼ର ପଡ଼ା ଅଞ୍ଚଳ ଜଳମଗ୍ନ ହୋଇଛି ।