ନୂଆଦିଲ୍ଲୀ, ୩।୭: ପାକିସ୍ତାନର ସାମୁଦ୍ରିକ ସୀମା ତଥା ପ୍ରମୁଖ ସହର କରାଚୀ ନିକଟବର୍ତ୍ତୀ ଆରବ ସାଗରରେ ଭାରତ ଓ ଆମେରିକାର ସବୁଠାରୁ ଆଧୁନିକ ସାମୁଦ୍ରିକ ଗସ୍ତକାରୀ ଯୁଦ୍ଧବିମାନଗୁଡ଼ିକର ଗତିବିଧିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । ଭାରତୀୟ ନୌସେନାର P-8I ଏବଂ ଆମେରିକା ନୌସେନାର P-8A ପୋସାଇଡନ୍ ଯୁଦ୍ଧବିମାନ ଆରବ ସାଗର ଆକାଶରେ ଉଡ଼ାଣ ଭରିବା ପରେ ପାକିସ୍ତାନର ସେନା ଶିବିରରେ କମ୍ପନ ସୃଷ୍ଟି ହୋଇଛି । ସୋସିଆଲ ମିଡିଆ 'ଏକ୍ସ' ଏବଂ ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିରକ୍ଷା ୱେବସାଇଟ୍ର ରିପୋର୍ଟ ଅନୁଯାୟୀ, ଏହି ଦୁଇ ଶକ୍ତିଶାଳୀ ବିମାନ କରାଚୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ଆନ୍ତର୍ଜାତୀୟ ଆକାଶମାର୍ଗରେ ବ୍ୟାପକ ଗସ୍ତ ଓ ନଜର ରଖିଛନ୍ତି ।
'ଫ୍ଲାଇଟ୍ ରାଡାର୍ ୨୪' ଏବଂ ପ୍ରତିରକ୍ଷା ଗଣମାଧ୍ୟମ 'ରିଜୋନାଣ୍ଟ ନ୍ୟୁଜ୍'ର ତଥ୍ୟ ଅନୁଯାୟୀ, କରାଚୀ ଫ୍ଲାଇଟ୍ ଇନଫରମେସନ ରିଜନ (FIR) ନିକଟରେ ଉତ୍ତର ଆରବ ସାଗରରେ ଭାରତ ଓ ଆମେରିକାର ସାମୁଦ୍ରିକ ଗସ୍ତକାରୀ ବିମାନଗୁଡ଼ିକ ଅଲଗା ଅଲଗା ଉଡ଼ାଣ ଭରୁଥିବାର ଦେଖାଯାଇଛି । ଏହି ଉଡ଼ାଣ ସମ୍ପୂର୍ଣ୍ଣ ରୂପେ ଆନ୍ତର୍ଜାତୀୟ ଜଳସୀମା ଓ ଆକାଶମାର୍ଗରେ ସାମୁଦ୍ରିକ ନିୟମ ଅନୁଯାୟୀ କରାଯାଇଛି । ସେମାନେ କୌଣସି ମିଳିତ ମିଶନରେ ଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ଅଞ୍ଚଳରେ ସେମାନଙ୍କର ଉପସ୍ଥିତି ଉତ୍ତର ଆରବ ସାଗରରେ ସୁରକ୍ଷା ଗତିବିଧିକୁ ବହୁ ଗୁଣିତ କରିଦେଇଛି । ନିକଟରେ ପାକିସ୍ତାନ ନିଜ ନୌସେନାରେ ଆଧୁନିକ 'ହ୍ୟାଙ୍ଗର-କ୍ଲାସ AIP' ସବମରିନ ବା ପନଡୁବ୍ବି ସାମିଲ କରିବା ପରେ ଏହି ସାମୁଦ୍ରିକ ଅଞ୍ଚଳ ଉପରେ ସମସ୍ତଙ୍କର ନଜର ରହିଛି । ଏଭଳି ସ୍ଥିତିରେ ଭାରତ ଓ ଆମେରିକାର ଏହି ଅତ୍ୟାଧୁନିକ ବିମାନଗୁଡ଼ିକର ଗସ୍ତ ପାକିସ୍ତାନ ପାଇଁ ବଡ଼ ଚେତାବନୀ ସଦୃଶ ହୋଇଛି ।
ଏହା ବି ପଢ଼ନ୍ତୁ... US Warned Iran: ‘ଯୁଦ୍ଧ ବାର୍ତ୍ତା ରୋକିବାକୁ ଇରାନ ନେତାଙ୍କୁ ମାରିବାକୁ ଚାହୁଁଛି ଇସ୍ରାଏଲ’ ଇରାନକୁ ଗୁପ୍ତ ଚେତାବନୀ ଦେଲା ଆମେରିକା
କେତେ ଶକ୍ତିଶାଳୀ ଏହି P-8 ପୋସାଇଡନ୍ ବିମାନ ?
P-8 ପୋସାଇଡନ୍ ହେଉଛି ବିଶ୍ୱର ସବୁଠାରୁ ଆଧୁନିକ ଓ ଘାତକ ସାମୁଦ୍ରିକ ଗସ୍ତକାରୀ ବିମାନ । ଏହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁପକ୍ଷର ସବମରିନକୁ ଖୋଜି ବାହାର କରି ଧ୍ୱଂସ କରିବାରେ ଏହା ମାହିର । ଏଥିରେ AN/APY-10 ରଡାର, ଇଲେକ୍ଟ୍ରୋନିକ ଇଣ୍ଟେଲିଜେନ୍ସ ସିଷ୍ଟମ ଏବଂ ସବମରିନ ଚିହ୍ନଟ ପାଇଁ ହାଇଟେକ୍ ଆକୋଷ୍ଟିକ ସେନ୍ସର ଲାଗିଛି । ଏହା ଗୁପ୍ତଚର ବୃତ୍ତି, ସର୍ଭେଲାନ୍ସ, ଶତ୍ରୁ ଜାହାଜ ଉପରେ ଆକ୍ରମଣ ଏବଂ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ପାଇଁ ସକ୍ଷମ । ଆଧୁନିକ ନୌସେନା ରଣନୀତିରେ ଆରବ ସାଗରର ଏହି ଅଞ୍ଚଳ ବିଶ୍ୱ ବାଣିଜ୍ୟ ଏବଂ ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ନୌସେନା ପାଇଁ ନିଜର ପଶ୍ଚିମ ସାମୁଦ୍ରିକ ସୀମା ଓ ଶତ୍ରୁପକ୍ଷର ଗତିବିଧି ଉପରେ କଡ଼ା ନଜର ରଖିବା ଜରୁରୀ । ଅପରପକ୍ଷରେ, ଆମେରିକା ନୌସେନା ଭାରତ ମହାସାଗର ଆଞ୍ଚଳିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଜାହାଜ ଚଳାଚଳର ସୁରକ୍ଷା ପାଇଁ ଏଭଳି ସର୍ଭେଲାନ୍ସ ମିଶନ ଜାରି ରଖିଥାଏ ।