29 JULY 2026

Welcome!

Unlock your personalized experience.
Sign Up

ଆରଜିଏସଏରେ ଗତ ୩ ବର୍ଷରେ ଓଡ଼ିଶାକୁ ମିଳିଛି ୧୦୯ କୋଟି ଟଙ୍କା ଅନୁଦାନ

Jul 28, 2026 - 23:34
ଆରଜିଏସଏରେ ଗତ ୩ ବର୍ଷରେ  ଓଡ଼ିଶାକୁ ମିଳିଛି ୧୦୯ କୋଟି ଟଙ୍କା ଅନୁଦାନ

ଭୁବନେଶ୍ବର, ୨୮।୭ :  ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ମୋଟ ୧୦୯.୫୭ କୋଟି ଟଙ୍କା ଅନୁଦାନ ମିଳିଛି। ସେଥିମଧ୍ୟରୁ ୨୦୨୩-୨୪ରେ ୨୭.୩୩ କୋଟି ଟଙ୍କା, ୨୦୨୪-୨୫ରେ ୨୦ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୬୨.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା  ପ୍ରଦାନ କରିଛନ୍ତି ।

ଏହି ଅବଧିରେ ଓଡ଼ିଶାର ୭,୪୧,୯୫୯ ଜଣ ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୦୨୩-୨୪ରେ ୧,୬୦,୭୭୪ ଜଣ, ୨୦୨୪-୨୫ରେ ୨,୭୯,୫୦୫ ଜଣ ଏବଂ ୨୦୨୫-୨୬ରେ ୩,୦୧,୬୮୦ ଜଣ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସେହିପରି, ୨୦୨୫-୨୬ ଯୋଜନା ବର୍ଷରେ ଓଡ଼ିଶାର ୩୦ଟି ଜିଲ୍ଲା ପଞ୍ଚାୟତ ବିକାଶ ଯୋଜନା, ୩୧୩ଟି ବ୍ଲକ ପଞ୍ଚାୟତ ବିକାଶ ଯୋଜନା ଏବଂ ୬,୭୯୪ଟି ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଇ-ଗ୍ରାମସ୍ୱରାଜ ପୋର୍ଟାଲରେ ଅପଲୋଡ୍ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆରଜିଏସଏ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ପ୍ରଭାବଶାଳୀତା ଆକଳନ କରିବା ଏବଂ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସୁଧାରାତ୍ମକ ପଦକ୍ଷେପ ପ୍ରସ୍ତାବ ଦେବା ପାଇଁ ଗୁଜରାଟର ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ମାଧ୍ୟମରେ ସଂଶୋଧିତ ଆରଜିଏସଏର ଏକ ବାହ୍ୟ ମୂଲ୍ୟାଙ୍କନ କରାଯାଇଛି । ଏହି ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ, ଶ୍ରେଣୀଗୃହ/ବିଷୟଭିତ୍ତିକ ପାଠ୍ୟକ୍ରମ, ପରିଦର୍ଶନ ଗସ୍ତ ଏବଂ ଡିଜିଟାଲ୍ ଶିକ୍ଷାର ସମ୍ମିଶ୍ରଣରେ ଗଠିତ ଯୋଜନାର ସଂରଚିତ, ବହୁସ୍ତରୀୟ କ୍ଷମତା ନିର୍ମାଣ - ପଞ୍ଚାୟତ ପରିଚାଳନା,  ଡିଜିଟାଲ୍ ଶାସନ, ନାଗରିକ ସହଭାଗିତା ଏବଂ ଆର୍ଥିକ ପରିଚାଳନାରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି କରିଛି । ତାଲିମ ପରବର୍ତ୍ତୀ ମୂଲ୍ୟାଙ୍କନ ଜ୍ଞାନ ଏବଂ ପ୍ରୟୋଗରେ ମାପଯୋଗ୍ୟ ଅଭିବୃଦ୍ଧି ରେକର୍ଡ କରିଛି, ଯାହା ଅଧିକ ପ୍ରଭାବଶାଳୀ ସ୍ଥାନୀୟ ଶାସନ ଏବଂ ଏସଡିଜିର ସ୍ଥାନୀୟକରଣକୁ ସହାୟତା କରୁଛି।

ସୂଚନାଯୋଗ୍ୟ ଯେ  ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ‘ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ’ (ଆରଜିଏସଏ) କାର୍ଯ୍ୟକାରୀ କରାଯାଉଛି।

ଆହୁରି ପଢନ୍ତୁ : ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ, ୩ ଆଇଏଏସଙ୍କୁ ଦିଆଗଲା ଦାୟିତ୍ବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।