୪ ରଣଜୀ ହିରୋ ପୁଣି ହେଲେ ଅଣଦେଖା, ଟିମ୍ ଇଣ୍ଡିଆରେ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ,୨୮/୭ : ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ (BCCI) ମଙ୍ଗଳବାର ଶ୍ରୀଲଙ୍କା ଗସ୍ତରେ ହେବାକୁ ଥିବା ୨ ମ୍ୟାଚର ଟେଷ୍ଟ ସିରିଜ ଲାଗି ଟିମ୍ ଇଣ୍ଡିଆର ଘୋଷଣା କରିଛି । ଟିମରେ କେତେକ ଖେଳାଳୀ ଫେରିଛନ୍ତି, ଯାହାକି ଅନଫୋଲ୍ଡ ଖେଳାଳୀଙ୍କୁ ବି ସ୍ଥାନ ମିଳିଛି । କିନ୍ତୁ ୪ ରଣଜୀ ହିରୋଙ୍କୁ ପୁଣି ଥରେ ନଜର ଅନ୍ଦାଜ କରାଯାଇଛି । ଏଥିରେ ଜଣେ ଏଭଳି ବୋଲର ସାମିଲ ଅଛନ୍ତି ଯିଏ ୧୦ମ୍ୟାଚରେ ୬୦ଓ୍ବିକେଟ ନେଇଛନ୍ତି ।
ଲିଷ୍ଟରେ ଭାରତର ଭେଟରାନ ଦ୍ରୁତ ବୋଲର ମହମ୍ମଦ ଶାମୀ ବି ସାମିଲ ଅଛନ୍ତି । ଲମ୍ବା ସମୟରୁ ଟିମ୍ ଇଣ୍ଡିଆରୁ ବାହାରେ ଚାଲୁଥିବା ସାମୀ ବାରମ୍ବାର ଘରୋଇ କ୍ରିକେଟରେ ନିଜ ଦମ୍ ଦେଖାଉଛନ୍ତି । କିନ୍ତୁ ଏଥିରେ ତାଙ୍କୁ କୌଣସି ଖାସ୍ ସୁଫଳ ମିଳୁଥିବା ଦେଖାଯାଉନାହିଁ । ଆସନ୍ତୁ ଜାଣିବା କି ୪ଖେଳାଳୀ କେଉଁମାନେ, ଯେଉଁମାନଙ୍କୁ ନଜର ଅନ୍ଦାଜ କରାଯାଇଛି ।
ଆକିବ ନବୀ
ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ଜମ୍ମୁ ଏଣ୍ଡ କଶ୍ମୀରର ଦ୍ରୁତ ବୋଲର ଆକିବ ନବୀ ସାମିଲ ଅଛନ୍ତି । ୨୦୨୫-୨୬ ରଣଜୀ ଟ୍ରଫିରେ ଆକିବ ୧୦ମ୍ୟାଚରେ ୬୦ଓ୍ବିକେଟ ନେଇଥିଲେ । ଏହି ସିଜନରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲର ଥିଲେ । ଏହାପରଠାରୁ ଲଗାତର ତାଙ୍କୁ ଟିମ୍ ଇଣ୍ଡିଆରେ ନେବାକୁ ଦାବି ଉଠୁଛି । କିନ୍ତୁ ଶ୍ରୀଲଙ୍କା ଗସ୍ତ ଲାଗି ବି ଆକିବଙ୍କୁ ନଜରଅନ୍ଦାଜ କରାଯାଇଛି ।
ମହମ୍ମଦ ଶାମୀ
ଶାମୀ ଭାରତ ଲାଗି ଶେଷ ଟେଷ୍ଟ ଜୁନ ୨୦୨୩ରେ ଖେଳିଥିଲେ । ଏହାପରେ ସେ ଲଗାତର ଘରୋଇ କ୍ରିକେଟ ଖେଳୁଛନ୍ତି । ବଙ୍ଗଳା ଲାଗି ଫାଷ୍ଟ କ୍ଲାସ ଖେଳୁଥିବା ଶାମୀ ୨୦୨୫-୨୬ରଣଜୀ ଟ୍ରଫିର ୭ ମ୍ୟାଚରେ ୩୭ଓ୍ବିକେଟ ନେଇଥିଲେ।
ରବିଚନ୍ଦ୍ରନ ସ୍ମରଣ
କର୍ଣ୍ଣାଟକ ଲାଗି ଘରୋଇ କ୍ରିକେଇ ଖେଳୁଥିବା ରବିଚନ୍ଦ୍ରନ ସ୍ମରଣ ୨୦୨୫-୨୬ ରଣଜୀ ଟ୍ରଫିରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ଥିଲେ । ସେ ୯ ମ୍ୟାଚରେ ୮୬.୩୬ ପ୍ରତିଶତରେ ୯୫୦ରନ୍ କରିଥିଲେ । ଏହାପରେ ବି ତାଙ୍କୁ ଟେଷ୍ଟ ଟିମରେ ସ୍ଥାନ ମିଳିପାରିଲା ନାହିଁ । ଏହି ସମୟରେ ୨୩ବର୍ଷୀୟ ସ୍ମରଣଙ୍କ ବ୍ୟାଟରୁ ୪ଶତକ ବାହାରିଥିଲା ।
କରୁଣ ନାୟର
କରୁଣ ନାୟରଙ୍କୁ ଗୋଟିଏ ଥର ସୁଯୋଗ ମିଳିଲା, କିନ୍ତୁ ତାଙ୍କୁ ପୁଣି ଡ୍ରପ୍ କରିଦିଆଗଲା । ୨୦୨୫ରେ ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସେ ଖେଳୁଥିବା ନଜର ଆସିଥିଲେ । ଏହାପରେ ଡ୍ରପ ହୋଇଥିଲେ ଏବଂ ୨୦୨୫-୨୬ରଣଜୀ ଟ୍ରଫିରେ ତାଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା । ନାୟର ୯ମ୍ୟାଚରେ ୫୮.୨୫ପ୍ରତିଶତରେ ୬୯୯ରନ କରିଥିଲେ । ଏହାପରେ ପୁଣି ଥରେ ତାଙ୍କର ଟିମରେ ସାମିଲ ହେବା ନେଇ ଆଶା ବଢି ଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।