ଅସରପା ଆଉ ଅଟୋକ୍ରାସି

Aug 05, 2026 - 08:28
ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର କରି ଶୁଣାଉଛି ‘ଯଦା ଯଦା ହି ପ୍ରଶାସନସ୍ୟ ଗ୍ଲାନିର୍ଭବତି ଅଭିଜିତ୍‌, ଅଭୁ୍ୟୁଥାନମ୍‌ ପ୍ରଶାସନସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌।’ ଯେତେବେଳେ ପ୍ରଶାସନରେ ଅନୀତି ବଢେ, ଅଣପ୍ରଶାସନିକ କର୍ମ ଜନ୍ମ ନିଏ, ହେ ଅଭିଜିତ! ସେତେବେଳେ ମୁଁ ନୂଆ ରୂପରେ ଅବତୀର୍ଣ୍ଣ ହୁଏ ଅବତାର ନିଏ। ବିଭିନ୍ନ ପ୍ରଶାସନରେ ମାନବିକତା ହ୍ରାସକାରୀ ପରମାଣୁ ବୋମାର ବିକାଶ ହୋଇଛି, ତା’ର ବିକିରଣରୁ ରକ୍ଷା ପାଇଁ ମୁଁ ମୋର ଅନୁଗତମାନଙ୍କୁ ଅସରପା ଶରୀର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଉଛି।
ବସୁଧାକୁ ଏକ ପରିବାର ଭଳି ଭାବୁଥିବା ଭାରତୀୟମାନଙ୍କ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଚାକିରି ପାଇଁ ବିକଳ ଯୁବଗୋଷ୍ଠୀଙ୍କୁ ଅସରପା ସହ ତୁଳନା କରି ଏ ଆଇଡିଆ ଦେଲେ। ଆମେରିକାରେ ପଢୁଥିବା ଅଭିଜିତ୍‌ ଦୀପ୍‌କେ (ବୟସ ୩୦) ତାହା ଗ୍ରହଣ କରି ଆମ ଦେଶର ସମଗ୍ର ଯୁବଗୋଷ୍ଠୀଙ୍କୁ ସମ୍ବୋଧନ କରି ସୋସିଆଲ୍‌ ମିଡିଆ ପୋଷ୍ଟ ‘ଏକ୍ସ’ (ପୂର୍ବନାମ ‘ଟ୍ବିଟ୍ଟର୍‌’)ରେ ଲେଖିଲେ ‘ଯଦି ସବୁ ଅସରପା ଏକାଠି ହୁଅନ୍ତି କ’ଣ ହେବ?’ ଏ ତ ମେ’ ୧୬ର କଥା। ସତକୁ ସତ, ଜୁନ୍‌ ଆରମ୍ଭ ବେଳକୁ ଅଭିଜିତ୍‌ଙ୍କ କକ୍‌ରୋଚ୍‌ ଜନତା ପାର୍ଟିର ସମର୍ଥକଙ୍କ ସଂଖ୍ୟା ୨ କୋଟିରୁ ବଳିଗଲା, ଭାଜପାର ମେମ୍ବର ସଂଖ୍ୟାଠାରୁ ବେଶି। ଆମେରିକାରୁ ଭାରତ ଆସି ଅଭିଜିତ୍‌ ଜୁନ୍‌ ୬ରେ ପ୍ରଥମେ ଯନ୍ତରମନ୍ତରଠାରେ ସମର୍ଥକମାନଙ୍କୁ ଏକାଠି କଲେ, ପରେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ନୀଟ୍‌ (ନ୍ୟାଶନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ,NEET)ରେ ପ୍ରଶ୍ନପତ୍ର ପ୍ରଘଟ (ଲିକ୍‌) ପାଇଁ ଦାୟୀ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ। ଜୁନ୍‌ ୨୦ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ ସଭା ଚାଲୁ ରଖିବା କହିଲେ। ଲଦାଖର ଜନସଂଗ୍ରାମୀ ସୋନମ୍‌ ୱାଙ୍ଗ୍‌ଚୁକ୍‌ ଏହି ଆନ୍ଦୋଳନରେ ଯୋଗ ଦେଇ ଜୁନ୍‌ ୨୦ରୁ ଅନଶନରେ ବସିଲେ। ସରକାରଙ୍କୁ ପାଟି କରି କହିଲେ, ଅଫିସର୍‌ମାନଙ୍କ ମୁଣ୍ଡରେ ଦୋଷ ଲଦି କେତେ ଦିନ ଶିକ୍ଷା ବ୍ୟବସ୍ଥାକୁ ଅକର୍ମଣ୍ୟ କରିବ? ମେଧା ବଦଳରେ ଧନକୁ ଉଚ୍ଚ ସ୍ଥାନ ଦେଇ ଚାଲିଥିବା ଭ୍ରଷ୍ଟ ବ୍ୟବସ୍ଥାର ମୁଖ୍ୟଙ୍କୁ କେତେ ଦିନ ଧରି ସରକାର ଚଳାଇବ?
ଗଣତନ୍ତ୍ରରେ ସରକାରୀ ଭ୍ରଷ୍ଟାଚାରକୁ ବିରୋଧ କରିବାର ଯେମିତି ଅଧିକାର ଅଛି ନାଗରିକଙ୍କର, ତାକୁ ରୋକିବାର ସେମିତି କ୍ଷମତା ଅଛି ସରକାରଙ୍କର ଅର୍ଥାତ୍‌ ସଂସଦରେ ସଂଖ୍ୟାଗରିଷ୍ଠ ଦଳର। ତା’ର ସାଂସଦମାନଙ୍କ ଅକୁଣ୍ଠ ସମର୍ଥନ ହିଁ ସରକାରକୁ ମନଇଚ୍ଛା ଶାସନ କରିବାକୁ ସାହସ ଦେଇଛି ଓ ତା’ର ଯେ କୌଣସି ବିରୋଧକୁ ଦମନ କରିବାର ଶକ୍ତି ଯୋଗାଉଛି। ୨୦୦୩ ସମ୍ବିଧାନ ସଂଶୋଧନ ଆଇନ ଏ ଶକ୍ତି ଯୋଗାଇଛି। ନିର୍ବାଚିତ ଲୋକପ୍ରତିନିଧିମାନେ ମୂଳ ଦଳର ମେମ୍ବର ଥିଲେ ବି ପଦର ଶପଥ ନେବା କ୍ଷଣି ଲେଜିସଲେଟିଭ୍‌୍‌ ପାର୍ଟିର ମେମ୍ବରରେ ପରିଣତ ହୁଅନ୍ତି ଅର୍ଥାତ୍‌ ନିଲମ୍ବନ, ବହିଷ୍କାର ଭଳି ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି, ପରିଶେଷରେ ପଦ(ଚାକିରି) ହରାଇପାରନ୍ତି। ଲେଜିସଲେଟିଭ୍‌୍‌ ପାର୍ଟିର ମେମ୍ବର ଭାବେ ସେମାନଙ୍କ ଜନପ୍ରତିନିଧିତ୍ୱ ଲିଭିଯାଏ, ଦଳ-ପ୍ରତିନିଧିତ୍ୱ ସେମାନଙ୍କୁ ଦଳର ନେତାଙ୍କ ଅଧସ୍ତନ କର୍ମଚାରୀ (ଲୋକ ଭାଷାରେ ଚାକର) କରିଦିଏ। ନେତାଙ୍କ ମନ ଓ ଇଙ୍ଗିତ ଅନୁଯାୟୀ କାମ ନ କଲେ ନିଲମ୍ବନ ହୋଇପାରନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗାଡ କରି ନିଲମ୍ବନ ଆଦେଶକୁ ବହିଷ୍କାରରେ ପରିଣତ କରିପାରନ୍ତି ଅର୍ଥାତ୍‌ ସମ୍ପୃକ୍ତ ଏମ୍‌ଏଲ୍‌ଏ ବା ଏମ୍‌ପି ତାଙ୍କ ଆସନ ହରାଇବେ, ଲୋକଙ୍କ ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ ବି ଦଳ ତାକୁ ରଦ୍ଦ କରିଦେବ। ସେମାନଙ୍କର ବିବେକ ବିକ୍ରି ହୋଇଯାଇଛି ନିର୍ବାଚନରେ ପାର୍ଟି ତରଫରୁ ପ୍ରାର୍ଥୀ ହେବା ବେଳଠୁ। ଆରମ୍ଭ ହୋଇଯାଇଛି ଇଲେକ୍ଟୋରାଲ୍‌ ଅଟୋକ୍ରାସି- ନିର୍ବାଚନରେ ଜିତିଥିବା ଦଳର ନେତା ବ୍ୟକ୍ତିତନ୍ତ୍ର ଚଲାଇପାରିବେ ଏବଂ ଥରେ ନିର୍ବାଚନରେ ବିଜୟୀ ହୋଇଗଲେ ପରବର୍ତ୍ତୀ ନିର୍ବାଚନରେ ଯେପରି ନ ହାରିବେ ତାହାର ବ୍ୟବସ୍ଥା କରନ୍ତି। ଦଳପତିଙ୍କ ଏକଚ୍ଛତ୍ର ଶାସନ ଚାଲେ, ତାହା ହିଁ ଇଲେକ୍ଟୋରାଲ ଅଟୋକ୍ରାସି। ନିର୍ବାଚିତ ମେମ୍ବରମାନଙ୍କ ଲୟାଲଟି (ଆନୁଗତ୍ୟ) ଚାଲୁ ରଖିବା ଲାଗି ଅଟୋକ୍ରାଟ୍‌ ଦଳପତି ଦଳର ନିର୍ବାଚିତ ମେମ୍ବରମାନଙ୍କୁ ଉପୁରି କରିବାର ସୁବିଧା ଯୋଗାନ୍ତି। ପ୍ରତ୍ୟକ୍ଷରେ ସ୍କୁଲ କଲେଜରେ ଆଡ୍‌ମିଶନ ପାଇଁ ସୁପାରିସ, ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ନିର୍ବାଚିତ ପ୍ରତିନିଧିଙ୍କ ସୁପାରିସ ଦରକାର ବୋଲି ନିୟମ କରିଦେଉଛନ୍ତି। ଟ୍ରେନ୍‌ ଓ ବିମାନ ଯାତ୍ରା ଲାଗି ଅଗ୍ରାଧିକାର ପାଇବା ଲାଗି ଏମ୍‌ପିଙ୍କୁ କୋଟା ଦେଇଛନ୍ତି ଯାହାକୁ ବ୍ୟବହାର କରି ଉପୁରି ପାଆନ୍ତି। ସରକାର ସବ୍‌କା ବିକାଶ ପ୍ରଚାର କରୁଥିଲେ ବି ଏମ୍‌ପି ଓ ଏମ୍‌ଏଲ୍‌ଏମାନେ ବେଶି ଜୋର ଦିଅନ୍ତି ଅପ୍‌ନା ବିକାଶ ଉପରେ। ଆଗ କାଳର ଉକ୍ତି ଚାକିରି କରିବ ପୋଲିସ୍‌, ମାଛ ଖାଇବ ଇଲିଶି, ବଦଳରେ ଆଜିର ଡାକ ହେଉଛି ‘ଯଦି ଉପୁରି କରିବା ଚିନ୍ତା, ଧର ରାଜନେତାଙ୍କ ଛତା।’ ନେତାଙ୍କ ଶକ୍ତି ଦଳର ମେମ୍ବରମାନଙ୍କ ସମର୍ଥନ ଉପରେ ନିର୍ଭର କରୁଥିବାରୁ ସମର୍ଥନକାରୀମାନଙ୍କୁ କିଛି କିଛି ବାଟମାରଣା କରିବାର ସୁବିଧା ଯୋଗାଇବାକୁ ପଡିବ। ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଟ୍ରମ୍ପ୍‌ କେମିତି ଆମେରିକାର ଜଜ୍‌ମାନଙ୍କୁ ଗାଳି ଦେଉଛନ୍ତି ଶୁଣୁନାହାନ୍ତି। ସରକାରଙ୍କ ଜୁଡିସିଆଲ୍‌ ବିଭାଗକୁ ନିଜର ଶତ୍ରୁ ବା ବିରୋଧୀମାନଙ୍କୁ ବିରୋଧରେ ଲଗାଇଦେଉଛନ୍ତି। ଏଇ ତ ଇଲେକ୍ଟୋରାଲ ଅଟୋକ୍ରାସି! ସରକାରୀ ଚାକିରି ପାଇଁ ପ୍ରାର୍ଥୀକୁ ପ୍ରଶ୍ନ ଯୋଗାଇ ତା’ର ଯୋଗ୍ୟତା ବଢାଇବା ଲାଗି ପ୍ରଶ୍ନପତ୍ରକୁ ଲିକ୍‌ କରାଇ ଉପୁରି କରିହେବ। ମେଧାଥିବା ପିଲାଏ କକ୍‌ରୋଚ୍‌ ଭଳି ଏଣେ ତେଣେ ବୁଲିବେ। ଏବେ ‘ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି’ ବଦଳିଗଲାଣି। ‘ବୃତ୍ତି କରିବ ପଲିଟିକ୍‌ସ, ଧନ ଅର୍ଜିବ ସାତ ପୁରୁଷ’। ସର୍ବୋଚ୍ଚ ନେତାଙ୍କ ଗୁଡ୍‌ ବୁକ୍‌ରେ ରହିଲେ ପ୍ରଚୁର ପଇସା ମିଳିବ।
କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଏ ପ୍ରକାରର ରାଜନୀତି ବିରୋଧରେ ସ୍ବର ଉଠାଇଛି ଯାହା ଶାସକ ଦଳର ଅଟୋକ୍ରାସିକୁ ଦୋହଲାଇ ଦେଇପାରେ। ତେଣୁ ତା’ର ପ୍ରତିବାଦ ଯାତ୍ରାକୁ ରୋକିବାକୁ ପଡିବ। ପୋଲିସ ଓ ଅର୍ଦ୍ଧସାମରିକ ବଳକୁ ଲଗାଇଦେବାକୁ ପଡିବ। ତା’ର ଗୋଟିଏ ସୀମା ଅଛି। ‘ସଂସଦ ଚାଲ’ ଡାକରା ସବୁଠୁ ବଡ ବିପଦ। ବାଲାଂଦେଶ ଓ ନେପାଳର ଯୁବ ଆନ୍ଦୋଳନ ଏହା ଦର୍ଶାଇଛି। ଆମ ଦେଶର ଶାସକ ଦଳ ନଜର ରଖିଥିଲା ଯେପରି ପ୍ରତିବାଦକାରୀମାନେ ସଂସଦ ଭବନକୁ ଧସିପଶିବାର ସୁବିଧା ନ ପାଆନ୍ତି। ସେଇଥିପାଇଁ ଜୁଲାଇ ୨୦ରେ ସିଜେପି ଗୋଷ୍ଠୀ ସଂସଦ ଚାଲ ଡାକରା ଦେଲା କ୍ଷଣି ପ୍ରତିବାଦର ମୁଖ୍ୟାଂଶ ‘କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା’ ଉପରେ ଶାସକ ଦଳ ସାଙ୍ଗେ ସାଙ୍ଗେ ନିଷ୍ପତ୍ତି ନେଇଗଲେ। ଦଳର ନେତାଏ ଫୁସ୍‌ଫୁସ୍‌ କରି କହିଥିବେ ତୁମେ ଇସ୍ତଫା ଦେଇଦିଅ, ଆନ୍ଦୋଳନର ନିଆଁ ଲିଭିଯାଉ। ନୂଆ ଆଇନ କରି ପ୍ରଶ୍ନପତ୍ର ଲିକ୍‌ ଅପରାଧର ଗୁରୁତର ଦଣ୍ଡ ବ୍ୟବସ୍ଥା କଲେ ବି କାର୍ଯ୍ୟକାରୀ ତ କରିବ ସେହି ଶାସକଦଳ କୃପାଭିକ୍ଷା କରୁଥିବା କର୍ମଚାରୀମାନେ। ତେଣୁ ପୋଲିସ ଗୁଳି ଚଳାଇ ଶୋଭାଯାତ୍ରାକୁ ଭଣ୍ଡୁର କଲେ ନ୍ୟାୟାଳୟରେ ବିୟଣ୍ଡ ରିଜନେବ୍ଲ ଡାଉଟ୍‌ ଭଳି ଏତଲା ଦାଏର ନ କଲେ ମକଦ୍ଦମାରେ ଆସାମୀ କର୍ମଚାରୀମାନେ ଖସିଯିବେ। ପୋଲିସ ଓ ଅର୍ଦ୍ଧ-ସାମରିକ ବଳ ଅଛି, ଶେଷରେ ଏମର୍ଜେନ୍ସି ଆଇନ ଜାରି କରି ସାମରିକ ବଳ ବି ବ୍ୟବହାର କରାଯାଇପାରେ। ରାଜନୀତିକ ବ୍ୟକ୍ତିମାନେ ଦେଶର ହିତ ନୁହେଁ ପାର୍ଟିର ହିତ ଚାହାନ୍ତି, ସେମାନଙ୍କ ପିଲାଛୁଆ ବେଶ୍‌ ବିଲିଅନେୟାର୍‌ ହେବେ ବୋଲି ଗାଦିରେ ଚିରନ୍ତନ ରହିବାକୁ ଚାହାନ୍ତି।
sahadevas@yahoo.com

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।