ଚାପରୁ ବର୍ଷା
ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି ଆସିଥିବା ୟୁରୋପ ମହାଦେଶବାସୀ ୪୦ରୁ ଊର୍ଦ୍ଧ୍ୱ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାକୁ ଦେଖି ସେମାନଙ୍କ ମୁଣ୍ଡ ବିଗିଡ଼ିଗଲାଣି। ଅତ୍ୟଧିକ ଗରମ ସହି ନ ପାରି ଲୋକଙ୍କ ମୃତ୍ୟୁଖବର ନିୟମିତ ଆସିଲାଣି। ଜଙ୍ଗଲ ନିଆଁ ଓ ଦୁର୍ଭିକ୍ଷଜନିତ ଯନ୍ତ୍ରଣା ବଢ଼ିଲାଣି। ସ୍ପେନ, ଫ୍ରାନ୍ସ ଓ ଗ୍ରୀସ୍ ଭଳି ଦେଶରେ ବିନାଶକାରୀ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଭିନ୍ନ ପାଣିପାଗ ଶୈଳୀ ଯୋଗୁ ଏହି ମହାଦେଶରେ ବ୍ୟାପକ ସ୍ଥାନାନ୍ତରଣ, ନଦୀଗୁଡ଼ିକ ଶୁଖିଯିବା ଏବଂ କୃଷି ଅମଳ ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଉପୁଜିଛି। ଏହି ସନ୍ଧିକ୍ଷଣରେ ଭାରତ କଥା ଦେଖିଲେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ସିଧାସଳଖ ଅନୁଭୂତ ହେଲାଣି। ଏଠାରେ ମୌସୁମୀ ବର୍ଷା ଅପେକ୍ଷା ଲଘୁଚାପଜନିତ ବୃଷ୍ଟି ଗୋଟେ ଗୋଟେ ଅଞ୍ଚଳକୁ ବୁଡ଼ାଇ ଦେଉଛି। ଆଶ୍ଚର୍ଯ୍ୟର କଥା ଯେ ସ୍ବାଭାବିକ ମୌସୁମୀ ଦେଖିବାକୁ ମିଳୁନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଲଘୁଚାପରେ ବର୍ଷା କେବଳ ନୁହେଁ, ସବୁ କଥା ‘ଚାପ’ରେ ହେଉଛି। ଯେଉଁ ସମୟରେ ଯେଉଁଭଳି ଭାବେ ଋତୁର ପ୍ରଭାବ ଅନୁଭୂତ ହେବା କଥା, ତାହା ଦେଖାଯାଉ ନାହିଁ। କହିବାକୁ ଗଲେ ପ୍ରକୃତି ବିଗିଡ଼ି ନାହିଁ। ମଣିଷ ପାଇଁ ତାହାର ପ୍ରଭାବ ବଦଳୁଥିବାରୁ ସମସ୍ୟା ଆମର, ପ୍ରକୃତିର ନୁହେଁ।
ଅନ୍ତର୍ଜାତୀୟ ସ୍ତରରୁ ଜାତୀୟ ଓ ଆଞ୍ଚଳିକ ସ୍ତରକୁ ଓହ୍ଲାଇକରି ଦେଖିଲେ ମଣିଷର କାର୍ଯ୍ୟକଳାପ ସବୁ ପ୍ରକାର ଅସ୍ବାଭାବିକତା ପାଇଁ ଦାୟୀ ବୋଲି ଜୋର ଦେଇ କହିହେବ। ଆମେ ଓଡ଼ିଶାରେ ମନୁଷ୍ୟକୃତ ଧ୍ୱଂସାତ୍ମକ ପରିଣତିକୁ ମର୍ମେ ମର୍ମେ ଅନୁଭବ କରୁଛେ। ଜଙ୍ଗଲକ୍ଷୟ, ଭୂତଳ ବିଦାରି ଅତ୍ୟଧିକ ଖଣିଜ ପଦାର୍ଥ ଉତ୍ତୋଳନ ଯୋଗୁ ଜୀବଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ ହେବାରୁ ସେମାନେ ରାସ୍ତାକୁ ଆସି ସେମାନଙ୍କ ଖାଦ୍ୟ ମାଗିବା ଦୃଶ୍ୟ ଦେଖିବାକୁ ମିଳିଲାଣି। ସୁନ୍ଦରଗଡ଼ କୋଇଡ଼ା ବନାଞ୍ଚଳ ଅନ୍ତର୍ଗତ ପାନ୍ପୋଶିଆ-ଯୋଡ଼ିପଡ଼ା ରାସ୍ତାରେ ଏକ ଦନ୍ତାହାତୀ ଟ୍ରକ୍କୁ ଅଟକାଇ ଖାଦ୍ୟ ମାଗୁଥିବା ଛବି ସୋସିଆଲ ମିଡିଆରେ ଘୂରୁଥିବା ଲକ୍ଷ୍ୟ କରାଯାଇଛି। ହାତୀଟିକୁ ଯିଏ ଖାଇବାକୁ ଦେଉଛି ସେ ତାହାକୁ ଗ୍ରହଣ କରୁଛି, କିଛି ନ ମିଳିଲେ କ୍ଷତି କରୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ଟ୍ରାଫିକ୍ ଜାମ୍ ହେଉଥିବା ଦୃଶ୍ୟ ନଜରକୁ ଆସିଛି । ଏଥିରୁ ଅନେକ ବିଷୟ ଆଲୋଚନା ପରିସରକୁ ଆସିପାରେ। ହାତୀ ବାସସ୍ଥଳୀରେ ମଣିଷର ବାସଭବନ, ହୋଟେଲ, ଶିଳ୍ପ ଗଢ଼ି ଉଠିବା ପରେ ସେ ବେଘର ହୋଇ ରାସ୍ତାକୁ ଓହ୍ଲାଇ ଆସିିବା ସ୍ବାଭାବିକ। କହିବାକୁ ଗଲେ ଖାଦ୍ୟ ମାଗୁଥିବା ହାତୀ ଭଳି ସବୁ ଶାନ୍ତ ନୁହନ୍ତି, ଯେଉଁ ଗଜମାନେ ରାଗିଯାଉଛନ୍ତି ସେମାନେ ମଣିଷର ଧନଜୀବନ ନେଇଯାଉଛନ୍ତି। ସେମାନଙ୍କୁ ରଗେଇବା ପାଇଁ ମଣିଷ ହିଁ ଦାୟୀ। ଏଭଳି ସ୍ଥିତିରେ ପହଞ୍ଚତ୍ବାଯାଏ କଥା କାହିଁକି ଯାଉଛି ତାହା ଉପରେ ବନବିଭାଗ ସମେତ ସ୍ଥାନୀୟ ପ୍ରଶାସନ ଓ ଅଧିବାସୀମାନେ ହେଜିବା ଦରକାର। ପରିବେଶ ଅବକ୍ଷୟ, ଖାଦ୍ୟ ସଙ୍କଟ ଏବଂ ମଣିଷ-ପଶୁ ସଂଘର୍ଷର ଗୁରୁତର ଦିଗକୁ ଅନିଷା କରିବାର ସମୟ ଆସିଲାଣି। ମଣିଷ ଭାବୁଛି କଳେବଳେ କୌଶଳେ ଜନ୍ତୁମାନଙ୍କୁ କରାୟତ୍ତ କରିଦେବ। କିନ୍ତୁ ବୁଝିବା ଦରକାର ଯେ, ଏସବୁ ଅସଙ୍ଗତିକୁ ଆଉ ଶୀଘ୍ର ଦୂର କରିବା କଷ୍ଟକର ହୋଇପଡ଼ିବ। ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ହୁଏତ ଗୋଟିଏ ସମୟ ଆସିପାରେ ଆଲୋଚନା ମାଧ୍ୟମରେ ବନ୍ଦ କରାଯାଇପାରିବ। କିନ୍ତୁ ପ୍ରକୃତି ଓ ପରିବେଶକୁ ଯେତେ ମାତ୍ରାରେ ନଷ୍ଟ କରି କରିଦିଆଗଲାଣି ସେଥିରେ ପୂର୍ଣ୍ଣଚ୍ଛେଦ ଲାଗି ନ ପାରେ। ଏହାର ରାଶି ରାଶି ଉଦାହରଣ ଉତ୍ତର ଭାରତର ଚାରିଧାମ ଅଞ୍ଚଳଠାରୁ ଦକ୍ଷିଣ ଭାରତର ଓ୍ବାୟନାଡ୍ ପର୍ଯ୍ୟନ୍ତ ପ୍ରକୃତି ସତର୍କବାଣୀ ଦେଇଚାଲିଛି ଏବଂ ପ୍ରତ୍ୟେକ ଥର ତାହା ଅଧିକରୁ ଅଧିକ ବିଷମ ହେଉଛି। ସରକାରୀ ଅନୁମୋଦନ ସହିତ ଆରାବଳିରୁ ଆଣ୍ଡାମାନ ନିକୋବରକୁ ଖିନ୍ଭିନ୍ କରିବା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇସାରିଲାଣି।
ଏବେ ସରକାରୀ ନୀତିରେ ଆମୂଳଚୂଳ ପରିବର୍ତ୍ତନ ଜରୁରୀ। ଜନସାଧାରଣଙ୍କ ସଚେତନତା ଓ ଚାପ ବୃଦ୍ଧି ସହିତ ସରକାରୀ ନୀତି ଓ ଶିଳ୍ପପତିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ମଣିଷ ଜୀବନକୁ ଭବିଷ୍ୟତରେ ସହଜ ଓ ସୁନ୍ଦର କରିପାରିବ ବୋଲି ବିଶ୍ୱାସ କରାଯାଏ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।