ଅଯୋଧ୍ୟା-ଜନକପୁରକୁ ଯୋଡ଼ିବ ନୂଆ ଟ୍ରେନ୍, ମଜଭୁତ ହେବ ଭାରତ-ନେପାଳ ସମ୍ପର୍କ
ଆହୁରି ମଜଭୁତ ହେବ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ। ଧାର୍ମିକ ପର୍ଯ୍ୟଟନ ସହ ଦୁଇ ଦେଶ ମଧ୍ୟରେ ଯୋଡ଼ି ହେବ ନୂଆ ରେଳ ସଂଯୋଗ। ଏଣିକି ସିଧାସଳଖ ରେଳ ସଂଯୋଗରେ ଯୋଡ଼ି ହେବ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଓ ମାତା ସୀତାଙ୍କ ଜନ୍ମସ୍ଥାନ ଜନକପୁର। ଏହି ନୂଆ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳର ପ୍ରଧାନମନ୍ତ୍ରୀ। ଭର୍ଚୁଆଲ୍ ମାଧ୍ୟମରେ ଉଭୟ ନେତା ସରଯୂ-କମଳା ଏକ୍ସପ୍ରେସ୍ର ର ଶୁଭାରମ୍ଭ କରିବେ। ନଭେମ୍ବର ୨୮ରୁ ନିୟମିତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ।
ଅଯୋଧ୍ୟା କ୍ୟାଣ୍ଟରୁ ଜନକପୁର ଧାମ ପର୍ଯ୍ୟନ୍ତ ପ୍ରାୟ ୬୦୪ କିଲୋମିଟର ଯାତ୍ରାକୁ ୧୯ ଘଣ୍ଟା ସମୟ ଲାଗିବ। ସବୁଠାରୁ ବଡ଼ କଥା ହେଉଛି, ଯାତ୍ରୀଙ୍କୁ ମଝିରେ ଟ୍ରେନ୍ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ପ୍ରତି ସୋମବାର ସନ୍ଧ୍ୟା ୫ଟା ୫୦ରେ ଅଯୋଧ୍ୟାରୁ ଟ୍ରେନ୍ ଛାଡ଼ି ମଙ୍ଗଳବାର ଦିନ ୧୨ଟା ୪୦ରେ ଜନକପୁରରେ ପହଞ୍ଚିବ। ସେହିପରି ଶନିବାର ଦିନ ୧ଟା ୧୦ରେ ଜନକପୁରରୁ ଫେରନ୍ତି ଟ୍ରେନ୍ ଛାଡ଼ି ରବିବାର ସକାଳ ୮ଟା ୧୦ରେ ଅଯୋଧ୍ୟାରେ ପହଞ୍ଚିବ। କେବଳ ରେଳ ସଂଯୋଗ ନୁହେଁ, ମୋଦୀ ଓ ବାଲେନ ଶାହଙ୍କ ଆଲୋଚନାରେ ଶକ୍ତି, ଜଳବିଦ୍ୟୁତ୍, ରେଳପଥ, ବାଣିଜ୍ୟ ଓ ଭିତ୍ତିଭୂମି ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ବିଶେଷ କରି ନେପାଳରୁ ଭାରତକୁ ବିଦ୍ୟୁତ୍ ଆମଦାନୀ ବୃଦ୍ଧି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
ଦୀର୍ଘମିଆଦୀ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତି ଅନୁସାରେ ଆଗାମୀ ୧୦ ବର୍ଷ ମଧ୍ୟରେ ନେପାଳରୁ ୧୦ ହଜାର ମେଗାୱାଟ୍ ବିଦ୍ୟୁତ୍ କିଣିବାକୁ ଭାରତର ଯୋଜନା ରହିଛି। ଏବେ ପ୍ରତିବର୍ଷ ପ୍ରାୟ ୧୨ଶହ ମେଗାୱାଟ୍ ବିଦ୍ୟୁତ୍ ନେପାଳରୁ ଭାରତ ଆମଦାନୀ କରୁଛି । ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୀର୍ଘଦିନରୁ ଘନିଷ୍ଠ ରହିଥିଲେ ମଧ୍ୟ ସୀମା ବିବାଦକୁ ନେଇ କିଛିଟା ତିକ୍ତତା ରହିଛି । ବିଶେଷ କରି ଲିପୁଲେଖ, ଲିମ୍ପିୟାଧୁରା ଓ କାଳାପାଣି ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ରହିଛି । ତେଣୁ ବାଲେନ ଶାହଙ୍କ ଏହି ଭାରତ ଗସ୍ତକୁ ଦୁଇ ଦେଶର ସମ୍ପର୍କ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
