ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

Jun 26, 2026 - 17:05
ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ କରି ଶାଶନ ପଞ୍ଚାୟତର ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡବ, ରମାକାନ୍ତ ଦାଶ ଓ ଅର୍ଜୁନ ସାହୁ ସମେତ କେତେଜଣ ଅଧିବାସୀ ସୋମବାର ପୂର୍ବାହ୍ନରୁ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ବେଳେ ଅନଶନକୁ ୫ମ ଦିନରେ ପହଞ୍ଚିଛି । ଯାହାକୁ ନେଇ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଯାହାକୁ ନେଇ ଶୁକ୍ରବାର ଜିଲାପାଳ ଓ ଏସ୍‌ପି ଅଶନକାରୀଙ୍କ ସହ ବ୍ଲକ ସମ୍ମିଳନୀ କକ୍ଷରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଅନଶନକାରୀଙ୍କ ଦାବି ଓ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଓ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ବୈଠକ ପୂର୍ବରୁ ଉଭୟଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇନାହିଁ। ତେବେ ଆଲୋଚନା ସକାରାତ୍ମକ ପରିବେଶରେ ହୋଇଥିବା ଜଣାପଡ଼ିଛି। ବୈଠକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily