ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

Jun 26, 2026 - 19:20
ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’ ବିଜେତା ଭାବେ ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିଛି। ନେଦରଲାଣ୍ଡ୍ସ ସୋମବାର ତା’ର ନକ୍‌ଆଉଟ୍‌ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଗ୍ରୁପ୍‌-ସି’ ରନରଅପ୍‌ ମରକ୍କୋକୁ ଭେଟିବ।

ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ନେଦରଲାଣ୍ଡ୍ସର ଡେଞ୍ଜେଲ ଡମଫ୍ରାଇସ ପ୍ରତିପକ୍ଷ ଗୋଲପୋଷ୍ଟ ସାମ୍ନାରେ ବଲକୁ ଦଳର ଫରଓ୍ବାର୍ଡ ଖେଳାଳିଙ୍କୁ ପାସ୍‌ କରିଥିଲେ। ହେଲେ ଟ୍ୟୁନିସିଆ କ୍ୟାପ୍ଟେନ ଏଲିସ ଖିରି ବଲକୁ କ୍ଲିଅର କରିବା ପାଇଁ କିକ୍‌ କରିଥିଲେ। ତାହା ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା।

ସପ୍ତମ ମିନିଟ୍‌ରେ ୬.୫ ଭିର୍ଗିଲ ଭାନ ଡିଜକଙ୍କ ହେଡର ଜରିଆରେ ପାଇଥିବା ପାସକୁ ବ୍ରୋବେ ଗୋଲରେ ପରିଣତ କରିଥିଲେ। ଚଳିତ ବିଶ୍ୱକପ୍‌ରେ ବ୍ରୋବେଙ୍କର ଏହା ତୃତୀୟ ଗୋଲ ଥିଲା।

ଦ୍ୱିତୀୟାର୍ଦ୍ଧର ୫୪ତମ ମିନିଟ୍‌ରେ ଟ୍ୟୁନିସିଆକୁ ମିଳିଥିବା କର୍ନର କିକ୍‌କୁ ହାଜେମ ମାସ୍ତୋରି ଗୋଲରେ ପରିଣତ କରିଥିଲେ। କିନ୍ତୁ ନେଦରଲାଣ୍ଡ୍ସ ୬୨ତମ ମିନିଟ୍‌ରେ ଏକ କର୍ନର କିକ୍‌କୁ ଜନ ପଲ ଭାନ ହେକେ ଗୋଲରେ ପରିଣତ କରିଥିଲେ। ପୂର୍ବରୁ ୩ ଥର ଫାଇନାଲରେ ପରାସ୍ତ ହୋଇଥିବା ନେଦରଲାଣ୍ଡ୍ସ ଚଳିତ ବିଶ୍ୱକପ୍‌ରେ କିଛି ନୂଆ କରିବ ବୋଲି ଆଶା କରାଯାଉଛି।