ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…
ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ ମନିର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ପିଲାମାନଙ୍କ ପାଖରେ ଆର୍ଥିକ ଜ୍ଞାନର ଅଭାବ ଥିବାରୁ ମାତାପିତା ସେମାନଙ୍କୁ ଟଙ୍କା ଦେବାକୁ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ସଙ୍କୋଚ ବୋଧ କରନ୍ତି। ଏବେ ଏହି ସମସ୍ୟାର ସମାଧାନ ମିଳିପାରିବ।
ପେମେଣ୍ଟ ଆପ ‘ପେଟିଏମ’ (Paytm) ‘ପକେଟ ମନି’ (Pocket Money) ନାମରେ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହାର ସାହାଯ୍ୟରେ ଏବେ ନାବାଳକ ପିଲାମାନେ ବିନା ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ UPI ବ୍ୟବହାର କରିପାରିବେ। ଏଥିରେ ମୁଖ୍ୟ UPI ବ୍ୟବହାରକାରୀ ଯେପରିକି ମାତାପିତା ବା ପରିବାରର କୌଣସି ସଦସ୍ୟ, ପିଲାକୁ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଏକ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ପେମେଣ୍ଟ କରିବାକୁ ଅନୁମତି ଦେଇପାରିବେ। ଏହାଦ୍ୱାରା ପିଲାମାନେ ଖର୍ଚ୍ଚ କରିପାରିବେ ଏବଂ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ UPI ବ୍ୟବହାରକାରୀଙ୍କ (ମାତାପିତାଙ୍କ) ପାଖରେ ରହିବ।
ଟିନଏଜର୍ସ (କିଶୋର) ମାନଙ୍କର ଖର୍ଚ୍ଚ ଏମିତି ହୋଇଥାଏ ଯେ, ସେମାନଙ୍କୁ ପ୍ରାୟତଃ ଘରକୁ ଫୋନ କରି OTP ମାଗିବାକୁ ପଡ଼ିଥାଏ କିମ୍ୱା QR କୋଡ ପଠାଇ ଟଙ୍କା ମଗାଇବାକୁ ପଡ଼ିଥାଏ। ଏହାଦ୍ୱାରା ସେମାନେ ନିଜ ମାତାପିତାଙ୍କ ଉପରେ ର୍ନିଭରଶୀଳ ରୁହନ୍ତି। ଏବେ ଏହି ଫିଚର୍ ସାହାଯ୍ୟରେ ଯୁବପିଢ଼ି ନିଜ ଖର୍ଚ୍ଚ ନିଜେ କରିପାରିବେ, ଅପରପକ୍ଷରେ ସେମାନଙ୍କ ପକେଟ ମନି ଉପରେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ ରିଅଲ-ଟାଇମରେ ମାତାପିତାଙ୍କ ପାଖରେ ରହିବ।
* ମାତାପିତା ପିଲାମାନଙ୍କୁ ପେଟିଏମ ଆପରେ ‘UPI ସର୍କଲ’ ଜରିଆରେ ନିଜ ଆକାଉଣ୍ଟ ସହ ଯୋଡ଼ି ଦେଇଥାନ୍ତି।
* ଏହାପରେ ପିଲାମାନେ ସହଜରେ ନିଜ ମୋବାଇଲ୍ରୁ UPI ପେମେଣ୍ଟ କରିପାରିବେ।
* ମାତାପିତା ଏଥିରେ ମାସିକ ଲିମିଟ (ଖର୍ଚ୍ଚର ସୀମା) ମଧ୍ୟ ସେଟ କରିପାରିବେ।
* ସମ୍ପୂର୍ଣ୍ଣ ମାସର ସମୁଦାୟ ଖର୍ଚ୍ଚ ସୀମା ୧୫,୦୦୦ ଟଙ୍କା ସ୍ଥିର କରାଯାଇଛି, ଯାହାକୁ ଆପଣ ଆପଣଙ୍କ ସୁବିଧା ଅନୁସାରେ କମାଇ ମଧ୍ୟ ପାରିବେ।
* ଏକ ସମୟରେ ସର୍ୱାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ହିଁ ପେମେଣ୍ଟ କରାଯାଇପାରିବ।
* ପ୍ରାରମ୍ଭିକ ଦିନଗୁଡ଼ିକରେ ଖର୍ଚ୍ଚ କରିବା ଉପରେ କିଛି କଟକଣା ରହିଥାଏ।
* ଫୋନରେ ପାସୱାର୍ଡ ରହିବା ଜରୁରୀ।
* ଏହି ଫିଚର୍ ମାଧ୍ୟମରେ କ୍ୟାଶ (ନଗଦ ଟଙ୍କା) ଉଠାଯାଇପାରିବ ନାହିଁ।
* ଏଥିରେ ଆନ୍ତର୍ଜାତୀୟ (International) ପେମେଣ୍ଟ କରାଯାଇପାରିବ ନାହିଁ।
* ମାତାପିତାଙ୍କ ହାତରେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ ଥାଏ, ସେମାନେ ଚାହିଁଲେ ଯେକୌଣସି ସମୟରେ ଏହାର ଆକ୍ସେସ ବନ୍ଦ କରିପାରିବେ।
ଏହି ସୁବିଧା ଦ୍ୱାରା ପିଲାମାନେ ଆତ୍ମର୍ନିଭରଶୀଳ ହୁଅନ୍ତି ଏବଂ ପେମେଣ୍ଟ କରିବା ଶିଖନ୍ତି। ଏହାସହ ସେମାନଙ୍କୁ ଟଙ୍କା କିପରି ଖର୍ଚ୍ଚ କରିବାକୁ ହେବ, ସେ ବିଷୟରେ ମଧ୍ୟ ଜ୍ଞାନ ଆସିଥାଏ। ଏହାଦ୍ୱାରା ସେମାନେ ବଜେଟ ପ୍ରସ୍ତୁତ କରିବା ଏବଂ ବୁଦ୍ଧିମାନର ସହ ଖର୍ଚ୍ଚ କରିବା ମଧ୍ୟ ଶିଖିଯାନ୍ତି। ଡିଜିଟାଲ ପେମେଣ୍ଟରେ ପ୍ରତ୍ୟେକ ଖର୍ଚ୍ଚର ସମ୍ପୂର୍ଣ୍ଣ ରେକର୍ଡ ମଧ୍ୟ ରହିଥାଏ।