ଅଧା ରହିଲା ସୁକରାଲା ମାତାଙ୍କ ଦର୍ଶନ ; ଖାଇକୁ ଓଲଟିଲା ବସ୍, ୨୩ ଆହତ

Jun 24, 2026 - 18:57
ଅଧା ରହିଲା ସୁକରାଲା ମାତାଙ୍କ ଦର୍ଶନ ; ଖାଇକୁ ଓଲଟିଲା ବସ୍, ୨୩ ଆହତ

ନୂଆଦିଲ୍ଲୀ,୨୪/୬ : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ବୁଧବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ସିଂବଲୀ ଅଞ୍ଚଳରେ ଥିବା ସୁକରାଲା ମାତା ମନ୍ଦିର ଯାଉଥିବା ଏକ ମିନି ବସ୍ ଖାଇକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୩ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।

ଏହି ଘଟଣାକୁ ନେଇ ଜନୈକ ଅଧିକାରୀ କହିଛନ୍ତି କି, ମିନି ବସ୍ ମନ୍ଦିର ଯାଉଥିଲା । ଏହି ସମୟରେ ସିଂବଲୀଠାରେ ଡ୍ରାଇଭର ଗାଡ଼ି ଉପରେ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ବସଟି ଏକ ଖାଇକୁ ଗଳି ପଡ଼ିଥିଲା । ଏହି ଘଟଣାରେ ଏବେ ସୁଦ୍ଧା ୨୩ଜଣ ଯାତ୍ରୀ ଆହତ ହୋଇଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି । ଯାହାଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଆହତଙ୍କୁ ଚିକିତ୍ସା ଲାଗି ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମୟରେ ପୋଲିସ ଏବଂ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେ କହିଛନ୍ତି କି, ଡକ୍ଟର ଗମ୍ଭୀର ରୂପରେ ଆହତ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି । ପୋଲିସ ଘଟଣାର ଯାଞ୍ଚ କରୁଛି ।