ଅଧର ପଣା
ବାହୁଡା ଯାତ୍ରା ପରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ଓ ତତ୍ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ମନ୍ଦିର ପ୍ରଶାସନ , ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରେ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ୱାରା ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି । ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧରପଣା ଭୋଗ ପୂରରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି । ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ଠା' କରନ୍ତି । ତତ୍ ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ପୂଜା ପରେ ଏହାକୁ ରଥ ଉପରେ ଭଙ୍ଗା ଯିବାର ନୀତି ରହିଛି । ଏହା ପ୍ରସାଦ ମଣିଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ରଥଯାତ୍ରାରେ ରଥରେ ଥିବା ପାର୍ଶ୍ବଦେବତା ଓ ବିଭିନ୍ନ ଆତ୍ମା ମାନଙ୍କ ପାଇଁ ଥାଏ, ତେଣୁ ଏହାକୁ ରଥ ଉପରେ ହିଁ ଭଙ୍ଗା ଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।