You have built Jio: ଜିଓକୁ ଆପଣମାନେ ଗଢ଼ିଛନ୍ତି, ଆପଣଙ୍କ ସ୍ୱପ୍ନ ପୂରଣ କରିବା ଆମର ଲକ୍ଷ୍ୟ: ଅନନ୍ତ ଅମ୍ବାନୀ
ମୁମ୍ବାଇ: ଜିଓ ପ୍ଲାଟଫର୍ମସ୍ର ଲିଷ୍ଟିଂ ସମାରୋହରେ ଅନନ୍ତ ଅମ୍ବାନୀ ଜିଓର ସଫଳତା ପାଇଁ କୋଟି କୋଟି ଗ୍ରାହକ, କର୍ମଚାରୀ, ସହଯୋଗୀ ଓ ନିବେଶକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ଜିଓକୁ କେବଳ ଏକ ଟେଲିକମ୍ କମ୍ପାନି ଭାବେ ନୁହେଁ, ବରଂ ଭାରତୀୟଙ୍କ ଡିଜିଟାଲ୍ ସ୍ୱପ୍ନ ସହ ଜଡ଼ିତ ଏକ ଆନ୍ଦୋଳନ ଭାବେ ଅଭିହିତ କରି ସେ କହିଛନ୍ତି ଯେ ଜିଓ ଲୋକଙ୍କ ଦ୍ୱାରା ଗଢ଼ାଯାଇଛି ଓ ସେମାନଙ୍କ ସ୍ୱପ୍ନ ପୂରଣ କରିବା ହିଁ ଆମର ଲକ୍ଷ୍ୟ।
ଧୀରୁଭାଇ ଅମ୍ବାନୀଙ୍କ ସ୍ୱପ୍ନ, ମୁକେଶ ଅମ୍ବାନୀଙ୍କ ଦୂରଦୃଷ୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଡିଜିଟାଲ୍ ଇଣ୍ଡିଆ' ଅଭିଯାନର ଅବଦାନକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ।
ଷ୍ଟକ୍ ବଜାର ଲିଷ୍ଟିଂ ସମୟରେ ନିଜ ଅଭିଭାଷଣରେ ଅନନ୍ତ କହିଥିଲେ, ମୋ ପାଇଁ ବ୍ୟବସାୟ ହେଉଛି ପୂଜା ଓ ପ୍ରତ୍ୟେକ ପୂଜା ପ୍ରସାଦ ସହିତ ସମାପ୍ତ ହୁଏ।
ଆଜି ଜିଓକୁ ଭାରତ ସହିତ ବାଣ୍ଟିବାର ଦିନ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସେ ଗଭୀର କୃତଜ୍ଞତା ଜଣାଇଥିଲେ।
'ଡିଜିଟାଲ୍ ଇଣ୍ଡିଆ'ର ଯେଉଁ ଦୂରଦୃଷ୍ଟି ସେ ଦେଶକୁ ଦେଇଥିଲେ, ତାହା ଜିଓକୁ ଏକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲା।
ତାଙ୍କର ନିରନ୍ତର ମାର୍ଗଦର୍ଶନ ଓ ସମର୍ଥନ ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ।
ପ୍ରଧାନମନ୍ତ୍ରୀଙ୍କୁ ଆମର କୋଟି କୋଟି ପ୍ରଣାମ ବୋଲି ଅନନ୍ତ କହିଥିଲେ।
Advertisment ସ୍ବପ୍ନ କିଭଳି ଭାରତର ସବୁଠୁ ବଡ଼ ପୁଞ୍ଜି, ତାହା ଦର୍ଶାଇବା ପାଇଁ ସେ କହିଥିଲେ, ବହୁ ବର୍ଷ ପୂର୍ବେ ଗୁଜରାଟର ଚୋରୱାଡ଼ର ଏକ ସାଧାରଣ ପରିବାରରୁ ମଧ୍ୟ ଏକ ବଡ଼ ସ୍ୱପ୍ନର ଜନ୍ମ ନେଇଥିଲା।
ଆଡେନ୍ର ଏକ ପେଟ୍ରୋଲ୍ ପମ୍ପରେ କାମ କରୁଥିବା ଜଣେ ଯୁବକଙ୍କ ପାଖରେ ନା ଥିଲା ବିପୁଳ ଧନ, ନା ଥିଲା ବଡ଼ ପରିଚୟ।
ସେ ଥିଲେ ଆମ ଜେଜେବାପା ଧୀରୁଭାଇ ଅମ୍ବାନୀ।
ସେ ପ୍ରମାଣ କରିଥିଲେ ଯେ ଜଣେ ସାଧାରଣ ଭାରତୀୟ ମଧ୍ୟ ଅସାଧାରଣ ସ୍ୱପ୍ନ ଦେଖିପାରେ ଓ ସେଗୁଡ଼ିକୁ ସାକାର କରିପାରେ।
ତା'ପରେ ମୋ ବାପା ଏକ ସ୍ୱପ୍ନ ଦେଖିଥିଲେ।
ସେହି ସ୍ୱପ୍ନ ଥିଲା, ଭାରତ କାହାଠାରୁ ପଛରେ ରହିବ ନାହିଁ।
ଜାମନଗରର ଅନାବାଦି ଜମିରେ ବିଶ୍ୱର ସବୁଠାରୁ ବଡ଼ ବିଶୋଧନାଗାର ନିର୍ମାଣ କରି ସେ ଏହାକୁ ପ୍ରମାଣ କରିଥିଲେ।
ସେ ଦେଖାଇଥିଲେ ଯେ ଭାରତ ଯେତେବେଳେ କିଛି ନିର୍ମାଣ କରେ, ସେତେବେଳେ ସମଗ୍ର ବିଶ୍ୱ ତାହାକୁ ଦେଖେ।
ତା'ପରେ ଆସିଲା ନୂଆ ଭାରତ, ଯୁବ ଭାରତ ଓ ଏକ ନୂଆ ସ୍ୱପ୍ନ।
ପ୍ରତ୍ୟେକ ଲୋକଙ୍କ ହାତରେ ଇଣ୍ଟରନେଟ୍ ଓ ପ୍ରତ୍ୟେକ ଗାଁ ସହିତ ସମଗ୍ର ବିଶ୍ୱର ସଂଯୋଗ।
ସେହି ସ୍ୱପ୍ନର ନାମ ଥିଲା ଜିଓ।
ଏହି ସ୍ୱପ୍ନର ମଞ୍ଜି ଈଶା ଦିଦିଙ୍କ ଦ୍ୱାରା ବୁଣାଯାଇଥିଲା ଓ ଆକାଶ ଭାଇ ତାହାକୁ ନିଜର ସ୍ୱପ୍ନ କରିନେଇଥିଲେ ବୋଲି ସେ କହିଥିଲେ।
ଜିଓ କିଭଳି ସମାଜର ପ୍ରତିଟି ବର୍ଗର ଲୋକଙ୍କ ଜୀବନ ବଦଳାଇଥିଲା ତାହାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ଜିଓ ନିବେଶକଙ୍କ ପାଇଁ ଆଗୁଆ ଦୀପାବଳି ବଜାର ପୁଞ୍ଜି ୧୩ ଲକ୍ଷ କୋଟି ଟପିଲା ଜିଓ ଉପରେ ୫୩ କୋଟି ସଦସ୍ୟ ଭରସା କରୁଛନ୍ତି।
ଜିଓ ଆପଣମାନଙ୍କ ଦ୍ୱାରା ଗଢ଼ାଯାଇଛି।
ଆପଣମାନଙ୍କ ସ୍ୱପ୍ନ ପୂରଣ କରିବା ହିଁ ଆମର ସ୍ୱପ୍ନ ବୋଲି ଅନନ୍ତ କହିଥିଲେ।
ରିଲାଏନ୍ସ ଆଗକୁ ମଧ୍ୟ ନୂଆ ନୂଆ ସ୍ୱପ୍ନ ଦେଖିବ ଓ ସେଗୁଡ଼ିକୁ ସାକାର କରିବାକୁ ଉଦ୍ୟମ କରିବ।
କିନ୍ତୁ ଏହାର ମୂଳଦୁଆ ସବୁବେଳେ ସମାନ ରହିବ ବୋଲି ସେ କହିଥିଲେ।
ଜିଓ ପରିବାରର ପ୍ରତିଟି ସଦସ୍ୟ, କର୍ମଚାରୀ, ବୈଷୟିକ କର୍ମଚାରୀ, ଇଞ୍ଜିନିୟର, ସର୍ଭିସ୍ କର୍ମଚାରୀ, ଷ୍ଟୋର୍ କର୍ମଚାରୀ, ଖୁଚୁରା ବ୍ୟବସାୟୀ ସହଯୋଗୀଙ୍କ ପ୍ରତି ସେ କୃତଜ୍ଞତା ଜଣାଇଥିଲେ।
ଆପଣମାନଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।
ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ଦୃଢ଼ ଯେ ଆଗାମୀ ଦିନ ଭାରତର ଓ ଭାରତର ଭବିଷ୍ୟତ ଏହାର ଯୁବପିଢ଼ିଙ୍କର।
ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ରିଲାଏନ୍ସ ଓ ଜିଓକୁ ଆପଣମାନେ ସବୁଠାରୁ ଆଗରେ ଠିଆ ହୋଇଥିବା ଦେଖିବେ।
ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ର ସେୟାର ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ସହ ଜିଓ ନିବେଶକମାନଙ୍କ ଲାଗି ଆଗୁଆ ଦୀପାବଳି ଆସିଛି।
ପ୍ରଥମ କାରବାର ଅଧିବେଶନରେ ଜିଓ ନିବେଶକମାନଙ୍କ ସମ୍ପତ୍ତିରେ ୨.୭୦ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିଛି।
ଯେକୌଣସି ଭାରତୀୟ କମ୍ପାନି ଦ୍ବାରା ଷ୍ଟକ୍ ବଜାର ପ୍ରବେଶ ସମୟରେ ଏହା ହେଉଛି ସର୍ବବୃହତ ସଫଳତା।
ପ୍ରଥମ ଦିନରୁ ଜିଓ ସେୟାର କିଣିବା ପାଇଁ ନିବେଶକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।
ଫଳରେ ଏହାର ସେୟାର ମୂଲ୍ୟ ୨୬.୮% ବୃଦ୍ଧି ପାଇ ୧୪୧୯ ଟଙ୍କାରେ ପହଞ୍ଚିଥିଲା।
ଜିଓ ପ୍ଲାଟଫର୍ମସ୍ର ବଜାର ପୁଞ୍ଜି ୧୩.୦୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଯାହା ଏହାର ଆଇପିଓ ମୂଲ୍ୟାଙ୍କନ ୧୦.୩ ଲକ୍ଷ କୋଟି ଟଙ୍କାଠାରୁ ଯଥେଷ୍ଟ ଅଧିକ।
ଏଥି ସହିତ ବଜାର ପୁଞ୍ଜି ଦୃଷ୍ଟିରୁ ଜିଓ ପ୍ଲାଟଫର୍ମସ୍ ଦେଶର ଦ୍ବିତୀୟ ସର୍ବବୃହତ୍ କମ୍ପାନିରେ ପରିଣତ ହୋଇଛି।
ଭାରତୀ ଏୟାରଟେଲ୍ର ବଜାର ପୁଞ୍ଜିଠାରୁ ଜିଓ ପ୍ଲାଟଫର୍ମସ୍ର ବଜାର ପୁଞ୍ଜି ପ୍ରାୟ ୮୦ ହଜାର କୋଟି ଟଙ୍କା ଅଧିକ ହୋଇଛି।
ଜିଓ ପ୍ଲାଟଫର୍ମସ୍ ୭୮ କୋଟିରୁ ଅଧିକ ଅଂଶଧନକାରୀଙ୍କୁ ସେୟାର ପିଛା ୧୧୧୯ ଟଙ୍କାରେ ସେୟାର ଆବଣ୍ଟନ କରିଥିଲା।
ତାହା ସେୟାର ପିଛା ୧୩୫୮ ଟଙ୍କାରେ ଲିଷ୍ଟିଂ (ତାଲିକାଭୁକ୍ତ) ହୋଇଥିଲା।
ଏହି ସଫଳତା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ସର୍ବବୃହତ୍ ବ୍ୟବସାୟିକ ସମୂହରେ ପରିଣତ ହୋଇଛି।
ଏହା ଟାଟା ସମୂହକୁ ପଛରେ ପକାଇ ଦେଇଛି।
ଆଜି ଉଭୟ ବିଏସ୍ଇ ଓ ଏନ୍ଏସ୍ଇରେ ଜିଓ ସେୟାରକୁ ନେଇ ୨୬ହଜାର କୋଟି ଟଙ୍କାର କାରବାର ହୋଇଥିଲା।
ଡେଲିଭରି ଶତାଂଶ ୭୦%ରୁ ଅଧିକ ଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
