wildlife conflict Odisha କନ୍ଧମାଳରେ ହାତୀ ଉତ୍ପାତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
"ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଛି।
ବନ ବିଭାଗର ସାମ୍ପ୍ରତିକ ବ୍ୟବସ୍ଥା ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।
ଏଣୁ ତୁରନ୍ତ ଏକ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିବା ଓ ହାତୀଙ୍କ ଠାରୁ ଧନଜୀବନ ସୁରକ୍ଷା ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଘୁମୁସର ଉଦୟଗିରିର ବୁଦ୍ଧିଜୀବୀ ଆଜି (ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ସା୍ମାରକପତ୍ର ଦେଇଛନ୍ତି।
Advertisment ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏଥିରେ ଦର୍ଶାଯାଇଛି, କନ୍ଧମାଳ ବିଶେଷତଃ ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ବନାଞ୍ଚଳ ସଂଲଗ୍ନ ଗ୍ରାମଗୁଡ଼ିକରେ ହାତୀ ଉପଦ୍ରବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି।
ଗତ କିଛି ଦିନ ମଧ୍ୟରେ ହାତୀ ଆକ୍ରମଣରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଛି।
୧୩ଟି ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି।
ଏଥିସହ ଶହ ଶହ ଏକର ଚାଷଜମି ନଷ୍ଟ ହୋଇଥିବା ବେଳେ ଅନେକ ଘରବାଡ଼ି ଭାଙ୍ଗିଯାଇଛି।
ସନ୍ଧ୍ୟା ହେଲେ ହାତୀପଲ ଗାଁ ମଧ୍ୟକୁ ପଶି ଆସୁଥିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଚାଷୀଙ୍କ ଜୀବିକା ଓ ସାଧାରଣ ଲୋକଙ୍କ ନିତ୍ୟଜୀବନ ବାଧାପ୍ରାପ୍ତ ହେଉଛି।ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ଗ୍ରହଣ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।
ବୁଦ୍ଧିଜୀବୀମାନେ ଦାବି କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ର୍ୟାପିଡ୍ ରେସ୍ପନ୍ସ ଟିମ୍ (RRT) ଗଠନ।
୨୪ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ ବ୍ୟବସ୍ଥା।
ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ନିୟମିତ ପାଟ୍ରୋଲିଂ।
କ୍ଷତିଗ୍ରସ୍ତ ଚାଷୀ ଓ ପରିବାରଗୁଡ଼ିକୁ ତୁରନ୍ତ ଓ ଉଚିତ କ୍ଷତିପୂରଣ।
ହାତୀ ଚଳପ୍ରଚଳ ଅଞ୍ଚଳରେ ଆଧୁନିକ "ଅର୍ଲି ୱାର୍ନିଂ ସିଷ୍ଟମ୍" ଏବଂ ସୁରକ୍ଷା ବାଡ଼ ନିର୍ମାଣ।
ଏହି ଦାବିପତ୍ରର ନକଲ ବନ ଓ ପରିବେଶ ମନ୍ତ୍ରୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କନ୍ଧମାଳ ଜିଲ୍ଲାପାଳ ଏବଂ ଡିଏଫଓଙ୍କ ନିକଟକୁ ମଧ୍ୟ ପଠାଯାଇଛି।
ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବୃହତ୍ତର ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଦାବିପତ୍ରପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ବାଘ, ଫିଲିମନ ନାୟକ, ମିଡ଼ିଆ ବ୍ଲକ ସଭାପତି ଅରୁଣ ଷଡ଼ଙ୍ଗୀ, ଅନିଲ ଦଳବେହେରା, ଟାର୍ଜନ ସାହୁ, ଗଗନ ପ୍ରଧାନ, ନୀଳମାଧବ ପ୍ରଧାନ, ସଞ୍ଜୀବ ଦିଗାଲ, ଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
"