Why Did IPS Jagmohan Meena Resigns: ଚାକିରିରୁ ମୋହ ତୁଟାଇଲେ ଭୁବନେଶ୍ବର ଡିସିପି, ଇସ୍ତଫାକୁ ନେଇ ପାୱାର୍ କରିଡରରେ ଚହଳ
କାହିଁକି IPS ଚାକିରି ଛାଡିଲେ ଜଗମୋହନ ମୀନା ? କୌଣସି ଚାପ ପାଇଁ ଇସ୍ତଫା ଦେଲେ କି ଭୁବନେଶ୍ବର ଡିସିପି ? ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଦେଲା କି ବଡ଼ ଟେନ୍ସନ ? ସବୁ ମହଲରେ ଚର୍ଚ୍ଚା, ସବୁଠି ଆଲୋଚନା, ଅନେକଙ୍କ ଭିତରେ ପ୍ରଶ୍ନ। ୧୩ ବର୍ଷର ଚାକିରି, ୩ ଗୁରୁତ୍ବପୂର୍ଣ୍ଣ ପୋଲିସ ମେଡାଲ, ୨୦୧୯ରେ ପୋଲିସ ବୀରତା ପଦକ, ୨୦୨୧ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ଓ ୨୦୨୩ରେ ରାଜ୍ୟପାଳ ପଦକ। ଗଞ୍ଜାମରୁ ଅନୁଗୁଳ ଯାଏଁ ବନିଥିଲେ ଏସପି। ପରେ କଟକ ଓ ତା’ପରେ ୨୦୨୫ ଫେବ୍ରୁଆରୀରୁ ଭୁବନେଶ୍ବର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଡିସିପି ଦାୟିତ୍ବ ତୁଲାଉଥିଲେ।
ଆଉ ୬ ମାସ ପରେ ପଦୋନ୍ନତି ପାଇ ହୋଇଥାନ୍ତେ ଡିଆଇଜି। ତା ଆଗରୁ ହଠାତ୍ ଇସ୍ତଫା, ନାନା କଳ୍ପନା ଜଳ୍ପନା ସୃଷ୍ଟି କରିଛି। ରାଜ୍ୟ ରାଜଧାନୀର ଡିସିପି ଭଳି ପଦରେ ଥିଲେ ଚାପ ତ ସ୍ବାଭାବିକ ରହିବ। କିନ୍ତୁ ଇସ୍ତଫା ପଛର ରହସ୍ୟ କ’ଣ ? ରାଜନୈତିକ ହସ୍ତକ୍ଷେପ ନା ମାନସିକ ଅବସାଦରୁ ବର୍ତ୍ତିବା ପାଇଁ ନିଷ୍ପତ୍ତି ? ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଇସ୍ତଫାକୁ ବ୍ୟକ୍ତିଗତ କହି ଆହୁରି ରହସ୍ୟ ବଢ଼ାଇଛନ୍ତି ଜଗମୋହନ। ତାସହ କହିଛନ୍ତି, କୌଣସି ଚାପ ନଥିଲା। ଓଡ଼ିଶା ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ଓଡ଼ିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି।
ଯୁବ IPS ଜଗମୋହନ ମୀନା ଜଣେ ଦକ୍ଷ IIT ପାସଆଉଟ। ବି-ଟେକ୍ ପରେ ଏମଟେକ୍ ମଧ୍ୟ କରିଛନ୍ତି। ଆଇଟି ଟେକ୍ନୋଲୋଜିରେ ଧୂରନ୍ଧର ଜଗମୋହନ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେବାପରଠୁ ସାଇବର ଅପରାଧ ସଂପର୍କିତ ମାମଲାକୁ ବେଶ ଗୁରୁତ୍ବ ଦେଉଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଏକାଧିକ ସାଇବର ଅପରାଧୀଙ୍କୁ ବାନ୍ଧିବା କ୍ଷେତ୍ରରେ ଦେଶରେ ବେଶ ଚର୍ଚ୍ଚିତ ନାଁ ଜଗମୋହନ ମୀନା। କିନ୍ତୁ ଗତ କିଛିଦିନ ତଳେ ଚୁପଚାପ୍ ନିଜର ଇସ୍ତଫା ପତ୍ର ପକାଇଦେଇଛନ୍ତି। ଯାହା ଏଯାଏଁ ଗ୍ରହଣ ଅପେକ୍ଷାରେ ରହିଛି। ଚର୍ଚ୍ଚା ହେଉଛି, ରାଜସ୍ଥାନରେ ଥିବା ନିଜ ସମ୍ପର୍କୀୟଙ୍କ ଏକ ଘରୋଇ ସଂସ୍ଥାର ଦାୟିତ୍ବ ନେବେ। କିନ୍ତୁ ସ୍ପଷ୍ଟ କରିନାହାଁନ୍ତି ମୀନା। ବରଂ ଇସ୍ତଫା ଭଳି ଚରମ ନିଷ୍ପତ୍ତି ପୂର୍ବରୁ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଦୀର୍ଘ ଦିନରୁ ଇସ୍ତଫା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି। ଭବିଷ୍ୟତରେ ଯାହା ବି କରିବି, ତାହା ବ୍ୟକ୍ତିଗତ ବୋଲି କହିଛନ୍ତି ମୀନା।
୧୩ ବର୍ଷ ଧରି ସେବା ଯୋଗାଇବା ଭିତରେ ଜଣେ ଯୁବ IPS ପଦପଦବୀ ସହ ହଠାତ ଚାକିରୀରୁ ଇସ୍ତଫା ଦେବା, ଓଡ଼ିଶା ପୋଲିସ ଇତିହାସରେ ନିଶ୍ଚୟ ବିରଳ ଘଟଣା। ପୂର୍ବତନ ଡିଜିପି ସଂଜୀବ ମାରିକଙ୍କ କହିବା କଥା, ପୋଲିସ ଚାକିରୀରେ ଅନେକ ସମୟରେ ଅନେକ ଆଡୁ ଚାପ ଆସେ। କିନ୍ତୁ ଚାପ ପାଇଁ କେହି ଚାକିରୀ ଛାଡ଼ନ୍ତି ନାହିଁ। ହୁଏତ ପାରିବାରିକ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ କ୍ୟାରିୟର ପାଇଁ ଚାକିରୀ ଛାଡ଼ିବାକୁ ଜଗମୋହନ ନିଷ୍ପତ୍ତି ନେଇଥିବେ।
ଅନେକ ଯୁବପୀଢ଼ିଙ୍କ ସ୍ବପ୍ନ ଥାଏ IAS କି IPS ହେବା। ଆଉ ସେହି ସ୍ବପ୍ନକୁ ସାକାର କରି ଜଗମୋହନ ମୀନା ବନିଥିଲେ ଓଡ଼ିଶା କ୍ୟାଡର୍ ଅଫିସର। କିନ୍ତୁ କାହିଁକି ହଠାତ୍ ତୁଟିଗଲା IPS ଚାକିରିର ମୋହ ? ଲାଗିରହିଛି ସସପେନ୍ସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।