CM Reviews Rath Yatra Preparations: ରଥଯାତ୍ରା ପାଇଁ ଏଥର କର୍ଡନ ପାସ୍ ଟାଇଟ୍, ଅନଧିକୃତ ଲୋକଙ୍କ ଏଣ୍ଟ୍ରିରେ କଟକଣା

Jul 06, 2026 - 20:43
CM Reviews Rath Yatra Preparations: ରଥଯାତ୍ରା ପାଇଁ ଏଥର କର୍ଡନ ପାସ୍ ଟାଇଟ୍, ଅନଧିକୃତ ଲୋକଙ୍କ ଏଣ୍ଟ୍ରିରେ କଟକଣା

ଗତଥରର ଭୁଲ୍ ଏଥର ଯେମିତି ନହୁଏ। ରଥଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଯେମିତି ସୁନ୍ଦର ଅନୁଭୂତି ନେଇ ଘରକୁ ଫେରିବେ। ଆଜି ୨୦୨୬ର ଚୂଡ଼ାନ୍ତ ରଥ ସମନ୍ବୟ ବୈଠକରେ ଏ ନେଇ କଡ଼ା ତାଗିଦ୍ ସହ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହମ ମାଝୀ। ଗତଥର ରଥ ଟଣାରେ ଅହେତୁକ ବିଳମ୍ବ ଏଡ଼ାଇବାକୁ ଏଥର କର୍ଡନ ପାସ୍ କୁ ଟାଇଟ୍ କରାଯିବା ସହ ଅନଧିକୃତ ଲୋକେ ଯେପରି ପ୍ରବେଶ କରିପାରିବେ ନାହିଁ ତା ଉପରେ ରହିବ ଫୋକସ୍। ବିଶେଷ କରି ମହିଳା ଭକ୍ତଙ୍କ ପ୍ରତି କିଏ ଅସଦାଚରଣ କଲେ କଡ଼ା ଆକ୍ସନ ନେବାକୁ କହିଛନ୍ତି ସିଏମ୍। 

ଗତବର୍ଷ ଗୁଣ୍ଡିଚା ଯାତ୍ରାର। ସିଂହଦ୍ବାର ସାମ୍ନାରୁ ରାତି ପ୍ରାୟ 7ଟା 45 ପର୍ଯ୍ୟନ୍ତ ଘୁଞ୍ଚି ପାରିନଥିଲା ନନ୍ଦିଘୋଷ। ପାଖାପାଖି ଦେଢ଼ଘଣ୍ଟା ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ରହିଥିଲା ତାଳଧ୍ବଜ। ଏହା ବାଦ୍ ରଥ କର୍ଡନ ଭିତରେ ଏତେ ଲୋକ ରହିଗଲେ ଯେ ରଥଟଣାଠୁ ମୋଡ଼ ପର୍ଯ୍ୟନ୍ତ ସବୁଥିରେ ଘଟିଥିଲା ବିଭ୍ରାଟ। ଖାଲି ସେତିକି ନୁହେଁ, ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲିରେ ଭୋର୍ ସମୟରେ ଦଳାଚକଟା ଘଟି ପ୍ରାଣ ହରାଇଥିଲେ ୩ ଜଣ ଭକ୍ତ। 

ଏଭଳି ଅଘଟଣ ସବୁ ଏଡ଼ାଇବାକୁ ଆଜି ପୁରୀରେ ଅନୁଷ୍ଠିତ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଛନ୍ତି ୧୦ ସୂତ୍ରୀ ନିର୍ଦ୍ଦେଶ। ତା ଭିତରୁ ପ୍ରମୁଖ ବିନ୍ଦୁ ହେଲା- ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ୍ ସହିତ ରଥ ଇନର୍ କର୍ଡନ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ। ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ରିଅଲ୍ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ଭାବେ AI ଓ DRONE ବ୍ୟବହାର। ନୀତିକାନ୍ତି ଠିକ୍ ସମୟରେ କରିବା ଓ ନୀତିକାନ୍ତି ସଂପର୍କରେ ଭକ୍ତଙ୍କୁ ଆଗୁଆ ସୂଚନା ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍। ପାଣିପାଗ ପୂର୍ବାନୁମାନକୁ ଦେଖି ବର୍ଷା କିମ୍ବା ଗୁଳୁଗୁଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଓ ଏଥିପାଇଁ ସୋସିଆଲ ମିଡିଆ ଉପରେ ସାଇବର୍ ଟିମ୍ ଫୋକସ୍ ରଖିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୨ ତାରିଖ ମଧ୍ୟରେ ସମସ୍ତ ବାକି କାର୍ଯ୍ୟ ଶେଷ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଅଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ସମସ୍ତ ନୀତି ଶୃଙ୍ଖଳିତ ଓ ସମୟ ଅନୁସାରେ କରିବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।