Akshay Kumar Cape of Good Films: ହେରା ଫେରି ୩'କୁ ନେଇ ନୂଆ ମୋଡ଼! ଅକ୍ଷୟ କୁମାରଙ୍କ ବ୍ୟାନରର ବଡ଼ ଦାବି
ବହୁ ଚର୍ଚ୍ଚିତ କମେଡି ଫିଲ୍ମି 'ହେରା ଫେରି ୩'କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଡକ୍ସନ୍ କମ୍ପାନୀ Cape of Good Films LLP ସାର୍ବଜନୀନ ଭାବେ ଏକ ଆଇନଗତ ନୋଟିସ୍ ଜାରି କରି ଦାବି କରିଛି ଯେ 'ହେରା ଫେରି ୩'ର ନିର୍ମାଣ, ବିତରଣ, ବିପଣନ ଓ ବ୍ୟବସାୟିକ ବ୍ୟବହାର ସମ୍ପର୍କିତ ସମସ୍ତ ବିଶ୍ୱବ୍ୟାପୀ ଅଧିକାର କେବଳ ସେମାନଙ୍କ ପାଖରେ ରହିଛି।
୪ ଜୁଲାଇ ୨୦୨୬ରେ ପ୍ରକାଶିତ ଏହି ନୋଟିସ୍ରେ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, କମ୍ପାନୀର ପୂର୍ବ ଲିଖିତ ଅନୁମତି ବିନା 'ହେରା ଫେରି ୩' ସମ୍ପର୍କିତ କୌଣସି ଚୁକ୍ତି, ଆଲୋଚନା କିମ୍ବା ବ୍ୟବସାୟିକ କାରବାର କୌଣସି ତୃତୀୟ ପକ୍ଷ ସହ କରନ୍ତୁ ନାହିଁ।
ଏହି ନୋଟିସ୍ ବିତରକ, ସିନେମା ଚେନ୍, OTT ପ୍ଲାଟଫର୍ମ, ଟେଲିଭିଜନ ପ୍ରସାରଣକାରୀ, ଡିଜିଟାଲ୍ ପ୍ଲାଟଫର୍ମ, ବିଜ୍ଞାପନଦାତା, ଲାଇସେନ୍ସଦାତା ଓ ଫିଲ୍ମ ବ୍ୟବସାୟ ସହ ଜଡ଼ିତ ସମସ୍ତ ସଂସ୍ଥାଙ୍କ ପାଇଁ ଜାରି କରାଯାଇଛି। କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ନୋଟିସ୍କୁ ଅବହେଳା କରି କୌଣସି ପକ୍ଷ ବ୍ୟବସାୟ କଲେ, ତାହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ।
ଏହି ଘୋଷଣା ଏପରି ସମୟରେ ଆସିଛି, ଯେତେବେଳେ 'ହେରା ଫେରି ୩' ଲଗାତାର ବିବାଦରେ ରହିଛି। ନିକଟରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏହି ପ୍ରକଳ୍ପରୁ ଓହରିଯାଇଥିବା ବେଳେ, ପ୍ରଯୋଜକ ଫିରୋଜ ନାଦିଆଡୱାଲାଙ୍କ ବିରୋଧରେ ଅସମ୍ମାନଜନକ ବ୍ୟବହାରର ଅଭିଯୋଗ ମଧ୍ୟ ଆଣିଥିଲେ। ଏହାପୂର୍ବରୁ ଅଭିନେତା ପରେଶ ରାୱଲଙ୍କ ପ୍ରକଳ୍ପରୁ ବାହାରିବା ଓ ପରେ ପୁଣି ଫେରିବା ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା।
ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ପରେଶ ରାୱଲଙ୍କ ପୁନର୍ମିଳନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲେ ମଧ୍ୟ, ଆଇନଗତ ବିବାଦ ଓ ପ୍ରଡକ୍ସନ୍ର ଅନିଶ୍ଚିତତା ଯୋଗୁଁ ଫିଲ୍ମର ଭବିଷ୍ୟତ ଏବେ ବି ସ୍ପଷ୍ଟ ହୋଇନାହିଁ। ତେବେ ଅକ୍ଷୟ କୁମାରଙ୍କ ବ୍ୟାନରର ଏହି ନୂଆ ଦାବି ପରେ 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି ଏବଂ ଏବେ ସମସ୍ତଙ୍କ ନଜର ଏହି ପ୍ରକଳ୍ପର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।