What I think: ଯାହା ମୁଁ ଚିନ୍ତଇ: ପୁରୁଣା ଗପ, ନୂଆ ଗପ

Sep 01, 2026 - 05:26
What I think: ଯାହା ମୁଁ ଚିନ୍ତଇ: ପୁରୁଣା ଗପ, ନୂଆ ଗପ

"ଶ୍ୟାମାପ୍ରସାଦ ଚୌଧୁରୀ ମଣିଷ ବୋଧହୁଏ ଏକମାତ୍ର ପ୍ରାଣୀ, ଯିଏ ଗପ କହେ!

ପରେ, ତାକୁ ଇ ପୁଣି କେବେ ଅଲଗା ପ୍ରକାରେ କହେ ତ ଆଉ କେବେ ନୂଆ ଗୋଟେ ଗପ କରି ଶୁଣାଏ ବା ଦେଖାଏ!

ଅନ୍ୟ ପ୍ରାଣୀମାନଙ୍କଠାରୁ ଖାସ୍ ଅଲଗାପଣ ଖୋଜିବାବେଳେ ଆଗରୁ, ମଣିଷର ବୁଦ୍ଧି, ଭାଷା, ଯୁକ୍ତି, ଉଦ୍ଭାବନ, ଏମିତିକି ଉପକରଣ ଆଦି ତିଆରି କରିପାରିବାର କ୍ଷମତା କଥା ଚିନ୍ତା କରିଥିଲି!

ଦେଖିଥିଲି ବି, କେବଳ ମଣିଷ ଇ ତ ଖେଳେ, ସମାଲୋଚନା କରେ, ଉତ୍ସବ ପାଳନ କରେ, ରାନ୍ଧେ, ପୁରୁଣା କଥାକୁ ସଂଶୋଧନ କରେ, ଅନୁବାଦ କରେ ଏବଂ କାହାଣୀ କହେ!

ଏମିତି ଅନେକ ଅନନ୍ୟତା!Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ଏଇ କିଛିଦିନ ତଳେ ହଠାତ୍ ଲକ୍ଷ୍ୟ କଲି, ୨୦୦୩ରେ ପ୍ରକାଶିତ ପ୍ରସିଦ୍ଧ ଓ ମୋର ପ୍ରିୟ ଅନୁବାଦକ, ଭୂତପୂର୍ବ ମୁଖ୍ୟମନ୍ତ୍ରୀ, ଜାନକୀବଲ୍ଲଭ ପଟ୍ଟନାୟକ, ବ୍ୟାସକୃତ ମହାପୁରାଣର ଗଦ୍ୟାନୁବାଦ କରି "ଶ୍ରୀମଦ୍ଭାଗବତ"ର ଦ୍ବିତୀୟ ସ୍କନ୍ଧର ପ୍ରସ୍ତାବନାରେ ଠାଏ ଲେଖିଛନ୍ତି, ମଣିଷ ହେଉଛି ଏକମାତ୍ର ଜୀବନ୍ତ ସ୍ଥିତି, “ଯାହା ନିଜର ସ୍ରଷ୍ଟାକୁ ପ୍ରାର୍ଥନା ଓ ପୂଜା କରେ""।

ହୁଏତ ଅନ୍ୟ କୌଣସି ପ୍ରାଣୀ, ମଣିଷପରି ନାନା ସ୍ଥୂଳ ଆଚରଣ ଓ ଅନୁକରଣ କରିଥାନ୍ତି!

କିନ୍ତୁ ବିସ୍ମୟକୁ ବିଶ୍ୱାସରେ ତ ପରିଣତ କରିପାରନ୍ତି ନାହିଁ!

ନିୟମ କି ବୌଦ୍ଧିକ ପରମ୍ପରା ତିଆରି କରିପାରନ୍ତି ନାହିଁ!

ତା" ଛଡ଼ା, ମଣିଷ ଏକା ହିଁ, ଗୋଟେ କଥାକୁ ବାରମ୍ବାର ବଦଳେଇ ଦେଇଥାଏ।

ଗୋଟେ "କାଳ୍ପନିକ ସତ୍ୟ"କୁ ମଧ୍ୟ ଗପରେ ଯିଏ ଲୁଚେଇପାରେ, ସେ କେବଳ ମଣିଷ।

ଭାବେ, ମଣିଷର ସବୁଠୁ ବେଶୀ ଆଶ୍ଚର୍ଯ୍ୟଜନକ କ୍ଷମତାଟି ବୋଧହୁଏ, ଅସମ୍ଭବକୁ କଳ୍ପନା କରିବା ଏବଂ ତାକୁ ଇ ଚିତ୍ର, ଧ୍ବନି, ଅଙ୍ଗଭଙ୍ଗୀ, ଲିପି ଆଦିରେ "ଅନୁବାଦ" କରିବା!

ଯାହା ନିଜ ପାଖରେ ଅଛି, ତାକୁ କେବଳ ସେ ଦେଖେ ନାହିଁ; ଯାହା ନାହିଁ, ତାକୁ ମଧ୍ୟ, ମନ ଭିତରେ ତିଆରି କରି ଦେଇପାରେ।

ନିଜକୁ ସେ ଉଡ଼େଇ ପାରେ, ବୁଡ଼େଇ ବି ପାରେ!

ଏପରି ଭାବନା ପାଇଁ ଅନନ୍ୟ ଅନୁଭବ ନୁହେଁ, ଅଲଗା ଅନୁମାନ ଟିକକ ଯଥେଷ୍ଟ ହୁଏ।

ଲୁଇସ୍ କ୍ୟାରଲଙ୍କ "ଥ୍ରୁ ଦ ଲୁକିଂ ଗ୍ଲାସ୍" (ଦର୍ପଣ ଭିତର ଦେଇ) ଗପର ଆଲିସ୍ ଯେତେବେଳେ "ଅସମ୍ଭବ" କଥାକୁ କିଏ ଅବା ବିଶ୍ବାସ କରିବ ବୋଲି ପ୍ରଶ୍ନ କରୁଛି, ସେଇ ଗପର ଧଳା ରାଣୀ କହୁଛି, “ସେଇ ଅଭ୍ୟାସ ତୁ ଆହୁରି କରିନୁ, ଆଲିସ୍!

ମୁଁ ତ ପ୍ରତିଦିନ ବ୍ରେକଫାଷ୍ଟ ଆଗରୁ ଛଅଟା ଅସଂଭବ କଥାକୁ ବିଶ୍ବାସ କରିପକାଏ!"" ପ୍ରତ୍ୟେକ କାହାଣୀର ଆରମ୍ଭ ହୁଏ, କିଛି ସାଧାରଣରେ ଅସଂଭବ କଥାର କଳ୍ପନାରୁ!

ଗପ ଯଦି ସତ, କହିବ ଜଣେ କାହିଁକି?

ଆଉ ଯଦି ଅବିଶ୍ବାସ୍ୟ ନୁହେଁ, ଜଣେ କହିବ ପୁଣି କ"ଣ?

ମୋ ଭାବିବାରେ, ପ୍ରତ୍ୟେକ କାହାଣୀର ଗୋପନ ଇଚ୍ଛା ହେଉଛି, ଅବିଶ୍ବାସ୍ୟ ହେଇଯିବା, ଅଥଚ ଅନ୍ୟ କାହାର ମନ ଭିତରେ ସତ ବୋଲି ପ୍ରତ୍ୟୟ ସୃଷ୍ଟି କରେଇବା!

ମଣିଷ କେବଳ ଗପ କହେ ନାହିଁ; ଅନ୍ୟର ମନରେ ଅସ୍ତିତ୍ୱହୀନ ଜଗତଟେ ତିଆରି କରାଏ।

ନାରଦ ବ୍ରହ୍ମାଙ୍କ ଠାରୁ "ଶୁଣିଥିବା" ଭାଗବତ ଜ୍ଞାନକୁ ତାଙ୍କ ଶିଷ୍ୟ ବ୍ୟାସଙ୍କ ଦ୍ବାରା ବିସ୍ତାରିତ କରେଇଲେ!

ପରେ ତାଙ୍କ ପୁତ୍ର ଓ ଶିଷ୍ୟ ଶୁକଙ୍କର ମୁଖନିଃସୃତ ଅବିଶ୍ବାସ୍ୟ ବାଣୀ ହେଇ ଲିପିବଦ୍ଧ ହେଲା, "ଶ୍ରୀମଦ୍ଭାଗବତ"ର ୧୮,୦୦୦ ଶ୍ଳୋକରେ!

ମଣିଷ ତା" ନିଜ ଚିନ୍ତାକୁ ଚିତ୍ରରେ, ଉଚ୍ଚାରଣରେ ଓ ଲେଖାରେ ବଦଳେଇ ଦେବା ହେଉଛି, ଅନୁବାଦ!

ତାକୁ ଇ ପୁଣି, ନୂଆ ଚିନ୍ତାରେ ପରିଣତ କରିବା କ"ଣ କମ୍ ଅନୁସୃଜନ?

ମନେହୁଏ, କୌଣସି ନା କୌଣସି ପ୍ରକାରେ, ଅନୁବାଦ ନକରି ମଣିଷ ଜିଇ ପାରିବ ନାହିଁ।

ପ୍ରତିଟି ଅନୁଭବକୁ ଅର୍ଥରେ ପରିଣତ କରିବାକୁ ସତେ ଅବା ସେ ଅଭିଶପ୍ତ।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ ଧାର୍ମିକ ବିଶ୍ବାସକୁ ମଣିଷ ଆଲୋଚନା କରେ!

ଇତିହାସକୁ ବାରମ୍ବାର ଲେଖେ।

ନୀତି ଓ ନିୟମକୁ ବଦଳାଏ!

ପୁରୁଣା ଭାବନାକୁ ନୂଆ କରି କହେ!

ରାମାୟଣ ଓ ମହାଭାରତର ଅସଂଖ୍ୟ ରୂପାନ୍ତର ଏହାର ଦୃଷ୍ଟାନ୍ତ।

ତୁଳସୀ ରାମାୟଣରେ କୌଶଲ୍ୟା ଶିଶୁ ରାମଙ୍କର ଆଁରେ ବିରାଟ ରୂପ ଦେଖୁଛନ୍ତି, ଭାଗବତରେ ଯଶୋଦାଙ୍କୁ ଦିଶୁଛି, ଶିଶୁ କୃଷ୍ଣର ପାଟିରେ ବ୍ରହ୍ମାଣ୍ଡ!

ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀର ଗ୍ରୀକ୍ କବି ହୋମର, ତାଙ୍କଠାରୁ ଆହୁରି ଚାରି ଶହ ବର୍ଷ ପୂର୍ବର, କୌଣସି "ଶୁଣା ଗପ"କୁ ନେଇ ଯେଉଁ "ଓଡିସି" ମହାକାବ୍ୟ ଲେଖିଥିଲେ, ତାକୁ ଅନୁବାଦ କରିଛନ୍ତି ଅନେକେ!

ପ୍ରସିଦ୍ଧ ଚଳଚ୍ଚିତ୍ରକାର ନୋଲାନ୍ ମଧ୍ୟ ଏବେ ଏହାକୁ ନୂଆ ଗପଟିଏକୁ ରୂପାନ୍ତରିତ କରି ଉଭୟ ପ୍ରଶଂସା ଓ ନିନ୍ଦା ପାଇଛନ୍ତି!

କାବ୍ୟର ନାୟକ ଓଡିସିୟସ୍‌ଙ୍କୁ ନୋଲାନ୍ ଅଧିକ ଅନ୍ତର୍ଦ୍ୱନ୍ଦ୍ୱଗ୍ରସ୍ତ ମଣିଷଟେ କରିଦେଇଛନ୍ତି!

ନାୟିକା ହେଲେନ୍‌କୁ କୃଷ୍ଣକାୟା କରି ନିଜ ଭଉଣୀର ଯମଜା କରିଛନ୍ତି ଓ ଶେଷକୁ କାହାଣୀରେ ମୋଡ଼ ଆଣିଛନ୍ତି, ନାୟକ ଓ ତା" ପତ୍ନୀକୁ ଏକ ନୂଆ ଯାତ୍ରାରେ ପଠେଇ!

ତଥାପି, ପ୍ରଶଂସାରେ ପୋତି ଦେଇଛନ୍ତି ନୋଲାନ୍‌ଙ୍କୁ କୋଟିକୋଟି ଦର୍ଶକ, ଯେଉଁମାନେ ଗପ ହେଲେ ବି, ତାକୁ ସବୁବେଳେ ସତ ବୋଲି ମାନନ୍ତି!

ମୁଁ ଭାବୁଛି, ପୁନର୍କଥନ ମାନବୀୟ ଅନୁବାଦ ପରମ୍ପରାର ଏକ ଅପ୍ରତିରୋଧ୍ୟ ସୃଜନାତ୍ମକ ପ୍ରବୃତ୍ତି!

ସର୍ବଜନବିଦିତ ଚରିତ୍ର ଏବଂ ତା"ର କାହାଣୀକୁ ନିଜ ପ୍ରକାରେ କହିବାର ଅଧିକାର ଓ ଇଚ୍ଛା, ମଣିଷର କାଳେକାଳେ ଥାଏ ଓ ରହିବ!

ସୁଲେଖିକା ଶ୍ରୀମତୀ ସୁପ୍ରିୟା ପ୍ରଶାନ୍ତଙ୍କର ୨୦୨୩ରେ ପ୍ରକାଶିତ "ସାରଳା ମହାଭାରତର ଗଦ୍ୟ ରୂପାନ୍ତର"କୁ ପଢ଼ିବାବେଳେ ଓଡ଼ିଆ ଆଦିକବି ଯେ ମହାମୁନି ବ୍ୟାସଙ୍କ ମହାଭାରତକୁ ପରମ ପୁଲକରେ ନିଜ ମତେ କହିବାରୁ ପଛାଇ ନାହାନ୍ତି, ଏ କଥା ଅନୁଭବ କରିଛି!

ଯାହା ସତରେ ଅଛି, ଅନ୍ୟ ପ୍ରାଣୀମାନେ କେବଳ ସେଇ ଜଗତରେ ବଞ୍ଚନ୍ତି।

ଯାହା ନାହିଁ, ମଣିଷ ତାକୁ ପ୍ରଥମେ ଚିନ୍ତା କରେ ଏବଂ ପରେ କହେ ବା ଲେଖେ ବା ଆଙ୍କେ ବା ଅନ୍ୟର ମନରେ ଆଙ୍କି ହେଇଯିବାକୁ ଦିଏ!

ତାହା ହିଁ ତ ଜିଇବା!

ତାହା ହିଁ ଜୀବନ!

Anna Hazare: ଆନ୍ନା ହଜାରେ ଅସୁସ୍ଥ; ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍‌ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ପୁରୁଣା ଗପକୁ ଅନ୍ୟ ପ୍ରକାରେ ବା ଆଉ ଗୋଟେ ନୂଆ ଗପକରି କହିବା, ଆମର ଏତେ ଅସଂଭବ ଭାବରେ ଦରକାର ହୁଏ କାହିଁକି?

ପୁଣି, ଥରେଥରେ, ସେସବୁ କାହିଁକି ଏତେ ଅବିଶ୍ବାସ୍ୟ ମନେହୁଅନ୍ତି?

ପ୍ରଚଣ୍ଡ ବାକ୍-ସ୍ବାଧୀନତା ମଣିଷକୁ ତା" ନିଜସ୍ବ କଳ୍ପନାର ଦୁର୍ଜୟ ଦାସତ୍ବରୁ କ"ଣ ମୁକ୍ତି ଦେଇପାରେ? (ମତାମତ ଲେଖକଙ୍କ ନିଜସ୍ବ)ମୋ: ୮୯୦୨୧୯୪୯୪୯"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)