Wedding With Just 8 Guests: ଆଡମ୍ବର ବାହାଘରର ଟ୍ରେଣ୍ଡକୁ ବାଏ ବାଏ! ମାତ୍ର ୮ ଅତିଥିଙ୍କୁ ନେଇ ସରିଲା ରାଜକୀୟ ବିବାହ
ବାହାଘର କହିଲେ ଆଖି ଝଲସାଇଦେବା ଭଳି ସାଜସଜ୍ଜା, ବିଳାସପୂର୍ଣ୍ଣ ହୋଟେଲ୍, ଶହ ଶହ ଅତିଥି ଆଉ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ।
କିନ୍ତୁ ଏସବୁ ଆଡ଼ମ୍ବରଠାରୁ ଦୂରେଇ ମାତ୍ର ୮ ଜଣ ଅତିଥିଙ୍କ ଗହଣରେ ବିବାହ କରି ଏବେ ଚର୍ଚ୍ଚାରେ ମୁମ୍ବାଇର ଏକ ଯୋଡ଼ି।
ନା ଥିଲା ଶହ ଶହ ଅତିଥିଙ୍କ ଭିଡ଼, ନା ଥିଲା ବଡ଼ ହୋଟେଲ୍ର ଚାକଚକ୍ୟ।
ଆରବ ସାଗରକୁ ସାକ୍ଷୀ ରଖି ନିଜ ଘରର ଛାତରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି କ୍ରିଶା କୋଠାରୀ ଓ ଭରିଲ ଶାହ।
Advertisment ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି।
ବିଶେଷ କଥା ହେଉଛି, ମୁମ୍ବାଇରେ ନିଜ ପରିବାରର ଘରର ଟେରାସ୍ରେ ମାତ୍ର ୮ ଜଣ ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ ଆୟୋଜିତ ହୋଇଥିଲା।
ଗୋଟିଏ ପଟେ ଅସୀମ ଆରବ ସାଗର, ଅନ୍ୟପଟେ ମୁମ୍ବାଇ ସହରର ମନୋରମ ଦୃଶ୍ୟ ଆଉ ଆକାଶରେ ସୂର୍ଯ୍ୟାସ୍ତର ଲାଲିମା, ଏସବୁ ମିଶି ବିବାହକୁ କରିଥିଲା ଅବିସ୍ମରଣୀୟ।
ସରଳ ସାଜସଜ୍ଜାରେ ରାଜକୀୟ ଲୁକ୍ ବିବାହ ଦିନ କନ୍ୟା କ୍ରିଶା ଲାଲ୍ ଓ ସୁନେଲି ରଙ୍ଗର ସବ୍ୟସାଚୀ ଶାଢ଼ିରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।
ସେହିପରି ବର ଭରିଲ ମନୀଷ ମାଲହୋତ୍ରାଙ୍କ ଡିଜାଇନ୍ର ଧଳା ଓ ସୁନେଲି ରଙ୍ଗର ଶେରୱାନି ପିନ୍ଧିଥିଲେ।
ଟେରାସ୍କୁ ଧଳା ଫୁଲ ଓ ମହମବତୀରେ ସଜାଯାଇଥିଲା।
ସରଳ ସାଜସଜ୍ଜା ମଧ୍ୟରେ ଏହି ବିବାହର ରୂପ ଥିଲା ଖୁବ୍ ଆକର୍ଷଣୀୟ।
Advertisment ବିବାହର ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି ଅନେକ ମନଛୁଆଁ ମୁହୂର୍ତ୍ତ।
କେଉଁଠି ନବଦମ୍ପତି ପରସ୍ପରର ହାତ ଧରି ଠିଆ ହୋଇଛନ୍ତି ତ ଆଉ କେଉଁଠି ନିଜ ନିକଟତମ ଲୋକଙ୍କ ସାମ୍ନାରେ ବିବାହର ପ୍ରତିଶ୍ରୁତି ଦେଉଛନ୍ତି।
ମାତ୍ର ୮ ଜଣ ଅତିଥି ଉପସ୍ଥିତ ରହି ତାଳି ମାରି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଥିବା ଦୃଶ୍ୟ ମଧ୍ୟ ଫଟୋରେ କଏଦ ହୋଇଛି।
'ଆଡ଼ମ୍ବର ନୁହେଁ, ଭାବନା ହିଁ ମୁଖ୍ୟ' ବିବାହ ଆୟୋଜନ କରିଥିବା ଇନଷ୍ଟାଗ୍ରାମ ପେଜ୍ 'ଖୁସ୍ ୱେଡିଂ' ଏହି ଫଟୋଗୁଡ଼ିକୁ ସେୟାର କରି ଲେଖିଛି, “୮ ଜଣ ଅତିଥି, ସମୁଦ୍ର ମୁହାଁ ଟେରାସ୍ ଏବଂ ଏକ ବିବାହ, ଯେଉଁଠି ଆଡ଼ମ୍ବର ଅପେକ୍ଷା ଭାବନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।” ଏହି ଯୋଡ଼ି ପାରମ୍ପରିକ ବଡ଼ ଭାରତୀୟ ବିବାହର ଧାରାଠାରୁ ଅଲଗା ହୋଇ ନିଜ ଇଚ୍ଛା ଅନୁସାରେ ଏହି ବିଶେଷ ଦିନକୁ ପାଳନ କରିଛନ୍ତି।
ଏହି ଫଟୋଗୁଡ଼ିକ ଦେଖିବା ପରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ଏହି ଯୋଡ଼ିଙ୍କୁ ପ୍ରଶଂସା କରିଛନ୍ତି।
ଅନେକଙ୍କ ମତରେ, ବିବାହରେ ଅତିଥିଙ୍କ ସଂଖ୍ୟା କିମ୍ବା ଆୟୋଜନର ଆଡ଼ମ୍ବର ନୁହେଁ, ବରଂ ନିଜର ନିକଟତମ ଲୋକଙ୍କ ଉପସ୍ଥିତି ଓ ସେହି ମୁହୂର୍ତ୍ତର ଖୁସି ହିଁ ଅଧିକ ମହତ୍ତ୍ୱ ରଖେ।
ତେବେ ଏହି ନିଆରା ବିବାହ ଏକ ସୁନ୍ଦର ବାର୍ତ୍ତା ଦେଇଛି।
ବିବାହକୁ ସ୍ମରଣୀୟ କରିବା ପାଇଁ ସବୁବେଳେ ବଡ଼ ଆୟୋଜନର ଆବଶ୍ୟକତା ନାହିଁ।
ବେଳେବେଳେ ମୁଠାଏ ନିଜ ଲୋକ, ମନଭରା ଭଲପାଇବା ଆଉ ଏକ ସୁନ୍ଦର ପରିବେଶ ହିଁ ଯଥେଷ୍ଟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
