Voluntary Euthanasia Demand: ଟୋକନ୍‌ ନାହିଁ କି ଧାନ ଉଠୁନି, ଇଚ୍ଛାମୃତ୍ୟୁ ପାଇଁ ଯୁବଚାଷୀଙ୍କ ଆବେଦନ

Jun 25, 2026 - 12:36
Voluntary Euthanasia Demand: ଟୋକନ୍‌ ନାହିଁ କି ଧାନ ଉଠୁନି, ଇଚ୍ଛାମୃତ୍ୟୁ ପାଇଁ ଯୁବଚାଷୀଙ୍କ ଆବେଦନ

ବରଗଡ଼ ୨୫/୦୬: ବରଗଡ଼ ଜିଲ୍ଲାରେ ଚାଷୀଙ୍କୁ ଟୋକନ ମିଳୁନି କି ଧାନ ଉଠୁନି । ଏଥିରେ ଅତିଷ୍ଠ ହୋଇ ମେଲଚ୍ଛାମୁଣ୍ଡାର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏହାର ନକଲ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ :-  Rath Khala Update: ପାରାଭାଡ଼ି ଉଠି ରଥରେ ବସିଲା ଖପୁରି, ପଡ଼ିଲା ୬ ନମ୍ବର ହରିବୋଲ, ଚାଲିଛି ମହାପ୍ରଭୁଙ୍କ ସିଂହାସନ କାମ

ଗୋପାଳକୃଷ୍ଣ ଅଭିଯୋଗ କରିଛନ୍ତି, ରବି ଋତୁରେ ସେ ଅଢ଼େଇ ଏକର ଜମିରେ ଧାନ ଚାଷ କରିଥିଲେ । ଧାନବିକ୍ରି କରିବା ପାଇଁ ମେଲଛାମୁଣ୍ଡା ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ । ଅଦ୍ୟାବଧି ତାଙ୍କର ଟୋକନ ଆସିନାହିଁ । ସେ ଧାନ ବିକ୍ରି କରିପାରୁନାହାନ୍ତି । ବର୍ଷା ଆରମ୍ଭ ହୋଇଯାଇଥିବାରୁ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ, ଡିଆରସିଏସ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ସତ୍ତେ୍ୱ କେହି ଶୁଣୁନାହାନ୍ତି । ଘରେ ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଉଧାର ଆଣିଛନ୍ତି । ନବଜାତ ଶିଶୁ ସମେତ ୧୦ ପ୍ରାଣୀଙ୍କ ଖର୍ଚ୍ଚ ତୁଲାଇବା କଷ୍ଟକର ହେଉଛି । ଆର୍ଥିକ ସମସ୍ୟା ଯୋଗୁ ସେ ଚାପଗ୍ରସ୍ତ । ତେଣୁ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ସେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଜିଲ୍ଲାରେ ରବି ଧାନକିଣାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କ୍ଷୋଭ ବ୍ୟକ୍ତ କରିଛନ୍ତି । ସରକାର ଏହାର ସମାଧାନ କରିବାକୁ ସେ ଦାବି କରିଛନ୍ତି ।