ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍, ଘର ଭିତରୁ ଆସୁଥିଲା ‘ଫଁ-ଫଁ’ ଶବ୍ଦ; ପୁଲିସ୍ କବାଟ ଖୋଲିବା ମାତ୍ରେ ଉଡ଼ିଗଲା ହୋସ୍ !
ନୂଆଦିଲ୍ଲୀ, ୨୫।୬: ଏକ ଛୋଟିଆ ଫ୍ଲାଟ୍, ଆଉ ତାର ବିଜୁଳି ବିଲ୍ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ସେହି ବନ୍ଦ ଘର ଭିତରୁ ସଦାବେଳେ ଶୁଣାଯାଉଥିଲା ଭୟାନକ 'ଫଁ ଫଁ' ଶବ୍ଦ । ସନ୍ଦେହ ହେବାରୁ ଯେତେବେଳେ ପୁଲିସ ଘର ଭିତରକୁ ପଶିଲା, ସେଠାକାର ଦୃଶ୍ୟ ଦେଖି ଅଫିସରମାନେ ତାଜୁବ ହୋଇଗଲେ । ପୂର୍ବ ଚୀନର ଜେଜିଆଙ୍ଗ ପ୍ରାନ୍ତରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଗୋଟିଏ ବିଜୁଳି ବିଲ୍ ଏକ ବଡ଼ ଗୁପ୍ତ ରହସ୍ୟ ଉପରୁ ପରଦା ହଟାଇଛି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଉଲ୍ଲଂଘନ ଏବଂ ବେଆଇନ ସାପ ଚୋରା ଚାଲାଣ ଅଭିଯୋଗରେ ପୁଲିସ 'ଗୁଓ' ନାମକ ଜଣେ ବେକାର ଯୁବକ ଓ ତାର ସହଯୋଗୀ 'ଡି'କୁ ଗିରଫ କରି ଜେଲ୍ ପଠାଇଛି ।
ପାହାଡ଼ ତଳୁ ମିଳିଥିଲା ସୁରାଗ:
ଏହି ପୂରା ଘଟଣାର ଆରମ୍ଭ ୨୦୨୪ ମାର୍ଚ୍ଚ ମାସରେ ହୋଇଥିଲା । ତାଇଜୋଉ ଅଞ୍ଚଳରେ ଜଣେ ବୃଦ୍ଧ ପାହାଡ଼ ତଳେ ଏକ ବିଶାଳ ଏବଂ ଭିନ୍ନ ରଙ୍ଗର ସାପ ଦେଖି ପୁଲିସକୁ ଖବର ଦେଇଥିଲେ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଏହା ଏକ ବିଦେଶୀ ପ୍ରଜାତିର ଅଜଗର ଥିଲା, ଯାହାକୁ କେହି ପୋଷା ରଖିଥିଲା ଏବଂ ସେ ସେଠାରୁ ଖସି ପଳାଇଥିଲା । ବିଶେଷଜ୍ଞମାନେ ସୂଚନା ଦେଇଥିଲେ ଯେ, ଏହି ସାପଗୁଡ଼ିକୁ ବଞ୍ଚିବା ପାଇଁ ୨୦ ରୁ ୩୦ ଡିଗ୍ରୀ ସେଲସିୟସର ଗରମ ଏବଂ ଆଦ୍ର ପରିବେଶ ଦରକାର । ଏଥିପାଇଁ ବହୁ ପରିମାଣରେ ହିଟ୍ର ଏବଂ ବିଦ୍ୟୁତର ବ୍ୟବହାର କରାଯାଉଥିବ । ପୁଲିସ ଏହି ସୁରାଗ ଆଧାରରେ ସ୍ଥାନୀୟ ଅଞ୍ଚଳର ବିଜୁଳି ବିଲ୍ ଯାଞ୍ଚ କରିବା ଆରମ୍ଭ କରିଥିଲା, ଯେଉଁଥିରେ ଗୁଓ ନାମକ ଯୁବକର ବିଲ୍ ସବୁଠାରୁ ଅଧିକ ଥିବା ଜଣାପଡ଼ିଥିଲା ।
ଧଳା ମୂଷାର ଅନଲାଇନ୍ ପାର୍ସଲ୍ ବଢ଼ାଇଲା ସନ୍ଦେହ:
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ 'ଡି' ନାମକ ଜଣେ ବ୍ୟକ୍ତି ସେହି ଫ୍ଲାଟକୁ ପ୍ରତିଦିନ ଆସୁଥିଲା ଏବଂ କୋରିୟର ସେଣ୍ଟରରୁ କ୍ରମାଗତ ଭାବେ 'ଧଳା ମୂଷା'ର ଅନଲାଇନ୍ ପାର୍ସଲ୍ ଗ୍ରହଣ କରୁଥିଲା । ସାଧାରଣତଃ ଏହି ମୂଷାଗୁଡ଼ିକୁ ସରୀସୃପ ଜୀବଙ୍କ ଖାଦ୍ୟ ପାଇଁ ବ୍ୟବହାର କରାଯାଏ । ଏହାସହ ଅଭିଯୁକ୍ତ ସୋସିଆଲ ମିଡିଆରେ ସାପର ଫଟୋ ସେୟାର କରି ବିକ୍ରି କରିବାକୁ ଗ୍ରାହକ ଖୋଜୁଥିଲା । ସେ ପ୍ରାୟ ୧୪ ହଜାର ଟଙ୍କାରେ ଦୁଇଟି ଅଜଗର ବିକ୍ରି କରିସାରିଥିବା ପ୍ରମାଣ ମଧ୍ୟ ପୁଲିସ ହାତରେ ଲାଗିଥିଲା । ପୁଲିସ ଯେତେବେଳେ ଫ୍ଲାଟ୍ ଉପରେ ଚଢ଼ାଉ କଲା, ସେଠାକାର ଦୃଶ୍ୟ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । ଅଭିଯୁକ୍ତ ଗୁଓ ନିଜର ସମସ୍ତ ଆସବାବପତ୍ର ଗୋଟିଏ ଛୋଟ ରୁମ୍ରେ ରଖି ବାକି ଦୁଇଟି ବେଡ୍ରୁମ୍ ଏବଂ ଲିଭିଙ୍ଗ୍ ରୁମ୍ରେ ଛାତ ପର୍ଯ୍ୟନ୍ତ ବଡ଼ ବଡ଼ ପ୍ଲାଷ୍ଟିକ ବାକ୍ସ ଜମା କରି ରଖିଥିଲା । ସେହି ବାକ୍ସଗୁଡ଼ିକୁ ଖୋଲିବା ପରେ ସେଥିରୁ ଗୋଟିଏ କି ଦୁଇଟି ନୁହେଁ, ବରଂ ୩୦୯ଟି ବିରଳ ପ୍ରଜାତିର ଅଜଗର ଜବତ କରାଯାଇଥିଲା । ଗୁଓ ପଚରାଉଚରା ବେଳେ ସ୍ୱୀକାର କରିଛି ଯେ, ପିଲାଦିନୁ ତାର ସାପ ପ୍ରତି ଦୁର୍ବଳତା ଥିଲା ଏବଂ ସେ ଘର ଭିତରେ ଗୁପ୍ତଭାବେ ସାପମାନଙ୍କର କ୍ରସ୍-ବ୍ରିଡିଂ କରୁଥିଲା ।
ଏହା ବି ପଢ଼ନ୍ତୁ... Donald Trump: ଟ୍ରମ୍ପଙ୍କୁ ବଡ଼ ଝଟକା, ସଂସଦରେ ଯୁଦ୍ଧ ରୋକିବାକୁ ପ୍ରସ୍ତାବ ପାରିତ, ରାଷ୍ଟ୍ରପତି କହିଲେ ମୁଁ...
ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ୪୨ କୋଟିରୁ ଅଧିକ:
ପୁଲିସର ଆଗାମୀ ତଦନ୍ତରୁ ଏହି ରାକେଟ୍ର ମୂଳ ସପ୍ଲାୟର 'ଡାଙ୍ଗ' ବିଷୟରେ ଜଣାପଡ଼ିଥିଲା । ଡାଙ୍ଗର ଘରେ ଚଢ଼ାଉ କରି ପୁଲିସ ଆହୁରି ୪୭ଟି ଅଜଗର ଜବତ କରିଛି । ଏହିପରି ଭାବେ ପୂରା ଅପରେସନରେ ମୋଟ୍ ୪୩୬ଟି ବିରଳ ଅଜଗର ଉଦ୍ଧାର କରାଯାଇଛି, ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୪୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲ୍ ହାଜତରେ ଅଛନ୍ତି ।