Vitamin D: ପ୍ରବଳ ଖରା ସତ୍ତ୍ବେ ଭିଟାମିନ୍-ଡି ଅଭାବ
"ବର୍ଷର ଅଧିକାଂଶ ଦିନ ପ୍ରଚଣ୍ଡ ଖରା ହେଉଥିଲେ ବି ଭାରତରେ କୋଟି କୋଟି ଲୋକଙ୍କ ଠାରେ ଭିଟାମିନ୍- ଡି ଅଭାବ ଦେଖାଯିବା ଆଶ୍ଚର୍ଯ୍ୟଜନକ।
ଗବେଷଣାରୁ ଜଣାପଡ଼ିଛି ଯେ, ଦେଶର ଅନେକ ଲୋକଙ୍କ ଶରୀରରେ ଭିଟାମିନ୍-ଡି ସ୍ତର କମ୍ ଥିଲେ ବି ତାହା ଜଣାପଡୁନାହିଁ।
କାରଣ ପ୍ରାରମ୍ଭିକ ଅବସ୍ଥାରେ ହଠାତ୍ କୌଣସି ଲକ୍ଷଣ ଜଣାପଡ଼େ ନାହିଁ।
ଭିଟାମିନ୍-ଡିର ଅଭାବ ହେଲେ ମଣିଷ ଅବଶ ବୋଧକରେ, ଅଧିକାଂଶ ସମୟ ଶରୀର ବିନ୍ଧାବିନ୍ଧି କରେ ଅଥବା ମାଂସପେଶୀ ଦୁର୍ବଳ ହୋଇଯାଏ।
ସାଧାରଣ ଲୋକେ ଏହାକୁ ଜଞ୍ଜାଳଜନିତ ଚାପ, ବୟସ ବୃଦ୍ଧି ଓ କାର୍ଯ୍ୟବ୍ୟସ୍ତତାଜନିତ ସମସ୍ୟା ବୋଲି ଉପେକ୍ଷା କରିଥାନ୍ତି।
ତେବେ ଏହା ହାଡ଼, ମାଂସପେଶୀ ଓ ସମଗ୍ର ଶରୀର ଉପରେ କୁପ୍ରଭାବ ପକାଏ। "ଦି ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଏଣ୍ଡୋକ୍ରାଇନୋଲଜି ଆଣ୍ଡ୍ ମେଟାବଲିଜିମ୍"ରେ ପ୍ରକାଶିତ ସମୀକ୍ଷା ଅନୁସାରେ, ୭୦ରୁ ୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ଭିଟାମିନ୍-ଡି ସ୍ତର କମ୍ ରହୁଛି।
ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରାୟ ୪୯ କୋଟି ଲୋକଙ୍କ ଶରୀରରେ ଏହି ଭିଟାମିନ୍ର ଅଭାବ ଥାଇପାରେ।Advertisment BoB: ବ୍ୟାଙ୍କ ଅଫ୍ ବରୋଦାର ପ୍ରତିଷ୍ଠା ଦିବସ ଖରା ହେଉଛି ଶରୀର ପାଇଁ ସବୁଠୁ ପ୍ରଭାବଶାଳୀ ଭିଟାମିନ୍-ଡି"ର ପ୍ରାକୃତିକ ଉତ୍ସ।
ଖରାରେ ଥିବା ଅଲ୍ଟ୍ରାଭାଓଲେଟ୍ -ବି (ୟୁଭିବି) ରଶ୍ମି ତ୍ବଚାରେ ପଡ଼ିଲେ ଶରୀରରେ ଆପେ ଆପେ ଭିଟାମିନ୍-ଡି ସୃଷ୍ଟି ହୁଏ।
ଏଥିପାଇଁ ଭାରତର ଭୌଗୋଳିକ ସ୍ଥିତି ଯେତେ ଅନୁକୂଳ ଥିଲେ ବି ଦୁଇ ଦଶନ୍ଧି ହେବ ବଦଳି ଯାଇଥିବା ଭାରତୀୟମାନଙ୍କ ଜୀବନଶୈଳୀ ଏଥିରେ ବ୍ୟାଘାତ ସୃଷ୍ଟି କରୁଛି।
ପୂର୍ବାପେକ୍ଷା ଲୋକେ ଆଜିକାଲି ଅଧିକ ସମୟ ଘର ମଧ୍ୟରେ ରହୁଛନ୍ତି।
ଅଫିସ୍, ଅନ୍ଲାଇନ୍ କ୍ଲାସ୍, ଘରୁ ଥାଇ କାମ କରିବା ସୁବିଧା, ଆପ୍ ଜରିଆରେ କିଣାକିଣି ଏବଂ ସ୍କ୍ରିନ୍ ଦ୍ବାରା ମନୋରଞ୍ଜନ ଯୋଗୁଁ ଭାରତୀୟମାନେ ଆଉ ବାହାରେ ଅଧିକ ସମୟ ବିତାଇ ପାରୁ ନାହାନ୍ତି।
ଫଳରେ ପ୍ରାୟ ଅଧା ପ୍ରାପ୍ତବୟସ୍କ ଭାରତୀୟ ଯଥେଷ୍ଟ ସକ୍ରିୟ ନୁହନ୍ତି, ପୁଣି ୬୦ ପ୍ରତିଶତ ନଗରାଞ୍ଚଳର ତରୁଣଙ୍କର ଦୈନିକ ତିନିଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍ ସହିତ ବିତୁଛି।
ତା"ଛଡ଼ା ଅଧିକାଂଶ ବୟସ୍କ ଲୋକ ୯୫ ପ୍ରତିଶତ ସମୟ ଘର ଭିତରେ ବିତାଉଛନ୍ତି।
ଦେଖାଯାଉଛି ଯେ, କିଛି ଲୋକ ସୂର୍ଯ୍ୟୋଦୟ ପୂର୍ବରୁ ଘରୁ ବାହାରିଯାଇ ଅଫିସ୍ ବା ଶ୍ରେଣୀକକ୍ଷରେ ଦିନ ବିତାଇ ସୂର୍ଯ୍ୟାସ୍ତ ପରେ ଘରକୁ ଫେରୁଛନ୍ତି।
ସପ୍ତାହାନ୍ତରେ ଲୋକେ ଅଧିକ ସମୟ ଘରେ ରହିବାକୁ ଚାହାନ୍ତି।
ସହରାଞ୍ଚଳରେ ଆଉ କେତେକ ଅସୁବିଧା େହଉଛି ବିରାଟ ଅଟ୍ଟାଳିକା, ବାୟୁ ପ୍ରଦୂଷଣ ଓ ମାତ୍ରାଧିକ ଖରା ନିରୋଧକ ପର୍ଦ୍ଦାର ବ୍ୟବହାର।
ଏଥିଯୋଗୁଁ ମଧ୍ୟ ଲୋକଙ୍କ ଶରୀରରେ ବିଶେଷ ଖରା ପଡୁ ନାହିଁ।
Horoscope 2026 July 22: ଜାଣନ୍ତୁ ଆଜିର ରାଶିଫଳ...
ଅନେକଙ୍କର ଧାରଣା ଯେ, ଭିଟାମିନ୍-ଡି କେବଳ ହାଡ଼କୁ ସୁସ୍ଥ ରଖେ, କିନ୍ତୁ ଶରୀର ପ୍ରତି ଏହାର ଅନେକ ଭୂମିକା ରହିଛି।
ସୁସ୍ଥ ହାଡ଼ ଓ ଦାନ୍ତ ପାଇଁ ଅତ୍ୟାବଶ୍ୟକ କ୍ୟାଲ୍ସିୟମ୍, ଫସ୍ଫରସ୍ ଓ କେତେକ ଖଣିଜ ଲବଣ ବିଶୋଷଣ କରିବାରେ ସହାୟ ହୁଏ।
ମାଂସପେଶୀ କାର୍ଯ୍ୟକାରିତା, ସ୍ନାୟୁ ସଙ୍କେତ ଓ ରୋଗ ପ୍ରତିରୋଧକ ବ୍ୟବସ୍ଥା ସ୍ବାଭାବିକ କରିବାରେ ମଧ୍ୟ ଏହାର ଭୂମିକା ରହିଛି।
ଭିଟାମିନ୍-ଡି ଅଭାବ ହେଲେ ପିଲାଙ୍କୁ ରିକେଟ୍ ରୋଗ, ବୟସ୍କମାନଙ୍କଠାରେ ହାଡ଼ପୋରିହା, ହାଡ଼ ଫାଟିବା ଓ ହୃଦ୍ପିଣ୍ଡରେ ସମସ୍ୟା ଆଦି ଦେଖାଯାଏ।
ତୈଳାକ୍ତ ମାଛ, ଅଣ୍ଡା କେଶର, କଲିଜା, କୃତ୍ରିମ ଉପାଦାନରେ ପ୍ରସ୍ତୁତ ଉନ୍ନତ କ୍ଷୀର, ଖାଇବା ତେଲ, ଶସ୍ୟ ଭଳି ସୀମିତ ସଂଖ୍ୟକ ଖାଦ୍ୟରେ ପ୍ରାକୃତିକ ଭାବେ ଭିଟାମିନ୍-ଡି ରହିଛି।
କିନ୍ତୁ ଶରୀର ଯେତିକି ଆବଶ୍ୟକ କରେ, ଏସବୁ ଖାଦ୍ୟ ତାହା ମେଣ୍ଟାଇ ପାରିବ ନାହିଁ।
ତେଣୁ ଖରାକୁ ବାହାରିବା ନିହାତି ଆବଶ୍ୟକ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।