Villages in Odisha: ଓଡ଼ିଶାର ଗାଁ ଇଂରାଜୀ ନାଁ: ଜନ୍‌ଷ୍ଟନ୍‌ଗଞ୍ଜରୁ ମ୍ୟାକମିଲାନପୁର..

Jun 14, 2026 - 08:39
Villages in Odisha: ଓଡ଼ିଶାର ଗାଁ ଇଂରାଜୀ ନାଁ: ଜନ୍‌ଷ୍ଟନ୍‌ଗଞ୍ଜରୁ ମ୍ୟାକମିଲାନପୁର..

"କେନ୍ଦୁଝର: ବ୍ରିଟିସ୍‌ ଶାସନର କଥା ଉଠିଲେ ଭାରତୀୟଙ୍କ ମନରେ ଶୋଷଣ, ଅତ୍ୟାଚାର ଓ ପରାଧୀନତାର ସ୍ମୃତି ଜାଗ୍ରତ ହୁଏ।

ଏହି ଇତିହାସ ମଧ୍ୟରେ ଏମିତି କିଛି ବ୍ୟକ୍ତିତ୍ୱ ରହିଯାଇଛନ୍ତି, ଯେଉଁମାନେ ନିଜ କାର୍ଯ୍ୟ ଓ ଜନସେବା ପାଇଁ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି।

କେନ୍ଦୁଝର ଜିଲ୍ଲାରେ ଏଭଳି ଜଣେ ଇଂରେଜ ଅଧିକାରୀ ଥିଲେ ଜନ୍‌ଷ୍ଟନ୍‌ ସାହେବ।

ତାଙ୍କ ନାମରେ ଆଜି ମଧ୍ୟ ସାହି, ରାସ୍ତା, ବିଦ୍ୟାଳୟ ଓ ଗାଁର ନାମ ରହିଛି।

୧୮୬୮ରେ କେନ୍ଦୁଝରଗଡ଼ର ସିଂହାସନ ଆରୋହଣ କରିଥିଲେ ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ।

ତାଙ୍କ ଶାସନ କାଳକୁ କେନ୍ଦୁଝର ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି କୁହାଯାଉଛି।

ଧନୁର୍ଜୟ ନିଜ ପ୍ରଜାଙ୍କ ସମସ୍ୟା ବୁଝିବାପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ।

ସୁଶାସନକୁ ପ୍ରାଥମିକତା ଦେଉଥିଲେ।

ଏହି ଲକ୍ଷ୍ୟକୁ ସଫଳ କରିବାପାଇଁ ସେ ଇଂରେଜ ଅଧିକାରୀ ଜନ୍‌ଷ୍ଟନ୍‌ଙ୍କୁ ଉଚ୍ଚ ପ୍ରଶାସନିକ ଦାୟିତ୍ୱ ଦେଇଥିଲେ।

ଜନ୍‌ଷ୍ଟନ୍‌ କେବଳ ଜଣେ ପ୍ରଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ।

ସେ କେନ୍ଦୁଝରର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦେଇଥିଲେ।

ସେହି ସମୟରେ ଜୁଆଙ୍ଗମାନେ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିଲେ।

ଗଛର ପତ୍ର ପରିଧାନ କରି ଜୀବନଯାପନ କରୁଥିଲେ।

ଅନେକ ପ୍ରୟାସ ସତ୍ତ୍ୱେ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ଭବ ହୋଇନଥିଲା।

ଜନ୍‌ଷ୍ଟନ୍‌ ସାହେବ ଜୁଆଙ୍ଗ ସମ୍ପ୍ରଦାୟକୁ ସଭ୍ୟତା, ଶିକ୍ଷା ଓ ସାମାଜିକ ଜୀବନ ସହ ଯୋଡ଼ିବା ପାଇଁ ନିରନ୍ତର ଉଦ୍ୟମ କରିଥିଲେ।

ତାଙ୍କ ଚେଷ୍ଟା ଫଳରେ ଜୁଆଙ୍ଗମାନେ ଧୀରେଧୀରେ ବସ୍ତ୍ର ପରିଧାନ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ।

ଆଦିବାସୀଙ୍କ ବିକାଶ, ଶିକ୍ଷା ଓ ସାମାଜିକ ଉନ୍ନତି ପାଇଁ ସେ ନେଇଥିବା ପଦକ୍ଷେପ ଆଜି ମଧ୍ୟ କେନ୍ଦୁଝରର ଇତିହାସରେ ସ୍ମରଣୀୟ।Advertisment BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି ଜନ୍‌ଷ୍ଟନ୍‌ଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ କେନ୍ଦୁଝରଗଡ଼ର ଏକ ସାହିର ନାମ "ଜନ୍‌ଷ୍ଟନ୍‌ଗଞ୍ଜ" ରଖାଯାଇଛି।

ଏହାସହ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ତାଙ୍କ ନାମରେ ନାମିତ ହୋଇଛି।

ସାହାରପଡ଼ା ଅଞ୍ଚଳରେ ଥିବା "ଜନ୍‌ଷ୍ଟନ୍‌ପୁର" ନାମକ ଗାଁ ମଧ୍ୟ ତାଙ୍କ ସ୍ମୃତି ବହନ କରୁଥିଲା।

କାଳକ୍ରମେ ଏହର ନାମ ପରିବର୍ତ୍ତନ ହୋଇ "ଦାନ୍‌ସନ୍‌ପୁର" ହୋଇଥିଲେ ମଧ୍ୟ ଏହା ପଛରେ ଥିବା ଇତିହାସ ଆଜି ବି ଜୀବନ୍ତ ରହିଛି।

ସେହିପରି ଯୋଡ଼ା ବ୍ଲକ୍‌ ଚମକପୁର ପଞ୍ଚାୟତର ଦୁଇଟି ଗାଁ ଥିଲା ରେଭେନ୍‌ସାପୁର (କ) ଓ ରେଭେନ୍‌ସାପୁର (ଖ)।

ଉଭୟ ଗ୍ରାମକୁ କାନପୁର ଜଳଭଣ୍ଡାର ପାଇଁ ଉଚ୍ଛେଦ କରାଯାଇଛି।

ପୂର୍ବରୁ ରେଭେନ୍ସାପୁର (କ)ର ନାମ ଥିଲା ଡଙ୍ଗାକଟା ଏବଂ ରେଭେନ୍ସାପୁର (ଖ)ର ନାମ ଥିଲା ଧୁବୁଣିପଶି।

କଟକରୁ ଆସିଥିବା ରେ‌ଭେନ୍‌ସା ସାହେବ ଦୁଇ ଗ୍ରାମର ଲୋକଙ୍କୁ ନେଇ ବୈଠକ କରିଥିଲେ।

ଏହି ଘଟଣା ପରେ ଉଭୟ ଗାଁର ନାମ ପରିବର୍ତ୍ତନ ହୋଇ ଯଥାକ୍ରମେ ରେଭେନ୍‌ସାପୁର (କ) ଓ (ଖ) ହୋଇଥିଲା।

ସେହିପରି ଚମ୍ପୁଆ ବ୍ଲକ୍‌ ଚନ୍ଦ୍ରଶେଖରପୁର ପଞ୍ଚାୟତରେ ଥିବା ମ୍ୟାକ୍‌ମିଲାନପୁର ଗ୍ରାମ ମ୍ୟାକ୍‌ମିଲାନ ସାହେବଙ୍କ ନାମରେ ନାମିତ ହୋଇଥିବା ବେଳେ ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତରେ ଥିବା ଜନ୍‌ସନ୍‌ପୁର ଗ୍ରାମ ଜନ୍‌ସନ୍‌ ସାହେବଙ୍କ ନାମରେ ନାମିତ ହୋଇଥିବା ସ୍ଥାନୀୟ ଲୋ‌କେ କହିଛନ୍ତି।

Weekly Horoscope 2026 June 14 to June 20: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବିଶିଷ୍ଟ ସଂଗ୍ରାହକ ସୁଜିତ ପଟ୍ଟନାୟକଙ୍କ କହିବା ହେଲା, ଭାରତୀୟମାନେ ସାଧାରଣତଃ ବ୍ରିଟିସ୍‌ ଶାସକଙ୍କୁ ପରାଧୀନତାର ପ୍ରତୀକ ଭାବେ ଦେଖିଥାନ୍ତି।

କିନ୍ତୁ ଜନ୍‌ଷ୍ଟନ୍‌ଙ୍କ ଭଳି କିଛି ଅଧିକାରୀ ନିଜର ଦୂରଦୃଷ୍ଟି, ମାନବିକତା ଓ ସମାଜ ସଂସ୍କାରମୂଳକ କାର୍ଯ୍ୟ ପାଇଁ ଆଜି ମଧ୍ୟ ଲୋକପ୍ରିୟ।

କେନ୍ଦୁଝରର ଜନଜାତି ସମାଜକୁ ମୁଖ୍ୟସ୍ରୋତ ସହ ଯୋଡ଼ିବାରେ ଜନ୍‌ଷ୍ଟନ୍‌ଙ୍କ ଭୂମିକା ତାଙ୍କୁ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି।

ଶତାବ୍ଦୀ ପରେ ମଧ୍ୟ କେନ୍ଦୁଝରବାସୀଙ୍କ ହୃଦୟରେ ତାଙ୍କ ସ୍ମୃତି ଅମ୍ଳାନ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।