Village: ନାମକୁ ମାତ୍ର ଗାଁ: ବିଏମ୍ସିରେ ମିଶିବା ନେଇ କଥା ଆଗଉନି
ହରପ୍ରିୟା ପୃଷ୍ଟି
ଭୁବନେଶ୍ୱର: ଗାଁ’ଟିର ନାଁ ‘ନାରଗୋଦା’। ଜାତୀୟ ରାଜପଥ-୧୬ ଠାରୁ ମାତ୍ର ୩୦୦ ମିଟର ଦୂର। ଗ୍ରାମକୁ ପ୍ରବେଶ କରିବା ବେଳେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି ‘ସ୍ୱାଗତମ୍ ଆମ ଗ୍ରାମ ନାରଗୋଦା’। ମାତ୍ର କୌଣସି ଦୃଷ୍ଟିରୁ ଗ୍ରାମ ଭଳି ଦୃଶ୍ୟମାନ ହେଉନାହିଁ। ଗାଁ ପ୍ରବେଶଠାରୁ ପ୍ରସ୍ଥାନ ଯାଏଁ ସବୁଠି ବହୁତଳ କୋଠା। କାଁଭାଁ ସ୍ଥାନରେ ଆଜବେଷ୍ଟସ ଘର ଦେଖିବାକୁ ମିଳୁଛି। ଯୁଆଡ଼େ ଚାହିଁଲେ ଅଳିଆ ଆବର୍ଜନା ଗଦା ହୋଇଛି। ସହର ଉପକଣ୍ଠର ଗାଁ ଭଳି ନଲାଗି ସହରୀ ସହରୀ ବାସୁଛି। ହେଲେ ଭିତ୍ତିଭୂମିରେ ବିକାଶ ହୋଇପାରିନି। ଅଣଓସାରିଆ ରାସ୍ତାରେ ଚଳପ୍ରଚଳ କରିବା ଲୋକଙ୍କ ପାଇଁ କଷ୍ଟକର। ପାଣି ସମସ୍ୟା ଉତ୍କଟ। ଜବରଦଖଲ ଗାଁକୁ ଖାଇଗଲାଣି। ବର୍ଜ୍ୟବସ୍ତୁ ପରିଚାଳନା କଥା ନ କହିବା ଭଲ। କେତେବେଳେ କେମିତି ପଞ୍ଚାୟତ ଅର୍ଥ ମିଳିଲେ ସଫେଇ ହେଉଛି ନହେଲେ ସେମିତି ପୂତିଗନ୍ଧମୟ ପରିବେଶରେ ରହୁଛନ୍ତି ଲୋକେ। ସେହିଭଳି ରଣସିଂହପୁର ଗ୍ରାମ ଅଳିଆରେ ଭରିଗଲାଣି। କେବଳ ଏହି ୨ ଗ୍ରାମ ନୁହେଁ, ଭୁବନେଶ୍ୱର ଉପକଣ୍ଠରେ ଥିବା ସମସ୍ତ ଗାଁ ଅବସ୍ଥା ଏବେ ଏମିତି। ସିଜୁଆ, ସିଜିପୁଟ, ନାରଗୋଦା, ସହଜପୁର, ତମାଣ୍ଡୋଠାରୁ ରଣସିଂହପୁର, ଅଣ୍ଡିଲୋ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ଥିତି ସମାନ। ସହର ପାଖରେ ରହିଥିବା ଏହି ଗାଁଗୁଡ଼ିକର ବିକାଶ ଏବେ ସାତସପନ ପାଲଟିଛି।
Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରେ ମହାନଗର ନିଗମରେ ମିଶିବାକୁ ଉପକଣ୍ଠର ୭ଟି ଗ୍ରାମ ପଞ୍ଚାୟତର ୨୬ଟି ଗ୍ରାମବାସୀ ଚାହିଁ ବସିଛନ୍ତି। ୨୦୨୫ ଡିସେମ୍ବର ମାସରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମ୍ସିରେ ମିଶିବା ନେଇ ସରକାରଙ୍କ ସବୁଜ ସଙ୍କେତ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇ ମିଳିଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଯାହା ଏବେ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ତେଣୁ ୨୦୨୭ ପ୍ରଥମାର୍ଦ୍ଧରେ ସମ୍ଭବତଃ ହେବାକୁ ଥିବା ନିର୍ବାଚନ ବେଳେ ସେମାନେ କେଉଁ ଆଡ଼େ ରହିବେ ତାହାକୁ ନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି। ଚିହ୍ନଟ ହୋଇଥିବା ଗ୍ରାମ ତାଲିକାରେ ଭୁବନେଶ୍ୱର ବ୍ଲକ୍ର ରଣସିଂହପୁର ପଞ୍ଚାୟତର ସିଜୁଆ, ତମାଣ୍ଡୋ ପଞ୍ଚାୟତର ସିଜିପୁଟ, ନାରଗୋଦା, ସହଜପୁର, ତମାଣ୍ଡୋ, ବିଜିପୁର, ଦାସବାଟିଆ, ବାଲିଆପଡ଼ା, କାଶୀପୁର, ବେଗୁନିଆବରହି ଓ ବଡ଼ଧାନପୁର, ଶିଶୁପାଳଗଡ଼ ପଞ୍ଚାୟତର ବଡ଼ଧାନପୁର, ଶିଶୁପାଳଗଡ଼ ଓ ମହାଭୋଇଶାସନ, ଅନ୍ଧାରୁଆ ପଞ୍ଚାୟତର ଜଗନ୍ନାଥପ୍ରସାଦ, ଅନ୍ଧାରୁଆ, ଦାସପୁର, ଚୁନୁକୋଳି ଓ ଗୋଡ଼ିବାରି, ବାସୁଆଘାଇ ପଞ୍ଚାୟତର ଦୁର୍ଗାପୁରପାଟଣା, ବାସୁଆଘାଇ, କେଶୁରା, କୋରଡ଼କଣ୍ଟା ଓ ବାଙ୍କୁଆଳ, ଲିଙ୍ଗିପୁର ପଞ୍ଚାୟତର ରଘୁନାଥପୁର ଓ ଲିଙ୍ଗିପୁର ଏବଂ ବାଲିଅନ୍ତା ବ୍ଲକ୍ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗାଁ ରହିଥିଲା। ଏହି ଗାଁଗୁଡ଼ିକ କିଭଳି ଭାବେ ବିଏମ୍ସିରେ ମିଶିବେ ତାହା ଚୂଡ଼ାନ୍ତ ହୋଇପାରିନାହିଁ। କୌଣସି ୱାର୍ଡରେ ସାମିଲ ହେବେ କି ନିଜର ଗୋଟିଏ ୱାର୍ଡ ହେବ ତାହା ସ୍ଥିର ହୋଇ ନ ଥିବାରୁ ଲୋକେ ଚିନ୍ତାରେ ଅଛନ୍ତି। ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ଥିବା ଆଶାୟୀମାନେ ଏହାକୁ ନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି। ପଞ୍ଚାୟତ ଉପରେ ଫୋକସ୍ କରିବେ ନା ବିଏମ୍ସି ଅଞ୍ଚଳକୁ ଗୁରୁତ୍ୱ ଦେବେ ସେନେଇ ଆଶା ଆଶଙ୍କାରେ ରହିଛନ୍ତି। କେତେଜଣ ଏବେଠାରୁ ଶୁଭେଚ୍ଛା ବ୍ୟାନର୍ ପୋଷ୍ଟର ଲଗାଇ ଲୋକଙ୍କ ନିକଟତର ହେବାକୁ ଲାଗି ପଡ଼ିଛନ୍ତି।
Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ