Ramadevi student: ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍
"ଯାଜପୁରଟାଉନ: ବହୁଚର୍ଚ୍ଚିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଓ ସହଯୋଗୀକୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।
ଯାଜପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ଆଜି ଏହି ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ରାକେଶ ସ୍ବାଇଁ (୨୪)କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏଥିସହ ତାକୁ ୧ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍ଦଣ୍ଡ ନିର୍ଦେଶ ହୋଇଛି।
ଏହି ହତ୍ୟାକାଣ୍ଡରେ ରାକେଶକୁ ସହଯୋଗ କରିଥିବା ସୁନ୍ଦରପଦା ଅଞ୍ଚଳର ଅମରେଶ ରାଉତ (୨୫) କୁ ପ୍ରମାଣ ନଷ୍ଟ ଅଭିଯୋଗରେ ୫ ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି।
୨୦୨୧ ମସିହାରେ ରମାଦେବୀ କଲେଜର ଛାତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ଝରାଫୁଲ ନାୟକ (୧୯)ଙ୍କୁ ମୁଁହରେ ତକିଆ ମାଡ଼ି ରାକେଶ ସ୍ବାଇଁ ଭୁବନେଶ୍ବରର ଏକ ହୋଟେଲ୍ରେ ହତ୍ୟା କରିଥିଲା।
ଦୁହେଁ ମୃତଦେହକୁ ଏକ ସ୍କୁଟର ଯୋଗେ ଆଣି କୁଆଖିଆ ନିକଟରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ।
ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।Advertisment Village: ନାମକୁ ମାତ୍ର ଗାଁ: ବିଏମ୍ସିରେ ମିଶିବା ନେଇ କଥା ଆଗଉନି Interest Subsidy: ସାର ପାଇଁ ସୁଧ ରିହାତି ଯୋଜନା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ଭୁବନେଶ୍ବର ରମାଦେବୀ କଲେଜରେ ପଢ଼ୁଥିଲେ।
ରାକେଶ ସ୍ବାଇଁ ମୟୂରଭଞ୍ଜରେ ପାଇପ୍ଲାଇନ୍ ସୁପରଭାଇଜର ଭାବେ କାମ କରୁଥିଲା।
ଏହି ସମୟରେ ଝରାଫୁଲ ଓ ତାଙ୍କ ପରିବାର ସହିତ ତା"ର ସଂପର୍କ ଗଢ଼ିଉଠିଥିଲା।
ଝରାଫୁଲ ରମାଦେବୀରେ ପାଠ ପଢ଼ିବା ଭିତରେ ଉଭୟଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିଲା।
ଏହା ଭିତରେ ରାକେଶ ଝରାଫୁଲଠାରୁ କିଛି ଟଙ୍କା ନେଇଥିଲା।
ଟଙ୍କା ଫେରାଇବାକୁ କହିବାରୁ ରାକେଶ ଅସନ୍ତୁଷ୍ଟ ହୋଇଥିଲା।
ଶେଷରେ ଝରାଫୁଲକୁ ରାସ୍ତାରୁ ହଟାଇ ଦେବା ପାଇଁ ସେ ଯୋଜନା କରିଥିଲା।
ଯୋଜନା ଅନୁସାରେ ୨୦୨୧ ଜାନୁଆରି ୨୫ ତାରିଖ ରାତିରେ ଭୁବନେଶ୍ବରର ଏକ ହୋଟେଲ୍ରେ ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା।
ହତ୍ୟା କରିବା ପରେ ଅମରେଶ ସହଯୋଗରେ ଏକ ସ୍କୁଟରରେ ମୃତଦେହକୁ ବସାଇ ଜାତୀୟ ରାଜପଥ-୧୬ରେ ଆସିଥିଲେ।
ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ନୂଆପାଳ-ରାଜେନ୍ଦ୍ରପୁରଠାରେ ସକାଳୁ ଶବକୁ ଫିଙ୍ଗିଦେଇ ପଳାଇଥିଲେ।
ସ୍ଥାନୀୟ ଲୋକେ ମୃତଦେହ ଦେଖି କୁଆଖିଆ ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ତଦନ୍ତ ଜାରି ରଖିଥିଲା।
ଏନେଇ କେସ୍ ନମ୍ବର ୩୨/୨୧ରେ ଅଭିଯୁକ୍ତ ରାକେଶ, ଅମରେଶ ଓ ଶକ୍ତି ଶେଖର ସ୍ବାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।
ଆଜି ଏହି ମାମଲାର ଶୁଣାଣି କରି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ୨୨ଜଣ ସାକ୍ଷୀଙ୍କ ବୟାନ ଓ ୩୬ଗୋଟି ଦସ୍ତାବିଜକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାକୁ ଯାଜପୁର କୋର୍ଟର ସ୍ବତନ୍ତ୍ର ପିପି ସିତାଂଶୁ ଶେଖର ମହାନ୍ତି ପରିଚାଳନା କରିଥିଲେ।"