Heritage and Tribal Culture: ଗଜପତିର ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଅବହେଳିତ
"ପାରଳାଖେମୁଣ୍ଡି: ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଓ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ଅଭିଯୋଗ ଉଠୁଛି।Advertisment ଜିଲ୍ଲାରେ ଲାଞ୍ଜିଆ ସଉରା, ଶବର, ଶୁଦ୍ଧ ଶବର, କୁଇ ଓ କନ୍ଧ ଭଳି ବିଭିନ୍ନ ଜନଜାତି ସମ୍ପ୍ରଦାୟ ଶତାବ୍ଦୀ ଧରି ନିଜସ୍ୱ ଭାଷା, ପରମ୍ପରା, ଲୋକନୃତ୍ୟ, ଲୋକଗୀତ, ଚିତ୍ରକଳା ଓ ଆଚାର-ବିଚାରକୁ ଜୀବନ୍ତ ରଖି ଆସିଛନ୍ତି।
କିନ୍ତୁ ସମୟର ପ୍ରବାହ, ପାଶ୍ଚାତ୍ୟ ଆଧୁନିକତାର ପ୍ରଭାବ ଓ ସରକାରୀ ଉଦ୍ୟମର ଅଭାବ ଯୋଗୁଁ ଏହି ଅମୂଲ୍ୟ ସାଂସ୍କୃତିକ ସମ୍ପଦ ଧୀରେ ଧୀରେ ହଜିବାକୁ ବସିଛି।
ସଉରା ସମ୍ପ୍ରଦାୟର ଇଡିତାଲ ଚିତ୍ରକଳା, ସଉରା ଲୋକଗୀତ, ଲୋକନୃତ୍ୟ, ମୟୂର ନୃତ୍ୟ, ମାଦଲ, ଢୋଲ, ମହୁରୀ ଓ ବଂଶୀ ବାଦନ ସହ ପାରମ୍ପରିକ ହସ୍ତଶିଳ୍ପ ଏହି ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ବହନ କରେ।
ଏହି କଳାଗୁଡ଼ିକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ବରଂ ଆଦିବାସୀ ସମାଜର ଇତିହାସ, ଧାର୍ମିକ ବିଶ୍ୱାସ, ପ୍ରକୃତି ସହ ସମ୍ପର୍କ ଓ ସାମାଜିକ ଜୀବନର ପ୍ରତିଫଳନ।
ବିଶେଷକରି ସଉରା ସମ୍ପ୍ରଦାୟର ଇଡିତାଲ ଚିତ୍ରକଳା ଦେଶ-ବିଦେଶରେ ପରିଚିତ ହୋଇଥିଲେ ମଧ୍ୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହାର ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନାହିଁ।
ଏହାର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ।
ସେହିପରି ସଉରା ଲୋକଗୀତ ଓ ଲୋକନୃତ୍ୟ ଏବେ କେବଳ କିଛି ପର୍ବପର୍ବାଣୀ ଓ ସରକାରୀ କାର୍ଯ୍ୟକ୍ରମରେ ସୀମିତ ହୋଇ ରହିଛି।
ଅନ୍ୟାନ୍ୟ ଆଦିବାସୀ ଲୋକନୃତ୍ୟ ମଧ୍ୟ ଏବେ ପ୍ରାୟ ଦେଖିବାକୁ ମିଳୁନାହିଁ।
ନୂତନ ପିଢ଼ି ଶିକ୍ଷା ଓ ରୋଜଗାର ପାଇଁ ସହରମୁହାଁ ହେଉଥିବାରୁ ପାରମ୍ପରିକ କଳା ପ୍ରତି ସେମାନଙ୍କ ଆଗ୍ରହ କ୍ରମଶଃ କମିବାରେ ଲାଗିଛି।
ଜିଲ୍ଲାର ପରିଚୟକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିପାରିବ ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏକ ଲୋକକଳା ଗବେଷଣା କେନ୍ଦ୍ର ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଗଲେ ଏହି ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହଜ ହେବ।
ଏଥିସହ ପ୍ରତ୍ୟେକ ବ୍ଲକ୍ ସ୍ତରରେ ବାର୍ଷିକ ଆଦିବାସୀ ଲୋକକଳା ମହୋତ୍ସବ ଆୟୋଜନ, ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନୀୟ ଐତିହ୍ୟକୁ ସ୍ଥାନ ଦେବା ଓ କଳାକାରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି ଆଦିବାସୀ ନେତା ଜେମେଶ ରାଇକା, ମୋଜେସ ଦଳ ବେହେରା, ଆବ୍ରାହାମ ଗମାଙ୍ଗ ଓ ଜେରଦ ମାଝି ମତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଜିଲ୍ଲାର ଐତିହାସିକ ସ୍ଥାନ, ପୁରାତନ ମନ୍ଦିର, ରାଜପରମ୍ପରା ସହ ଜଡ଼ିତ ସ୍ମାରକ ଓ ଆଦିବାସୀ ସଂସ୍କୃତିକୁ ନେଇ ପର୍ଯ୍ୟଟନର ଅପାର ସମ୍ଭାବନା ଥିଲେ ମଧ୍ୟ ଏହାର ବିକାଶ ପାଇଁ ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ।
ଯଦି ସଂସ୍କୃତି ଓ ପର୍ଯ୍ୟଟନକୁ ସମନ୍ୱୟ କରି ଯୋଜନାବଦ୍ଧ ପଦକ୍ଷେପ ନିଆଯାଏ, ତେବେ ଏହା ସ୍ଥାନୀୟ କଳାକାରଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ସହ ଜିଲ୍ଲାର ପରିଚୟକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିପାରିବ।
ଯଦି ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନିଆନଯାଏ, ତେବେ ଗଜପତିର ବହୁମୂଲ୍ୟ ଲୋକକଳା ଓ ପରମ୍ପରା ଆଗାମୀ ଦିନରେ କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଯିବ ବୋଲି ସଂସ୍କୃତିପ୍ରେମୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Vigilance Raid: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ "