Vikram Arukh May Join BJP: ଦଳ ବଦଳାଇବା ଚକ୍କରରେ ଅଛନ୍ତି କି ବିକ୍ରମ ? ସତ୍ତାରୁ ଯିବା ପରେ ବିଜେଡି କାର୍ଯ୍ୟକ୍ରମରୁ ଉଭାନ
ଗଞ୍ଜାମର ଟାଣୁଆ ନେତା ବିକ୍ରମ ଆରୁଖ ନେଇ ଏବେ ଏମିତି ଚର୍ଚ୍ଚା। ବିଜେଡି ସତ୍ତାରୁ ଯିବା ପରଠାରୁ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବେ ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ଦୂରେଇ ରହୁଛନ୍ତି। ଗତ କିଛି ମାସ ହେବ ଏ ଦୂରତା ଆହୁରି ବଢିଯାଇଛି। ନବୀନ ଗଢିଥିବା ବିଜେଡି ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଥାଇ ମଧ୍ୟ ବିକ୍ରମ ବୈଠକରେ ଅନୁପସ୍ଥିତ ରହୁଛନ୍ତି। ସେହିପରି ଗଞ୍ଜାମର ଦଳୀୟ କାର୍ଯ୍ୟକ୍ରମରେ ବି ଦେଖିବାକୁ ମିଳୁନାହିଁ। ବିଜେଡିରୁ ଖାପ ଛଡା ଦେଉଥିବା ବିକ୍ରମ ଏବେ ବିଜେପି ମୁହାଁ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ିବେ ବୋଲି ଗଞ୍ଜାମ ରାଜନୀତିରେ ଆଲୋଚନା ଜୋର୍ ଧରିଛି। ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଗଞ୍ଜାମ ଜିଲ୍ଲାରୁ ଆସୁଥିବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା। ବିକ୍ରମଙ୍କ ଭଳି ଟାଣୁଆ ନେତା ବିଜେଡି ଛାଡି ବିଜେପି ଆସିଲେ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି କହିଛନ୍ତି ଆମ ଦ୍ବାର ଖୋଲା ଅଛି।
ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ନିର୍ବାଚିତ ହୋଇଛନ୍ତି ବିକ୍ରମ ଆରୁଖ। ୧୯୯୫ରୁ ଲଗାତର ଭାବେ ନିର୍ବାଚିତ ହୋଇ ଆସୁଥିବାବେଳେ ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ। ରୋଚକ କଥା ହେଉଛି, ଗତ ନିର୍ବାଚନ ପ୍ରଚାର ସମୟରେ ବିକ୍ରମ ଖୋଲା ମଞ୍ଚରେ ଘୋଷଣା କରିଥିଲେ ଯେ, ଯଦି ସେ ନିର୍ବାଚନ ହାରିଯାନ୍ତି ତେବେ ସେ ସକ୍ରିୟ ରାଜନୀତିରୁ ଅବସର ନେଇଯିବେ (ଫାଇଲ୍ ବାଇଟ)। ଆଉ ନିର୍ବାଚନ ହାରିବା ପରଠାରୁ ତାଙ୍କର ଦେଖା ଦର୍ଶନ ବି ନାହିଁ। ଦୁଇ ବର୍ଷ ପରେ ଗଞ୍ଜାମ ରାଜନୀତିରେ ଏବେ ଚର୍ଚ୍ଚା ଯେ, ଆରୁଖ ଏବେ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି। ତେବେ ଏହି ଚର୍ଚ୍ଚା ନେଇ ବିକ୍ରମ ଆରୁଖଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ଦଳ କହିଛି ଆରୁଖ ଗଲେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଯେଉଁଥିରୁ ଅନୁମାନ କରାଯାଉଛି ଯେ, ବିଜେଡି ବି ଜାଣିସାରିଲାଣି ଆରୁଖ ଆଉ ପାର୍ଟି ଲାଇନରେ ନାହାନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ନେତାଙ୍କୁ ନରଖି ପାରିଲେ ବିଜେଡି ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ।
ଦିନେ ବିଜେଡିର ଗଡ଼ ଥିଲା ଗଞ୍ଜାମ। କିନ୍ତୁ ୨୪ ନିର୍ବାଚନରେ ଗଞ୍ଜାମର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ନବୀନଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଅନ୍ୟ ସବୁଠି ଦଳ ପରାଜିତ ହୋଇଛି। ଜିଲ୍ଲାରେ ବିଜେପି ଖାତାରେ ୧୧ ସିଟ୍ ଥିବାରୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଧିକ ଶକ୍ତି ବଢାଇବାକୁ ଦଳ ଏବେ ବଡ ରଣନୀତି ଆପଣାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।