50 Crore Fraud Arrested: ପୋଲିସ ପଞ୍ଝାରେ ଠକ ସର୍ଦ୍ଦାର, ଅଳ୍ପ ଟଙ୍କା ଦେଇ ବିଶ୍ବାସ ଜିତୁଥିଲା, ପରେ ଲୁଟୁଥିଲା କୋଟି କୋଟି

Jul 19, 2026 - 20:04
50 Crore Fraud Arrested: ପୋଲିସ ପଞ୍ଝାରେ ଠକ ସର୍ଦ୍ଦାର, ଅଳ୍ପ ଟଙ୍କା ଦେଇ ବିଶ୍ବାସ ଜିତୁଥିଲା, ପରେ ଲୁଟୁଥିଲା କୋଟି କୋଟି

ସମାଜସେବା ଆଢ଼ୁଆଳରେ ଠକେଇର ସାମ୍ରାଜ୍ୟ। ଭିନ୍ନ ଭିନ୍ନ ପରିଚୟ ଦେଇ ଲୋକଙ୍କଠାରୁ ଠକିଥିଲା କୋଟି କୋଟି ଟଙ୍କା। କଟକ ସିଡିଏ ଅଞ୍ଚଳର ମହାଠକ ଶେଷଧର ପଣ୍ଡାକୁ ଗିରଫ କରିଛି ପୋଲିସ। କଟକ ଅଂଚଳରେ ରହୁଥିବା ତଥାକଥିତ ସମାଜସେବୀ ଶେଷଧରର କାଣ୍ଡ କାରନାମା ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯିବ। କାହାକୁ କୁହନ୍ତି ସେ ଉଚ୍ଚ ସରକାରୀ ଚାକିରିଆ, କାହାକୁ ନାମୀଦାମୀ ଓକିଲ ତ କାହାକୁ ବରିଷ୍ଠ ପୋଲିସ ଅଧିକାରୀ। କାହା ପାଇଁ ସେ ଏନଜିଓ ପ୍ରତିଷ୍ଠାତା ତ କାହାକୁ କହନ୍ତି ଇନଭେଷ୍ଟମେଣ୍ଟ କମ୍ପାନୀର ମାଲିକ। ଅଳ୍ପ ଟଙ୍କା ପକାଇ ବିଶ୍ବାସ ଜିତିନେବା ପରେ ଟଙ୍କା ଲୁଟିବାର ତିଆରି କରନ୍ତି ପ୍ଲାନ୍। ଏମିତି ଗପ କୁହୁକରେ ଫଶାନ୍ତି ଯେ, ଫିଟିବା ମୁସ୍କିଲ। ଟାର୍ଗେଟରେ ଥାଆନ୍ତି ମହିଳା ଓ ବରିଷ୍ଠ ନାଗରିକ। କଟକର କେଶବଚନ୍ଦ୍ର ରାଉତ। ବନ୍ଧୁତାର ବୁଢିଆଣୀ ଜାଲରେ ଏମିତି ଫଶିଗଲେ ଯେ, ଅନ୍ୟଠୁ ଋଣ କରି ଦେଇଦେଲେ ୪ କୋଟିରୁ ଅଧିକ ଟଙ୍କା, ୧୦ ଭରି ସୁନା। ମାଗିଲା ବେଳକୁ ଆଜି ନାହିଁ କାଲିକୁ ଆସ।

ପୋଲିସ ପଞ୍ଝାରେ ପଡିବା ପରେ ଶେଷଧର ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ। ଭିଜିଲାନ୍ସ କେସରୁ ମୁକୁଳିବା ବାହାନା କରି କାହାଠୁ ୫୦ ଲକ୍ଷ ନେଇଛି ତ କାହାକୁ ୩ଟି ସୋ ରୁମ୍ ବନ୍ଧା ପଡିଥିବା କହି ଠକି ନେଇଛି ୩୦ ଲକ୍ଷ। ଟଙ୍କା ମାଗିଲେ ଜାଗା ଦେଇଦେବି, ଘର କିଣାଇଦେବି କହି ୮ ମାସ ହେଲାଣି ବୁଲାଉଥିଲା। 

କଟକ ମଙ୍ଗଳବାଗ ଥାନାରେ ଗତ ମେ ମାସ ୨୧ ତାରିଖରେ ଶେଷଧର ନାଁରେ ହୋଇଥିଲା ଅଭିଯୋଗ। ୩୫ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ରୁଜୁ ହୋଇଥିଲା ମାମଲା। ହେଲେ ଫେରାର ମାରିଥିଲା ଶେଷଧର। ଶନିବାର ବାଲେଶ୍ବରରୁ ପୋଲିସ ତାକୁ ଗିରଫ କରିଛି। ହେଲେ ଗିରଫ ପରେ ବି ଯାଇନି ମୁହଁଟାଣ। ଏବେବି କ୍ୟାମେରା ସାମ୍ନାରେ ଖୋଲାଖୋଲି କହୁଛନ୍ତି ଶିକ୍ଷା ବିଭାଗରେ ଚାକିରି କରୁଛିି, ଠକେଇ କଣ ଜାଣିନି।

ସେପଟେ ପୋଲିସ କହିଛି, ଶେଷଧର ଅଭ୍ୟାସଗତ ଠକ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତା ନାଁରେ ରହିଛି ଏକାଧିକ ମାମଲା। ବାଲିଅନ୍ତାରେ ୨କୋଟି ୨୪ ଲକ୍ଷର ଠକେଇ ମାମଲା ସହ ନିମାପଡା ଥାନାରେ ରହିଛି ୫୮ ଲକ୍ଷର ଠକେଇ ଅଭିଯୋଗ। ଭଦ୍ରକରେ ବି ମାମଲା ରହିଛି। EOWରେ ତ ସାଢେ ୩ କୋଟି ଟଙ୍କାର ଚିଟିଂ କେସ୍ ରୁଜୁ ହୋଇଛି। କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ବାଲେଶ୍ବର ଏବଂ ଭଦ୍ରକରେ ଏକାଧିକ ଲୋକଙ୍କ ଠାରୁ ପାଖାପାଖି ୫୦ କୋଟି ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି। ଗିରଫଦାରୀ ପରେ ଶେଷଧରର ଟଙ୍କା ସହ ଜମି ଓ ଘର ଫ୍ରିଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡି ଏବଂ ଆୟକର ବିଭାଗର ମଧ୍ୟ ସହାୟତା ନିଆଯିବ ବୋଲି କହିଛନ୍ତି ଡିସିପି। ପୂର୍ବରୁ ୨୦୨୨ରେ ଏକ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲା ଶେଷଧର। ଏବେ ପୁଣି ପଡିଛି ପୋଲିସ ପଞ୍ଝାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।