Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ

Oct 27, 2026 - 00:47
Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ

କାଳିଆପାଣି(ରବି ନାରାୟଣ କର): ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରାମକି କମ୍ପାନି ଦ୍ବାରା ପରିଚାଳିତ ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ କାମ କରୁଥିବା ସେହି ଗାଁର ଆଦିବାସୀ ଠିକା ଶ୍ରମିକ ନକୁଳ ତିରିଆ(୩୪)ଙ୍କ ଦୁର୍ଦ୍ଦଶା ଏବେ କହିଲେ ନ'ସରେ।

ପାଖାପାଖି ଦେଢ଼ବର୍ଷ ତଳେ ଡ୍ୟୁଟି ସମୟରେ ଅସାବଧାନତାରୁ ଗୋଡ଼ ଖସିଯିବାରୁ ସେ କାରଖାନାର କେମିକାଲ କୁଣ୍ଡରେ ପଡ଼ି ଯାଇଥିଲେ।

Advertisment ସେତେବେଳେ ତାଙ୍କ ପାଟିରେ କିଛି ବିଷାକ୍ତ ପାଣି ପଶି ଯାଇଥିଲା।

କୁଣ୍ଡରୁ ବାହାରି ସେ ଗାଧୋଇ ଥିଲେ।

ହେଲେ ଡ୍ୟୁଟି ସାରି ଘରକୁ ଫେରିବାର କିଛିକ୍ଷଣ ପରେ ତାଙ୍କ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ପ୍ରବଳ କୁଣ୍ଡାଇ ହୋଇଥିଲା ବୋଲି ନକୁଳ ଅଭିଯୋଗ କରନ୍ତି।

ବହୁବାର ଭୁବନ ଓ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୌଡ଼ିଥିଲେ ହେଁ ରୋଗ କମିନଥିଲା।

ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ।

ପରୀକ୍ଷଣ ସମୟରେ ଉକ୍ତ କେମିକାଲ କୁଣ୍ଡର ପାର୍ଶ୍ବ ପ୍ରତିକ୍ରିୟାରୁ ତାଙ୍କ ଯକୃତ ସଂକ୍ରମିତ ହେବା ସହ ସେ ଭଗନ୍ଦର ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଡାକ୍ତର ତାଙ୍କୁ ଦୈନିକ ଗୋଟିଏ ଲେଖାଏଁ ଉପାଡାଜେନ-୪୫ ଔଷଧ(ବଟିକା) ଖାଇବାକୁ ପରାମର୍ଶ ଦେଇଥିଲେ।

ଏହି ବଟିକା ଗୋଟାକୁ ୨୧୦ ଟଙ୍କା ପଡ଼ୁଥିବାରୁ ବଜାରରୁ କିଣି ସେବନ କରିବା ତାଙ୍କ ପକ୍ଷେ କାଠିକର ପାଠ ବୋଲି ନକୁଳ କହନ୍ତି।

ମେଡିକାଲରୁ ଫେରି ନକୁଳ ଏ ସଂକ୍ରାନ୍ତରେ ରା‌ମ୍‌କି କମ୍ପାନି କର୍ତ୍ତୃପକ୍ଷଙ୍କ ଜଣାଇ ସହାୟତା ମାଗିଥିଲେ।

ହେଲେ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ରୋଗଗ୍ରସ୍ତ ଦର୍ଶାଇ କାମରୁ ଛଟେଇ କରିଦେଇଥିଲେ ବୋଲି ନକୁଳ ଅଭିଯୋଗ କରନ୍ତି।

ଫିଟ୍‌ନେସ୍ ସାର୍ଟିଫିକେଟ୍‌ ଆଣିଲେ କାମ ମିଳିବ ବୋଲି କହିଥିଲେ।

ଏଣେ ନିୟମିତ ଔଷଧ ସେବନ ଅଭାବରୁ ରୋଗ ବଢ଼ିଚାଲିଛି।

ଘାଆରୁ ପୂଯପାଣି ବାହାରୁଛି।

ଦିନକୁ ଦିନ ଶରୀର କ୍ଷୀଣ ହୋଇଯାଉଛି ବୋଲି ସେ କହନ୍ତି।

ବୃଦ୍ଧବାପା ଜିପୁର ତିରିଆ, ପତ୍ନୀ କବିତା, ୧୧ ବର୍ଷର ପୁଅ ଓ ୯ ବର୍ଷର ଝିଅଙ୍କୁ ନେଇ ତାଙ୍କ ୫ ଜଣିଆ ପରିବାରକୁ ମାସକୁ ମାତ୍ର ୧୦ କିଲୋ ରାସନ ଚାଉଳ ମିଳୁଥିବା ନକୁଳ କହନ୍ତି।

ବୁଢ଼ା ବାପାଙ୍କୁ ବି ଭତ୍ତା ମିଳୁନି।

ଛୋଟ ଛୁଆ ଦି'ଟାଙ୍କୁ ଭଲରେ ମୁଠେ ଦାନା ଦେଇହେଉନି।

ଗାଁ କାରଖାନାରେ କାମ କରି ମୋ ଜୀବନ ବରବାଦ୍‌ ହୋଇଗଲା ବୋଲି ଦର୍ଶାଇ ଏମିତି ଶୂ‌ନ୍ୟେଶୂନ୍ୟେ ମହାଶୂନ୍ୟେ ଆମେ କେମିତି ବଞ୍ଚିବୁ ବୋଲି କହି ନକୁଳ କାନ୍ଦିକାନ୍ଦି ଓଲଟା ପ୍ରଶ୍ନ କରିଥିଲେ।

ଏ ସଂପର୍କରେ ରାମ୍‌କି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ ଉଦ୍ୟମ ସତ୍ତ୍ବେ ସମ୍ଭବ ହୋଇନଥିଲା।

ପ୍ରଶାସନ ପକ୍ଷରୁ ଏହି ଗରିବ ଅସହାୟ ଆଦିବାସୀ ଯୁବକଙ୍କୁ ତୁରନ୍ତ ସହାୟତା ପାଇଁ ଗ୍ରାମବାସୀ ଦାବି କରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)