TMC: ମମତାଙ୍କୁ ଟିଏମ୍ସି ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଅରୂପ ରାୟ ନୂତନ ଅଧ୍ୟକ୍ଷ ନିଯୁକ୍ତ
"କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ପଦରୁ ହଟାଇଛନ୍ତି ବିଦ୍ରୋହୀ ଗୋଷ୍ଠୀ।
ଦଳରେ ବିଭାଜନ ପରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ନିଜକୁ ପ୍ରକୃତ "ଟିଏମ୍ସି" ବୋଲି ଦାବି କରୁଥିବାବେଳେ ସୋମବାର ଦଳର ପ୍ରତିଷ୍ଠାତା ତଥା ମୁଖ୍ୟ ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟେଇ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ତାଙ୍କ ସ୍ଥାନରେ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।
ବିଦ୍ରୋହୀ ଶିବିର ଏକ ସମାନ୍ତରାଳ ସଙ୍ଗଠନ ଗଠନ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବିତ କରିଛନ୍ତି।
କୋଲକାତାର ନିଉ ଟାଉନସ୍ଥିତ ଏକ ପଞ୍ଚତାରକା ହୋଟେଲରେ ସ୍ବତନ୍ତ୍ର ଅଧିବେଶନ ଡକା ଯାଇଥିବାବେଳେ ବିଦ୍ରୋହୀ ଗୋଷ୍ଠୀ ନୂତନ ଜାତୀୟ କାର୍ଯ୍ୟକାରୀ କମିଟି ଗଠନ ଘୋଷଣା କରିଛନ୍ତି।
Advertisment ଏହି କମିଟିରେ ଅରୂପ ରାୟ ଓ ଋତବ୍ରତଙ୍କ ସମେତ ମମତାଙ୍କ ଏକଦା ସହଯୋଗୀ ଥିବା କୋଲକାତାର ପୂର୍ବତନ ମେୟର ଫିରହାଦ ହାକିମ, ଅରୂପ ବିଶ୍ବାସ, ବିପ୍ଳବ ମିତ୍ର, ଅଖ୍ରୁଜଜମାନ ଅନସାରୀ, ସାବିନା ୟାସମିନ, ସନ୍ଦୀପନ ସାହା, ରଥିନ ଘୋଷ ଓ ଜାଭେଦ୍ ଖାନ୍ ଅଛନ୍ତି।
ଏହି ବୈଠକ ପରେ ଋତବ୍ରତ ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସଦସ୍ୟମାନେ ସର୍ବସମ୍ମତିକ୍ରମେ ଅରୂପ ରାୟଙ୍କୁ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରିଛନ୍ତି।
ଯଦି ମମତା ବାନାର୍ଜୀ ଆମର ମୁଖ୍ୟ ପରାମର୍ଶଦାତା ହେବାକୁ ଚାହାନ୍ତି, ତେବେ ତାଙ୍କୁ ସ୍ୱାଗତ।
ଆମେ ଟିଏମସି ଓ ଆଜିର ସ୍ୱତନ୍ତ୍ର ଅଧିବେଶନ କାର୍ଯ୍ୟପନ୍ଥା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବୁ ବୋଲି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା କହିଛନ୍ତି।
ଆହୁରି ପଢନ୍ତୁ: Ukraine: ଡୋନ୍ବାସ୍ ଦଖଲ ପାଇଁ ରୁଷ୍ର ନଜର କୋସ୍ତ୍ୟାନ୍ତିନିବକା ଉପରେ, ୟୁକ୍ରେନ୍ ପାଇଁ ବଢ଼ୁଛି ସଙ୍କଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ଶୋଚନୀୟ ପରାଜୟ ପରେ ବିଧାୟକ ଓ ସଂସଦୀୟ ଶାଖା ମଧ୍ୟରେ ବିଦ୍ରୋହ ଲାଗି ରହିଥିଲା।
ବିରୋଧୀଙ୍କ ଏହି ପଦକ୍ଷେପ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଏକ ବଡ଼ ଧକ୍କା।
ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ ଓ ବିଦ୍ରୋହୀ ତୃଣମୂଳ ବିଧାୟକମାନେ ତୃଣମୂଳ କାଉନସିଲରମାନଙ୍କ ସହ ଏକ ପୃଥକ୍ ବୈଠକ କରିବା ପରେ ଅରୂପ ରାୟଙ୍କୁ ଦଳର ମୁଖ୍ୟ ଭାବରେ ଚୟନ କରିଥିଲେ।
ହାୱଡ଼ା ସେଣ୍ଟ୍ରାଲ ବିଧାୟକ ବାଚନିକ ଭୋଟରେ ଅଧ୍ୟକ୍ଷ ବଛା ଯାଇଥିଲେ।
ଏହି ବୈଠକରେ ବରିଷ୍ଠ ନେତା ଅସୀମ ବୋଷ, ଜୁଇ ବିଶ୍ବାସ, ତାରକ ସିଂହ, ଋତବ୍ରତ ବାନାର୍ଜୀ, ସନ୍ଦୀପନ ସାହା, ଫିରହାଦ ହକିମ, ଜାଭେଦ ଖାନ ଓ ଅରୂପ ରାୟଙ୍କ ସହିତ କୋଲକାତା, ମୁର୍ସିଦାବାଦ, ବହରମପୁର ଓ ଅନ୍ୟ କେତେକ ଜିଲ୍ଲାର କାଉନସିଲର୍ ଉପସ୍ଥିତ ଥିଲେ।
ପୂର୍ବତନ ବିଧାୟକ ତଥା ବର୍ତ୍ତମାନ କାଉନସିଲର ଥିବା ଦେବାଶିଷ କୁମାର କହିଛନ୍ତି, ତୃଣମୂଳ କଂଗ୍ରେସର ସ୍ବତନ୍ତ୍ର ଅଧିବେଶନରେ ଏକ ନୂତନ ଅଖିଳ ଭାରତୀୟ କମିଟି ଗଠନ କରାଯାଇଛି।"