09 JULY 2026

Welcome!

Unlock your personalized experience.
Sign Up

The World's Deadliest Tree ; "ମୃତ୍ୟୁର ଗଛ"...ବର୍ଷା ସମୟରେ ଗଛ ତଳେ ଛିଡ଼ା ହୁଅନ୍ତୁନି ଚାଲିଯିବ ଜୀବନ ..

Jul 09, 2026 - 12:02
The World's Deadliest Tree ; "ମୃତ୍ୟୁର ଗଛ"...ବର୍ଷା ସମୟରେ ଗଛ ତଳେ ଛିଡ଼ା ହୁଅନ୍ତୁନି ଚାଲିଯିବ ଜୀବନ ..

ବ୍ୟୁରୋ ୦୯/୦୭ : ମୃତ୍ୟୁର ଗଛ ! ଦେଖିବାକୁ ସୁନ୍ଦର, କିନ୍ତୁ ଛୁଇଁବା ଅତ୍ୟନ୍ତ ବିପଦଜ୍ଜନକ । ଆମେ ସମସ୍ତେ ଜାଣିଛେ ଗଛ ହିଁ ଜୀବନ । ଆମେ କେବଳ ଗଛ ଉପରେ ନିର୍ଭରଶୀଳ ନୁହେଁ ତାଙ୍କ ପାଇଁ ଆମ ପିଣ୍ଡରେ ପ୍ରାଣ ସଞ୍ଚାର ହୁଏ କିନ୍ତୁ ଏହି ଗଛ ଆମ ଜୀବନ ମଧ୍ୟ ନେଇପାରେ। ପୃଥିବୀରେ ଏପରି ଅନେକ ଗଛ ରହିଛି, ଯାହା ଦେଖିବାକୁ ସାଧାରଣ ଲାଗିଥାଏ, କିନ୍ତୁ ସେମାନଙ୍କ ସଂସ୍ପର୍ଶରେ ଆସିବା ମଣିଷ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ସେହିପରି ଏକ ଗଛ ହେଉଛି ମାଞ୍ଚିନିଲ୍ ଗଛ ଯାହାକୁ ବିଶ୍ୱର ସବୁଠାରୁ ବିଷାକ୍ତ ଗଛ ବା "ମୃତ୍ୟୁର ଗଛ" ବୋଲି କୁହାଯାଏ।

କାହିଁକି ଏହାକୁ କୁହାଯାଏ 'ମୃତ୍ୟୁର ଗଛ' ?

ମାଞ୍ଚିନିଲ୍ ଗଛର ନାମ ସ୍ପାନିସ୍ ଶବ୍ଦ ମାନଜାନିଲାରୁ ଆସିଛି, ଯାହାର ଅର୍ଥ 'ଛୋଟ ଆପଲ୍'। ଏହାର ଫଳ ଦେଖିବାକୁ ଛୋଟ ସେଓ ପରି ହୋଇଥାଏ। କିନ୍ତୁ ଏହି ଫଳ ଯେତିକି ଆକର୍ଷଣୀୟ, ସେତିକି ଘାତକ ମଧ୍ୟ। ଗଛର ଫଳ, ପତ୍ର, ଛାଲ, କ୍ଷୀର ରସ ଓ କାଠ ଭଳି ପ୍ରତ୍ୟେକ ଅଂଶରେ ବିଷ ଭରି ରହିଛି।

କେଉଁଠି ଦେଖିବାକୁ ମିଳେ ଏହି ଗଛ ?

ମାଞ୍ଚିନିଲ୍ ଗଛ ପ୍ରାୟତଃ କାରିବିଆନ୍ ଦ୍ୱୀପପୁଞ୍ଜ, ଫ୍ଲୋରିଡା, ବାହାମାସ୍, ମଧ୍ୟ ଆମେରିକା ଓ ଉତ୍ତର ଦକ୍ଷିଣ ଆମେରିକାର ଉପକୂଳ ଅଞ୍ଚଳରେ ଦେଖାଯାଏ । ଏହାର ଉଚ୍ଚତା ୧୫ରୁ ୫୦ ଫୁଟ ପର୍ଯ୍ୟନ୍ତ ହୋଇପାରେ ।

ପ୍ରଥା-ପରମ୍ପରା-ଅନ୍ଧବିଶ୍ୱାସ: କେଉଁଠି ମୃତଦେହ ସହ ନାଚନ୍ତି ତ କେଉଁଠି ଶୋକରେ କାଟନ୍ତି ଆଙ୍ଗୁଠି !

ଗଛ ପାଖକୁ ଯିବା ମଧ୍ୟ କାହିଁକି ବିପଦଜ୍ଜନକ ?

ଏହି ଗଛକୁ ଛୁଇଁବା ତ ଦୂରର କଥା, ବର୍ଷା ସମୟରେ ଏହା ତଳେ ଠିଆ ହେବା ମଧ୍ୟ ବିପଦପୂର୍ଣ୍ଣ । ପତ୍ରରୁ ଝରୁଥିବା ବର୍ଷା ପାଣିରେ ବିଷାକ୍ତ କ୍ଷୀର ରସ ମିଶିଯାଇ ଚର୍ମରେ ଜଳାପୋଡ଼ା, ଫୋଟକା ଓ ଆଲର୍ଜି ସୃଷ୍ଟି କରିପାରେ । ଏକ ରିପୋର୍ଟ ଅନୁଯାୟୀ ଏହି ଗଛର କ୍ଷୀର ରସ ଚର୍ମରେ ପ୍ରବଳ ଜଳାପୋଡ଼ା, କୁଣ୍ଡାଇ, ମୁଣ୍ଡବିନ୍ଧା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। ଏପରିକି ଏହାର କାଠ ପୋଡ଼ିଲେ ବାହାରୁଥିବା ଧୂଆଁ ଆଖିରେ ଜଳାପୋଡ଼ା ଏବଂ ଅନ୍ଧତ୍ୱର କାରଣ ହୋଇପାରେ ।

ବିଷ ଫଳ ମାଞ୍ଚିନିଲର ଫଳକୁ ମୃତ୍ୟୁର ଫଳ ବୋଲି ମଧ୍ୟ କୁହାଯାଏ। ଏହାର ସ୍ୱାଦ ପ୍ରଥମେ ମିଠା ଲାଗୁଥିଲେ ମଧ୍ୟ, କିଛି ସମୟ ପରେ ପାଟି ଓ ଗଳାରେ ପ୍ରବଳ ଜଳାପୋଡ଼ା, ଢୋକିବାରେ ଅସୁବିଧା, ବାନ୍ତି, ରକ୍ତସ୍ରାବ ଏବଂ ପାଚନତନ୍ତ୍ରରେ ଗୁରୁତର କ୍ଷତି ସୃଷ୍ଟି କରିପାରେ। ଏହି ଫଳ ଖାଇବା ପରେ ପାଟିରେ ଭୟଙ୍କର ଜଳାପୋଡ଼ା ଓ ଗଳାରେ ଏଭଳି ଯନ୍ତ୍ରଣା ହୁଏ ଯେ ଯାହା ଧୀରେ ଧୀରେ ଅସହ୍ୟ ହୋଇପଡେ।

ବିପଦ କିନ୍ତୁ ପ୍ରକୃତି ପାଇଁ ଗୁରୁତ୍ୱପୂର୍ଣ୍ଣ

ଯଦିଓ ଏହି ଗଛ ମଣିଷ ପାଇଁ ଅତ୍ୟନ୍ତ ବିପଦଜ୍ଜନକ, ତଥାପି ପରିବେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଚେର ଉପକୂଳ ଅଞ୍ଚଳର ମାଟିକୁ ମଜବୁତ କରି ମୃତ୍ତିକା କ୍ଷୟକୁ ରୋକିଥାଏ। ସେହିପରି ଇଗୁଆନା ପରି କିଛି ପ୍ରାଣୀ ଏହାର ଫଳ ଖାଇପାରନ୍ତି ଏବଂ ଏହି ଗଛରେ ବାସ ମଧ୍ୟ କରନ୍ତି। ମାଞ୍ଚିନିଲ୍ ଗଛ ଥିବା ଅଞ୍ଚଳରେ ସାଧାରଣତଃ ସତର୍କତା ସୂଚକ ବୋର୍ଡ ଲଗାଯାଇଥାଏ। ଯଦି କେବେ ଏପରି ଗଛ ଦେଖନ୍ତି, ତେବେ ଏହାର ଫଳ ଖାଇବା କିମ୍ବା ଗଛକୁ ଛୁଇଁବା ଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, କିନ୍ତୁ ସତର୍କତା ଅବଲମ୍ବନ କରିବାକୁ କେବେ ବି ଭୁଲନ୍ତୁ ନାହିଁ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।