09 JULY 2026

Welcome!

Unlock your personalized experience.
Sign Up

"ଗୋଟିଏ କମେଣ୍ଟ... ସିଧା ଜେଲ ! ସୋସିଆଲ ମିଡିଆରେ ଲେଖିବା ପୂର୍ବରୁ ଜାଣନ୍ତୁ କଠୋର ନିୟମ।"

Jul 09, 2026 - 10:59
"ଗୋଟିଏ କମେଣ୍ଟ... ସିଧା ଜେଲ ! ସୋସିଆଲ ମିଡିଆରେ ଲେଖିବା ପୂର୍ବରୁ ଜାଣନ୍ତୁ କଠୋର ନିୟମ।"

ନୂଆଦିଲ୍ଲୀ ୦୭/୦୯ : ସୋସିଆଲ ମିଡିଆରେ ଆପଣ କମେଣ୍ଟ କରୁଛନ୍ତି କି ? ସାବଧାନ, ଗୋଟିଏ ପୋଷ୍ଟ ପାଇଁ ବି ପଡ଼ିପାରେ UAPA ପ୍ରହାର ! ଦେଶ ବିରୋଧୀ ମନ୍ତବ୍ୟ କିମ୍ବା ଆତଙ୍କବାଦକୁ ସମର୍ଥନ କରୁଥିବା ପୋଷ୍ଟ ସେୟାର କରୁଛନ୍ତି କି ? ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। ଆପଣଙ୍କର ଗୋଟିଏ ଛୋଟ ଭୁଲ ଆପଣଙ୍କୁ ବଡ଼ ଆଇନଗତ ସମସ୍ୟାରେ ପକାଇପାରେ। ନିକଟରେ ସାଉଦି ଆରବରୁ ଫେରିଥିବା କେରଳର ଜଣେ ଯୁବକଙ୍କୁ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ଅଭିଯୋଗ ହେଉଛି, ସେ ବିଦେଶରେ ରହି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମର୍ଥନ କରି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ UAPA ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି।

ସାଧାରଣତଃ ଅନେକେ ଭାବନ୍ତି, ସୋସିଆଲ ମିଡିଆରେ କିଛି ଲେଖିବା ଅଭିବ୍ୟକ୍ତିର ସ୍ୱାଧୀନତାର ଅଂଶ। କିନ୍ତୁ ଯେତେବେଳେ କଥା ଜାତୀୟ ସୁରକ୍ଷାର, ସେତେବେଳେ ସେହି ସ୍ୱାଧୀନତାର ମଧ୍ୟ ଆଇନଗତ ସୀମା ରହିଛି। ତେବେ ଆସନ୍ତୁ ଜାଣିବା UAPAର କଠୋର ନିୟମ ବିଷୟରେ...

ମନ୍ତବ୍ୟ ଏବଂ ଜାତୀୟ ସୁରକ୍ଷା
ଅନେକଙ୍କ ଧାରଣା ହେଉଛି, ଅସ୍ତ୍ର ଧରି ହିଂସା କଲେ ହିଁ ଜଣେ ବ୍ୟକ୍ତି ଆତଙ୍କବାଦୀ କିମ୍ବା ଦେଶଦ୍ରୋହୀ ବୋଲି ଗଣାଯିବେ। କିନ୍ତୁ ଆଇନର ଦୃଷ୍ଟିରେ ଏହା ସଠିକ୍ ନୁହେଁ। ଦିଲ୍ଲୀ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଡିଜିଟାଲ୍ ମାଧ୍ୟମରେ ଉଗ୍ରବାଦକୁ ପ୍ରୋତ୍ସାହନ ଦେବା, ଘୃଣା କିମ୍ବା ହିଂସାକୁ ଉସକାଇବା ଏବଂ ଭାରତର ସାର୍ବଭୌମତ୍ୱକୁ ଦୁର୍ବଳ କରିବାର ଚେଷ୍ଟା ମଧ୍ୟ UAPAର ପରିସରଭୁକ୍ତ ହୋଇପାରେ।

ଅଧିକ ପଢନ୍ତୁ ;- Illegal Drone: ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ; ପୁରୀ ପୁଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

କେବେ ଲାଗୁ ହୁଏ UAPA ?
ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା ଦେବା। ଭାରତ ଭିତରେ କିମ୍ବା ବିଦେଶରେ ରହି କେହି ଯଦି ଦେଶ ବିରୋଧରେ ଷଡ଼ଯନ୍ତ୍ର କରନ୍ତି କିମ୍ବା ସୋସିଆଲ ମିଡିଆ, ଭାଷଣ ଅଥବା ଲେଖା ମାଧ୍ୟମରେ ଭାରତର ଅଖଣ୍ଡତାକୁ ଚ୍ୟାଲେଞ୍ଜ କରନ୍ତି, ତେବେ ସେମାନଙ୍କ ବିରୋଧରେ UAPA ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଆତଙ୍କବାଦର ଡିଜିଟାଲ ପ୍ରଚାର ଉପରେ ନଜର
ଏହି ଆଇନ କେବଳ ବୋମା କିମ୍ବା ଅସ୍ତ୍ରଧାରୀ ଆକ୍ରମଣକାରୀଙ୍କ ପାଇଁ ନୁହେଁ। ଯେଉଁମାନେ ଅନଲାଇନରେ ଆତଙ୍କବାଦୀ ଚିନ୍ତାଧାରା ପ୍ରଚାର କରନ୍ତି, ନିଷିଦ୍ଧ ସଂଗଠନକୁ ସମର୍ଥନ କରନ୍ତି କିମ୍ବା ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରନ୍ତି, ସେମାନେ ମଧ୍ୟ UAPA ଅଧୀନରେ ଅଭିଯୁକ୍ତ ହୋଇପାରନ୍ତି।

ବିଦେଶରେ ଥିଲେ ବି ଖସିପାରିବେ ନାହିଁ
UAPAର ପରିସର କେବଳ ଭାରତୀୟ ନାଗରିକଙ୍କ ମଧ୍ୟରେ ସୀମିତ ନୁହେଁ। ବିଦେଶରେ ରହି କୌଣସି ବ୍ୟକ୍ତି ଯଦି ଭାରତ ବିରୋଧରେ ଡିଜିଟାଲ୍ ନେଟୱାର୍କ ଚଳାନ୍ତି, ଦଙ୍ଗା ଉସକାନ୍ତି କିମ୍ବା ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରଚାର କରନ୍ତି, ତେବେ ଭାରତ ସରକାର ସେମାନଙ୍କ ବିରୋଧରେ ମଧ୍ୟ UAPA ଅନୁଯାୟୀ ପଦକ୍ଷେପ ନେଇପାରନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।