The frog: ବିପଦରେ ବେଙ୍ଗ: କ୍ଷୀଣ ହେଉଛି ବେଙ୍ଗରଡ଼ି

Jul 05, 2026 - 08:19
The frog: ବିପଦରେ ବେଙ୍ଗ: କ୍ଷୀଣ ହେଉଛି ବେଙ୍ଗରଡ଼ି

"ବେଙ୍ଗ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଏହାର ପ୍ରାରମ୍ଭିକ ସଙ୍କେତ ମିଳିଥିଲା ୧୯୯୦ ଦଶକରେ।

ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ବିଶ୍ୱବ୍ୟାପୀ ଉଭୟଚର ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି।

ଭାରତର ପଶ୍ଚିମ ଓ ପୂର୍ବଘାଟ ପର୍ବତମାଳାରୁ ଅନେକ ବେଙ୍ଗ ପ୍ରଜାତିଙ୍କ ରଡ଼ି ଆଉ ଶୁଣାଯାଉନାହିଁ।

ଏକଦା ଓଡ଼ିଶାରେ ବେଶ୍‌ ପରିଚିତ ବ୍ରାହ୍ମଣୀ ବେଙ୍ଗ ଭଳି ଅନେକ ପ୍ରଜାତିର ବେଙ୍ଗ ଆଜି ବିରଳ ହେବାକୁ ବସି‌ଲେଣି।

ପ୍ରକୃତିର ଅନ୍ୟତମ ଜୈବସୂଚକ ଓ ସ୍ୱର ଉତ୍ପାଦକ ପ୍ରାଣୀ ବେଙ୍ଗ ଆଜି ବିପଦଗ୍ରସ୍ତ।

ପ୍ରକୃତିର ଏହି ଗାୟକଙ୍କୁ ସୁରକ୍ଷା ଦେବାପାଇଁ ବିଶ୍ବବ୍ୟାପୀ  ଆରମ୍ଭ ହୋଇଛି ବେଙ୍ଗ ସଂରକ୍ଷଣ ସଚେତନତା ଅଭିଯାନ।

ଉପସ୍ଥାପନା: ବିଭୂତି ପତିAdvertisment ବର୍ଷା ଆସିଲେ ଜଳାଶୟ କିମ୍ବା ପାଣି ଜମିଥିବା ଜଙ୍ଗଲିଆ ବୁଦାରୁ ବେଙ୍ଗ ରଡ଼ି ଶୁଣାଯାଏ।

କେବଳ ଗାଁଗଣ୍ଡାରେ ନୁହେଁ, ସହରବଜାରରେ ମଧ୍ୟ ବର୍ଷାଋତୁରେ ବେଙ୍ଗରଡ଼ି ଶୁଣାଯାଉଥିଲା।

ଏହା ଏତେ ଲୋକପ୍ରିୟ ଥିଲା ଯେ ପିଲାଙ୍କ ମନ ମୋହିବା ପାଇଁ ବେଙ୍ଗରଡ଼ି ଭଳି ଶବ୍ଦ କରୁଥିବା ବେଙ୍ଗ ବାଇଦ ତିଆରି ହେଉଥିଲା।

ଏବେ କିନ୍ତୁ ବେଙ୍ଗଙ୍କ ସ୍ବର କ୍ଷୀଣ ହୋଇଯାଉଛି।

ବେଙ୍ଗସଂଖ୍ୟା ହ୍ରାସ ପାଉଛି।

ଏହାର ପ୍ରାରମ୍ଭିକ ସଙ୍କେତ ମିଳିଥିଲା ୧୯୯୦ ଦଶକରେ।

ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ବିଶ୍ୱବ୍ୟାପୀ ଉଭୟଚର ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି।

ଏଥିରେ ସବୁଠାରୁ ଆଗରେ ଥିଲେ ବେଙ୍ଗ।

ବେଙ୍ଗ ଓ ଅନ୍ୟାନ୍ୟ ଉଭୟଚରଙ୍କ ସଂଖ୍ୟା ହ୍ରାସର ଅଧ୍ୟୟନ ଓ ନିରୀକ୍ଷଣ ପାଇଁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଫର୍‌ କଞ୍ଜର୍‌ଭେସନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ୍‌) ହ୍ରାସ ପାଉଥିବା ଉଭୟଚର ଜନସଂଖ୍ୟା ଟାସ୍କ ଫୋର୍ସ (ଡି.ଏ.ପି.ଟି.ଏଫ୍‌.) ଗଠନ କରିଥିଲା।

ବାସସ୍ଥାନ ନଷ୍ଟ, ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମି ବିକିରଣ, ବିଷାକ୍ତ ଫଙ୍ଗସ୍ ଓ ଭୂତାଣୁ ସଂକ୍ରମଣ, କୀଟନାଶକର ବହୁଳ ବ୍ୟବହାର ଓ ପାରମ୍ପରିକ ଔଷଧ ପ୍ରସ୍ତୁତି ତଥା ଖାଦ୍ୟ ପାଇଁ ଅତ୍ୟଧିକ ବେଙ୍ଗ ଶିକାର ଭଳି ଅନେକ କାରଣ ସେମାନଙ୍କ ସଂଖ୍ୟା ହ୍ରାସ ନିମନ୍ତେ ଦାୟୀ ବୋଲି କୁହାଯାଇଥିଲା।

ପରବର୍ତ୍ତୀ ବିଶ୍ୱବ୍ୟାପୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରାୟ ୪୦ ପ୍ରତିଶତ ଉଭୟଚର ପ୍ରଜାତି ବିଲୁପ୍ତିର ଦ୍ୱାରଦେଶରେ।

ଏହା ଏକ ବୃହତ୍‌ ବିଶ୍ୱସ୍ତରୀୟ ପରିବେଶୀୟ ସଙ୍କଟର ସୂଚନା ବୋଲି ପ୍ରାଣୀବିଜ୍ଞାନୀ ଚେତାଇ ଦେଇଛନ୍ତି।

ଉଭୟଚରଙ୍କ ସଂଖ୍ୟା ହ୍ରାସର ପ୍ରଥମ ସଙ୍କେତ ମିଳିଥିଲା ଯେତେବେଳେ ବେଙ୍ଗମାନଙ୍କ ରଡ଼ି କ୍ଷୀଣ ହୋଇଗଲା।

ବିଶେଷକରି କୃଷିପ୍ରଧାନ ଅଞ୍ଚଳଗୁଡ଼ିକରେ ବେଙ୍ଗସଂଖ୍ୟା ହ୍ରାସର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର।

ଶିଳ୍ପ ପ୍ରଦୂଷଣ ମଧ୍ୟ ଅନ୍ୟ ଏକ କାରଣ।

ବେଙ୍ଗ ପ୍ରଜାତି ପ୍ରଜନନ ପାଇଁ ସମ୍ପୂର୍ଣ୍ଣ ଭାବେ ଜଳ ଉପରେ ନିର୍ଭରଶୀଳ।

ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଜଳାଶୟ ଦୁଷ୍ପ୍ରାପ୍ୟ ହୋଇଗଲାଣି।

ବେଙ୍ଗ ଓ ଅନ୍ୟ ଉଭୟଚରଙ୍କ ଅଣ୍ଡାରେ ଖୋଳପା ନଥାଏ।

ତେଣୁ ସେଗୁଡ଼ିକ କେବଳ ଶୁଷ୍କତା ପ୍ରତି ନୁହେଁ, ବରଂ ଜଳରେ ଥିବା କୀଟନାଶକ ଓ ଅନ୍ୟାନ୍ୟ ଅଜୈବିକ ପ୍ରଦୂଷକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ।

କୀଟନାଶକ ଓ ପ୍ରଦୂଷକ ସହ ସିଧାସଳଖ ସମ୍ପର୍କ ବେଙ୍ଗଫୁଲାଗୁଡ଼ିକୁ ନଷ୍ଟ କରିଦିଏ।

ଯଦି ଅଣ୍ଡାଗୁଡ଼ିକ ବଞ୍ଚିଯାଆନ୍ତି, ତେବେ ସେଥିରୁ ବିକଶିତ ଛୁଆ ଓ ପୂର୍ଣ୍ଣବୟସ୍କ ବେଙ୍ଗଙ୍କଠାରେ ବିକୃତ ଅଙ୍ଗପ୍ରତ୍ୟଙ୍ଗ, ଅନ୍ଧତ୍ୱ ଆଦି ଦେଖାଯାଏ।

ସାଲାମାଣ୍ଡର୍‌, ନ୍ୟୁଟ୍, ଆନ୍ୟୁରାନ୍ ଓ ସିସିଲିଆନ୍ବେଙ୍ଗ ଭଳି ଉଭୟଚରମାନଙ୍କୁ ପ୍ରାଣୀବିଜ୍ଞାନୀମାନେ ସାଲାମାଣ୍ଡର୍‌ ଓ ନ୍ୟୁଟ୍, ଆନ୍ୟୁରାନ୍ ଏବଂ ସିସିଲିଆନ୍ ‌ଶ୍ରେଣୀରେ ବିଭକ୍ତ କରନ୍ତି।

ଯେଉଁ ଉଭୟଚରଙ୍କର ବୟସ୍କ ଅବସ୍ଥାରେ ଚାରିଟି ଗୋଡ଼ ଥାଏ, ଲାଞ୍ଜ ନଥାଏ ଏବଂ ପାଣି ବାହାରେ ରହିପାରନ୍ତି, ସେମାନଙ୍କୁ ଆନ୍ୟୁରାନ୍‌ସ ପ୍ରଜାତି କୁହାଯାଏ।

ଗୋଡ଼ବିହୀନ ଉଭୟଚରଙ୍କୁ ସିସିଲିଆନସ୍‌ କୁହାଯାଏ।

ବେଙ୍ଗମାନଙ୍କର ପଛଗୋଡ଼ ଶକ୍ତିଶାଳୀ, ଯାହା ସେମାନଙ୍କୁ ଦୂର ଓ ଉଚ୍ଚକୁ ଡେଇଁବାରେ ସାହାଯ୍ୟ କରେ।

ବେଙ୍ଗ ଭଳି ଅନ୍ୟ ଉଭୟଚର ହେଉଛନ୍ତି ମେରୁଦଣ୍ଡଧାରୀ ପ୍ରାଣୀ, ଯେଉଁମାନଙ୍କର ବଞ୍ଚିବା, ପ୍ରଜନନ ଓ ରୂପାନ୍ତରଣ ପାଇଁ ଉଭୟ ସ୍ଥଳଭାଗ ଓ ଜଳୀୟ ବାସସ୍ଥାନର ଆବଶ୍ୟକତା ଥାଏ।

ବର୍ତ୍ତମାନ ବିଶ୍ୱରେ ପ୍ରାୟ ୯,୦୦୦ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି।

ସେଥିରୁ ପ୍ରାୟ ୩୦୦ ପ୍ରଜାତି ସାଲାମାଣ୍ଡର୍‌ ଓ ନ୍ୟୁଟ୍ (ଲାଞ୍ଜଯୁକ୍ତ ଉଭୟଚର) ଏବଂ ୧୮୦ ପ୍ରଜାତି ସିସିଲିଆନ୍।

ଅବଶିଷ୍ଟ ସମସ୍ତ ପ୍ରଜାତି ଆନ୍ୟୁରାନ୍ ଶ୍ରେଣୀର।

ଭାରତରେ ପ୍ରାୟ ୪୦୦ ପ୍ରଜାତିର ଉଭୟଚର ଅଛନ୍ତି ଏବଂ ଏହା ଜୀବବିବିଧତାରେ ସମୃଦ୍ଧ ଦେଶ ପାଇଁ ଅପେକ୍ଷାକୃତ କମ୍।

ଏହି ୪୦୦ ପ୍ରଜାତି ମଧ୍ୟରୁ ପ୍ରାୟ ୨୬୦ ପ୍ରଜାତି ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ଦେଖିବାକୁ ମିଳନ୍ତି।

ଦକ୍ଷିଣ-ପଶ୍ଚିମ ଭାରତର ଏହି ଅଞ୍ଚଳକୁ "ଉଭୟଚର ହଟସ୍ପଟ୍" ବୋଲି ବିବେଚନା କରାଯାଏ।

ଜୈବ-ସୂଚକ ବେଙ୍ଗ୧୯୬୦ ଦଶକରେ ଯେତେବେଳେ ରାଚେଲ୍‌ କାର୍ସନ୍‌ ତାଙ୍କର ଐତିହାସିକ ପୁସ୍ତକ "ସାଇଲେଣ୍ଟ୍‌ ସ୍ପ୍ରିଙ୍ଗ୍‌" ପ୍ରକାଶ କଲେ, ସେ ପ୍ରଥମଥର ପାଇଁ ପ୍ରକୃତିର ଧ୍ୱନି-ଦୃଶ୍ୟ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଦେଖାଇଥିଲେ ଯେ ମନୁଷ୍ୟର ଅବିବେକୀ କାର୍ଯ୍ୟକଳାପ କିପରି ପ୍ରକୃତିର ଗାୟକ ବେଙ୍ଗମାନଙ୍କ ସ୍ୱରକୁ ନିରବ କରିଦେଉଛି।

ସେତେବେଳେ ବେଙ୍ଗଙ୍କର ମୁଖ୍ୟ ହତ୍ୟାକାରୀ ଥିଲା ଆମେରିକାରେ ଅନିୟନ୍ତ୍ରିତ ଭାବେ ବ୍ୟବହୃତ ଦୀର୍ଘସ୍ଥାୟୀ କୀଟନାଶକ ଡି.ଡି.ଟି.।

କିନ୍ତୁ ଆଜି ଜୀବମଣ୍ଡଳରେ ଏପରି ଅନେକ "ନିରବ ହତ୍ୟାକାରୀ" ଘୂରି ବୁଲୁଛନ୍ତି।

ଡେଭିଡ୍ ହକ୍ସୱର୍ଥ କହିଛନ୍ତି, “ପରିବେଶର ସାମାନ୍ୟ ପରିବର୍ତ୍ତନ ପ୍ରତି ଯେଉଁ ଉଦ୍ଭିଦ ଓ ପ୍ରାଣୀମାନେ ତୁରନ୍ତ ପ୍ରତିକ୍ରିୟା ଦେଖାନ୍ତି ସେମାନଙ୍କୁ ଜୈବ-ସୂଚକ କୁହାଯାଏ।

ଜୈବ-ସୂଚକ ଏକ ସାଧାରଣ ଜୀବ ହେବା ଉଚିତ, ଯାହାକୁ ସହଜରେ ଚିହ୍ନଟ କରାଯାଇପାରିବ ଏବଂ ପରିବେଶର ସାମାନ୍ୟତମ ପରିବର୍ତ୍ତନ ହେଲେ ତା"ର ଗଠନ କିମ୍ବା ଆଚରଣରେ ଦୃଶ୍ୟମାନ ପରିବର୍ତ୍ତନ ଦେଖାଯିବ।

ଏହି ପରିଭାଷା ଆଧାରରେ ବେଙ୍ଗ ପରି ଗୋଟିଏ ସରଳ ପ୍ରାଣୀ ଆମ ପରିବେଶରେ ଜୈବ-ସୂଚକ ଭାବେ ସର୍ବାଗ୍ରେ ରହିଛି।

ଏହାର ଜୀବନଚକ୍ର ଜଳ ଓ ସ୍ଥଳ ଉଭୟ ସହିତ ଜଡ଼ିତ ଥିବାରୁ, ଏହି ଦୁଇ ପରିବେଶର ସାମାନ୍ୟତମ ପରିବର୍ତ୍ତନ ପ୍ରତି ମଧ୍ୟ ସେ ଖୁବ୍‌ ସମ୍ବେଦନଶୀଳ।

ସେମାନେ ସ୍ଥଳ, ଜଳ ଓ ବାୟୁର ପରିବର୍ତ୍ତନ ପ୍ରତି ଅତି ଶୀଘ୍ର ପ୍ରତିକ୍ରିୟା ଦେଖାନ୍ତି।” ବେଙ୍ଗଫୁଲା ପରିବେଶର ତାପମାତ୍ରା ପରିବର୍ତ୍ତନ ପ୍ରତି ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ।

ଏହି ସମସ୍ତ କାରଣରୁ ଉଭୟଚରମାନଙ୍କୁ ଉତ୍କୃଷ୍ଟ ଜୈବ-ସୂଚକ ଭାବେ ଗଣନା କରାଯାଏ।

ସ୍ୱରରେ ଗୀତ ଗାଆନ୍ତିବିଶିଷ୍ଟ ଉଭୟଚର ପ୍ରାଣୀ ଗବେଷକ ଡକ୍ଟର ଦେବଯାନୀ ରାୟ ପ୍ରଥମେ ଗଛରେ ରହୁଥିବା ମାଈବେଙ୍ଗମାନଙ୍କର ବିଭିନ୍ନ ସ୍ୱରକୁ ରେକର୍ଡିଙ୍ଗ୍‌ କରିଥିଲେ।

ସେ କହନ୍ତି, ""ବେଙ୍ଗମାନେ ବିଭିନ୍ନ ଧ୍ୱନିର ସ୍ୱର ସୃଷ୍ଟିକରି ଗୀତ ଗାଇପାରନ୍ତି।

ମେରୁଦଣ୍ଡୀ ପ୍ରାଣୀମାନଙ୍କ ମଧ୍ୟରେ ପକ୍ଷୀମାନଙ୍କ ପରେ ସେମାନଙ୍କର ସ୍ୱର କ୍ଷମତା ଦ୍ୱିତୀୟ ସ୍ଥାନରେ ରହିଛି।

ଯଦିଓ ବିଭିନ୍ନ ବେଙ୍ଗମାନଙ୍କର ସ୍ୱର ସୃଷ୍ଟିକରି ଗୀତ ଗାଇବା ପ୍ରଣାଳୀ ଭିନ୍ନ ଅଟେ, କିନ୍ତୁ ସମସ୍ତେ ଏହା କରିବାକୁ ସକ୍ଷମ।

ସାଧାରଣତଃ ପୁରୁଷ ବେଙ୍ଗମାନେ ଗୀତ ଗାଇବାରେ ଅଧିକ ଦକ୍ଷ।

ମାଈ ପ୍ରଜାତିର ବେଙ୍ଗମାନେ ମଧ୍ୟ ଗୀତ ଗାଆନ୍ତି।

କିନ୍ତୁ ସେମାନଙ୍କର ଗୀତ ତୁଳନାତ୍ମକ ଭାବେ ସରଳ।

ପୁରୁଷ ବେଙ୍ଗମାନେ ନିଜର ଉପସ୍ଥିତି ଜଣାଇବା, ନିଜ ଅଞ୍ଚଳର ସୁରକ୍ଷା କରିବା ଓ ମାଈବେଙ୍ଗଙ୍କୁ ଆକର୍ଷିତ କରିବା ପାଇଁ ଗୀତ ଗାଆନ୍ତି।

କିଛି ପ୍ରଜାତିର ମାଈବେଙ୍ଗ ମଧ୍ୟ ତାହାର ପ୍ରତ୍ୟୁତ୍ତର ଦିଅନ୍ତି।

ସେହିପରି ପୁରୁଷ ଓ ମହିଳା ଉଭୟ ବେଙ୍ଗ ବିପଦ ସମୟରେ ଉଚ୍ଚସ୍ୱରର ଚିତ୍କାର କରି ସାଙ୍କେତିକ ଭାଷାରେ ନିଜ ସାଥୀମାନଙ୍କୁ ଡାକନ୍ତି।"" ""ବିଶ୍ୱର ସବୁଠାରୁ ଛୋଟ ବେଙ୍ଗ ମଣିଷର ବୁଢ଼ାଆଙ୍ଗୁଠି ନଖ ଉପରେ ସହଜରେ ବସିପାରେ।

ଆଶ୍ଚର୍ଯ୍ୟର କଥା ହେଉଛି, ସବୁଠାରୁ ଛୋଟ ବେଙ୍ଗ ମଧ୍ୟ ଉଚ୍ଚସ୍ୱରରେ ଗାଇପାରେ।

ଏହା ସେମାନଙ୍କର ଭୋକାଲ୍ ସ୍ୟାକ୍ ନାମକ ଏକ ବିଶେଷ ଅଙ୍ଗ ଦ୍ୱାରା ସମ୍ଭବ ହୁଏ।

ଭୋକାଲ୍ ସ୍ୟାକ୍ ବେଙ୍ଗର ଗଳାରେ ଥାଏ।

ଏହା ଫୁଲିଯାଇ ବେଲୁନ୍ ପରି ହୋଇଯାଏ।

ଫଳରେ ସେମାନଙ୍କର ସ୍ୱର ଅଧିକ ଜୋର୍‌ଦାର୍‌ ହୁଏ।

ପକ୍ଷୀମାନଙ୍କ ପରି ପ୍ରତ୍ୟେକ ବେଙ୍ଗ ପ୍ରଜାତିର ସ୍ୱତନ୍ତ୍ର ଗୀତ ଥାଏ ଏବଂ ଏହାକୁ ସେମାନଙ୍କ ସାଥୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ସହଜରେ ଚିହ୍ନଟ କରିପାରନ୍ତି।

ମାତ୍ର ମଣିଷର କାନ ପାଇଁ ବିଭିନ୍ନ ସ୍ବରର ଉଚ୍ଚାରଣରେ ରହିଥିବା ପାର୍ଥକ୍ୟ ସବୁବେଳେ ସ୍ପଷ୍ଟ ହୋଇନଥାଏ।

ଆଶ୍ଚର୍ଯ୍ୟର କଥା ସମ୍ପୂର୍ଣ୍ଣ ଅନ୍ଧାର ରାତିରେ ଏକ ଛୋଟ ଜଳାଶୟରେ ରହୁଥିବା ଶହ ଶହ ବେଙ୍ଗ ଏକାସାଥିରେ ରଡ଼ି କରୁଥିଲେ ମଧ୍ୟ ପ୍ରତ୍ୟେକ ରଡ଼ିର ସ୍ୱର ଓ ଶବ୍ଦ ଉଚ୍ଚାରଣ ଭିନ୍ନ ଭିନ୍ନ ଏବଂ ପ୍ରତ୍ୟେକ ବେଙ୍ଗ ନିଜର ସନ୍ଦେଶ ସଫଳତାର ସହିତ ତା"ର ଅନ୍ୟ ସାଥୀ ବେଙ୍ଗ ନିକଟରେ ପହଞ୍ଚାଇପାରେ।

ବେଙ୍ଗମାନଙ୍କର ଏହି ଅଦ୍ଭୁତ କ୍ଷମତା ଆଜି ବିଶ୍ୱର ବିଭିନ୍ନ ପ୍ରାଣୀ-ଧ୍ୱନି ବିଜ୍ଞାନୀ ଏବଂ ପ୍ରକୃତିର ଧ୍ୱନି-ଦୃଶ୍ୟ ପ୍ରତି ଆଗ୍ରହୀ ଅନେକ ଗବେଷକଙ୍କ ଧ୍ୟାନ ଆକର୍ଷଣ କରିଛି,” ବୋଲି ଦେବଯାନୀ ରାୟ କହନ୍ତି।

ବିଶିଷ୍ଟ ଉଭୟଚର ଗବେଷକ ଏବଂ ବେଙ୍ଗ ବିଶାରଦ ପ୍ରଫେସର ସୁଶୀଲ କୁମାର ଦତ୍ତ ବେଙ୍ଗମାନଙ୍କ ଜୀବନଶୈଳୀର ପରିବର୍ତ୍ତନ, ବିପଦ ଓ ଓଡ଼ିଶାର ବେଙ୍ଗଙ୍କ ଅବସ୍ଥିତି ଉପରେ "ରବିବାର ସମ୍ବାଦ" ସହିତ କଥା ହୋଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି।

ଆଜି ବି ଭାରତ ସମେତ ଅନ୍ୟାନ୍ୟ ଦେଶରେ ବେଙ୍ଗ ଭଳି ଛୋଟ ପ୍ରାଣୀମାନଙ୍କ ସଂରକ୍ଷଣ ଓ ଅନୁଧ୍ୟାନ ହୋଇନାହିଁ।

ତେଣୁ ବେଙ୍ଗ ଓ ଅନ୍ୟ ଉଭୟଚରଙ୍କ ସଂଖ୍ୟା ହ୍ରାସକୁ ନେଇ ସଠିକ୍‌ ଆକଳନ କରିବା ସମ୍ଭବ ହେଉନାହିଁ।

କିନ୍ତୁ ଅନେକ ପ୍ରଜାତିର ବେଙ୍ଗ ଆଜି ପ୍ରାୟତଃ ଦେଖିବାକୁ ମିଳୁନାହାନ୍ତି।

ସେଥିମଧ୍ୟରୁ ବ୍ରାହ୍ମଣୀ ବେଙ୍ଗ ସବୁଠାରୁ ଆଗରେ ରହିଛି।

ବ୍ରାହ୍ମଣୀ ବେଙ୍ଗ ଭଳି ଶିମିଳିପାଳରେ ମାଟିତଳେ ଗାତ କରି ରହୁଥିବା ଏକ ପ୍ରକାର "ବୁଲ୍‌ ଫ୍ରଗ", ବର୍ବରା ଜଙ୍ଗଲର ଗଛ କୋରଡ଼ରେ ଓ ଗଛ ଉପରେ ରହୁଥିବା ପ୍ରାୟ ପାଞ୍ଚ ସ୍ୱତନ୍ତ୍ର ପ୍ରଜାତିର କାଠ ବେଙ୍ଗ ସମେତ ଲୁଣିବେଙ୍ଗ ଓ ଦେଓମାଳିରେ ଦେଖାଯାଉଥିବା ସିସିଲିଆନ୍‌ ପ୍ରଜାତିର ବେଙ୍ଗମାନେ ଆଜି ବିରଳ ହୋଇଗଲେଣି।

ଓଡ଼ିଶା ଭଳି ବିଶ୍ବବ୍ୟାପୀ ଏହି ପ୍ରକ୍ରିୟା ଲାଗି ରହିଛି।

ଭୁବନେଶ୍ୱର ଉପକଣ୍ଠରୁ ଏବଂ ଚନ୍ଦକା ଜଙ୍ଗଲରୁ ଅନେକ ପ୍ରଜାତିର ବେଙ୍ଗ ଦୁଷ୍ପ୍ରାପ୍ୟ ହୋଇଗଲେଣି।

ଏ ଅଂଚଳରେ ପଥର ଖଣି ବିଭିନ୍ନ ପ୍ରଜାତିର ବେଙ୍ଗମାନଙ୍କ ଜୀବନ୍ତ ସମାଧି ଦେଇ ଦେଉଛି।

ସେମାନେ ପଥର ଖଣିର ଗାତରେ ଜମୁଥିବା ପାଣିରେ ପ୍ରଜନନ କରୁଛନ୍ତି, କିନ୍ତୁ ସେଠାରୁ ମାଟି ଉପରକୁ ଆସି ନପାରି ସେହିଠାରେ ପ୍ରାଣ ତ୍ୟାଗ କରୁଛନ୍ତି।

ଫଳରେ ବଂଶବିସ୍ତାର ହୋଇପାରୁନାହିଁ ଏବଂ ସେମାନେ ଶିକାରୀ ପ୍ରାଣୀଙ୍କ ଖାଦ୍ୟ ପାଲଟୁଛନ୍ତି।

ଓଡ଼ିଶାରେ ମାଟି ତଳେ ରହୁଥିବା ବେଙ୍ଗ ପ୍ରଜାତିଙ୍କ ସଂଖ୍ୟା ପ୍ରାୟ ୧୦ ହୋଇଥିବା ବେଳେ ସେଥିରୁ ଅନେକ ପ୍ରଜାତିର ବେଙ୍ଗ ସବୁଆଡ଼େ ଦେଖିବାକୁ ମିଳୁନାହାନ୍ତି।

ଦିନ ଥିଲା ଓଡ଼ିଶାରେ ଉଇହୁଙ୍କାରେ ରହି ଉଇ ଖାଉଥିବା ଏକ ଅତ୍ୟନ୍ତ କ୍ଷୁଦ୍ର ପ୍ରଜାତିର ବେଙ୍ଗ ଦେଖିବାକୁ ମିଳୁଥିଲେ।

ସେହି ପ୍ରଜାତିର ବେଙ୍ଗ ମଧ୍ୟ ପ୍ରାୟତଃ ଉଭାନ ହୋଇଗଲେଣି।

କାରଣ ରାସାୟନିକ ସାର ଓ କୀଟନାଶକର ବହୁଳ ପ୍ରୟୋଗ, ସହରୀକରଣ, ଜଙ୍ଗଲ ସମ୍ପଦ ହ୍ରାସ ହେବା କାରଣରୁ ଉଇହୁଙ୍କା ମଧ୍ୟ ଉଭେଇ ଯାଉଛି।

ଅନେକ କାରଣରୁ ସେମାନଙ୍କ ପ୍ରଜନନ ନଷ୍ଟ ହେଉଛି।

କିନ୍ତୁ ଏହାକୁ ନେଇ ଆମେ ଠିକ୍‌ ଭାବେ କହିପାରିବା ନାହିଁ ଯେ ବେଙ୍ଗସଂଖ୍ୟା କେତେ ହ୍ରାସ ପାଇଛି।

ମାତ୍ର ଓଡ଼ିଶାରେ ଆମେ କରିଥିବା ଅନୁଧ୍ୟାନରୁ ନିଶ୍ଚିତ ହୋଇଛୁ ଯେ ବେଙ୍ଗର ପ୍ରଜନନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି।

ମୂଷଳଧାରାରେ ବର୍ଷା ହେଉନାହିଁ, ପାଣିପାଗରେ ପରିବର୍ତ୍ତନ ଏବଂ ମଣିଷର ବ୍ୟବହାର ବଦଳିଯିବା ଭଳି କାରଣରୁ ବେଙ୍ଗଙ୍କ ଜୀବନଶୈଳୀରେ ବିସ୍ତୃତ ପରିବର୍ତ୍ତନ ଆସିଛି।

ବେଙ୍ଗ ଅତ୍ୟନ୍ତ ବୁଦ୍ଧିମାନ୍‌ ପ୍ରାଣୀ ଏବଂ ସେମାନେ ପରିସ୍ଥିତି ସହିତ କିପରି ଖାପ ଖୁଆଇ ଚାଲିବାକୁ ହୁଏ ତାହାକୁ ଶୀଘ୍ର ଆପଣାଇବାରେ ସକ୍ଷମ।

ହିମାଳୟର ପାଦଦେଶରେ, ଉତ୍ତର-ପୂର୍ବ ଅଂଚଳର ଜଙ୍ଗଲ ଓ ପଶ୍ଚିମଘାଟ ପର୍ବତମାଳାରେ ରହିଥିବା ଅନେକ ପ୍ରଜାତିର ବିରଳ ବେଙ୍ଗଙ୍କ ବଂଶଧର ଆମର ଓଡ଼ିଶାର ଅବିଭକ୍ତ କୋରାପୁଟର ପୂର୍ବଘାଟ ପର୍ବତମାଳରେ ରହିଛନ୍ତି।

ସେସବୁର ଅନୁଧ୍ୟାନ ଓ ସର୍ଭେ ହେବାର ସମୟ ଆସିଛି।

ଓଡ଼ିଶାର ଜଙ୍ଗଲ ସମ୍ପଦରେ ଅନିୟନ୍ତ୍ରିତ ଖଣିଖାଦାନ ବେଙ୍ଗଙ୍କ ପାଇଁ ଅତ୍ୟଧିକ ବିପଦପ୍ରବଣ ହୋଇଛି।

ସଙ୍ଗମ ପାଇଁ ରଙ୍ଗ!ଭାରତୀୟ ଉପମହାଦେଶରେ ମୌସୁମୀର ପ୍ରଥମ ବର୍ଷା ଆସିବା ସହିତ ବର୍ଷାଜଳରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ଜଳାଶୟଗୁଡ଼ିକ ସାଧାରଣ ବେଙ୍ଗମାନଙ୍କର ଏକତ୍ର ହେବା ଏବଂ ପ୍ରଜନନ କରିବାର ପ୍ରମୁଖ ସ୍ଥାନରେ ପରିଣତ ହୁଏ।

କେବଳ କିଛି ଘଣ୍ଟା ମଧ୍ୟରେ ଶହ ଶହ ବେଙ୍ଗ ଏହି ପ୍ରଜନନ ସ୍ଥଳରେ ଏକାଠି ହୋଇଯାଆନ୍ତି।

ପ୍ରାଣୀବିଜ୍ଞାନୀ ଏହି ଘଟଣାକୁ ସାମୂହିକ ବିସ୍ଫୋରକ ପ୍ରଜନନ ସମାବେଶ ବୋଲି କହନ୍ତି।

ଏହି ସମୟରେ ପୁରୁଷ ବେଙ୍ଗମାନେ ମହିଳା ବେଙ୍ଗମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ପରସ୍ପର ସହ ପ୍ରତିଯୋଗିତା କରନ୍ତି।

ସାଧାରଣତଃ ଏହି ବେଙ୍ଗମାନଙ୍କର ଦେହର ରଙ୍ଗ ମାଟିଆ ବା ବାଦାମୀ ହୋଇଥାଏ।

କିନ୍ତୁ ପ୍ରଜନନ ଋତୁ ଆସିଲେ ପୁରୁଷ ବେଙ୍ଗମାନଙ୍କ ରୂପ ସମ୍ପୂର୍ଣ୍ଣ ବଦଳି ଯାଇଥାଏ।

ସେମାନଙ୍କ ଶରୀର ଚମକଦାର ସୁବର୍ଣ୍ଣ-ହଳଦିଆ ରଙ୍ଗରେ ପରିଣତ ହୁଏ।

ଜୀବବିଜ୍ଞାନୀମାନେ ଏହି ଅସ୍ଥାୟୀ ରଙ୍ଗ ପରିବର୍ତ୍ତନକୁ ସଙ୍ଗମ ପାଇଁ ରଙ୍ଗ ପରିବର୍ତ୍ତନ (ଗତିଶୀଳ ଯୌନ ଦ୍ୱିବର୍ଣ୍ଣତା) ବୋଲି କହନ୍ତି।

ପୁରୁଷ ବେଙ୍ଗର ଅସ୍ଥାୟୀ ଭାବରେ ରଙ୍ଗ ପରିବର୍ତ୍ତନ ପ୍ରଜନନ ପାଇଁ ପ୍ରସ୍ତୁତ ଥିବାର ସଙ୍କେତ ପ୍ରଦାନ କରିଥାଏ।

ଏହି ହଳଦିଆ ରଙ୍ଗ କେବଳ ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ।

ଏହି ଉଜ୍ଜ୍ୱଳ ହଳଦିଆ ରଙ୍ଗ ପୁରୁଷ ବେଙ୍ଗମାନଙ୍କୁ ବାଦାମୀ ରଙ୍ଗର ମହିଳା ବେଙ୍ଗମାନଙ୍କଠାରୁ ସହଜରେ ପୃଥକ କରି ଚିହ୍ନଟ କରିବାରେ ସାହାଯ୍ୟ କରେ।

ପ୍ରଜନନ ସମାପ୍ତ ହେବା ପରେ ପୁରୁଷ ବେଙ୍ଗଙ୍କର ହଳଦିଆ ରଙ୍ଗ ଧୀରେ ଧୀରେ ଅଦୃଶ୍ୟ ହୋଇଯାଏ ଏବଂ ସେମାନେ ପୁଣି ପୂର୍ବପରି ବାଦାମୀ ରଙ୍ଗକୁ ଫେରି ଆସନ୍ତି।

ଏହି ବାଦାମୀ ରଙ୍ଗ ସେମାନଙ୍କୁ ଶୁଖିଲା ପତ୍ର ଓ କାଦୁଅ ତଳେ ସହଜରେ ଲୁଚି ରହିବାରେ ସାହାଯ୍ୟ କରେ।

ଏହି ରଙ୍ଗ ସେମାନଙ୍କୁ ଶିକାରୀ ପ୍ରାଣୀଙ୍କ କବଳରୁ ସୁରକ୍ଷା ଦେଇଥାଏ।

ଗବେଷିକା ସୁଶୀଳା ଅଗସ୍ତି "ରବିବାର ସମ୍ବାଦ"କୁ କହିଛନ୍ତି, ""ଏସୀୟ ସାଧାରଣ ବେଙ୍ଗ ଭାରତୀୟ ଉପମହାଦେଶର ପ୍ରାୟ ସବୁଠାରେ ଦେଖିବାକୁ ମିଳନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏହା ବିଲୁପ୍ତିର ବିପଦରେ ନାହିଁ।

କିନ୍ତୁ ଏହି ପ୍ରଜାତିର ବେଙ୍ଗ ବର୍ଷକୁ ମାତ୍ର ଥରେ ପ୍ରଜନନ କରନ୍ତି, ଯାହା ଚିନ୍ତାର ବିଷୟ।

ଯଦି ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ କୌଣସି ଅସାଧାରଣ ଘୂର୍ଣ୍ଣିଝଡ଼ କିମ୍ବା ବାତ୍ୟାଜନିତ ବର୍ଷା ହୁଏ, ତେବେ ଏହି ବେଙ୍ଗମାନଙ୍କର ସାମୂହିକ ବିସ୍ଫୋରକ ପ୍ରଜନନ ସମାବେଶ ଅଧିକ ଚଳଚଞ୍ଚଳ ହୋଇଥାଏ।

କିନ୍ତୁ ପରେ ଯଦି ଅତି ସ୍ୱଳ୍ପ ସମୟ ପାଇଁ ମଧ୍ୟ ଶୁଷ୍କ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହି ବେଙ୍ଗମାନଙ୍କର ଅଣ୍ଡା ଅଳ୍ପ ସମୟରେ ଶୁଖି ନଷ୍ଟ ହୋଇଯାଏ।

ଫଳରେ ସେହି ବର୍ଷ ବର୍ଷାଋତୁରେ ସେମାନଙ୍କର ପ୍ରଜନନ ସମ୍ପୂର୍ଣ୍ଣ ବିଫଳ ହୋଇ ଆଗାମୀ ପିଢ଼ି ଧ୍ୱଂସ ହୋଇଯାଏ।

ଏପରି ପରିସ୍ଥିତିରେ ପରବର୍ତ୍ତୀ ବର୍ଷା ହେଲେ ମଧ୍ୟ ସେମାନଙ୍କର ପ୍ରଜନନ ଆଚରଣ ପୁଣିଥରେ ସକ୍ରିୟ ହୁଏନାହିଁ, କାରଣ ସେମାନେ ବର୍ଷକୁ ଥରେ ପ୍ରଜନନ ଓ ଅଣ୍ଡାଦାନ କରନ୍ତି।”"