Tabu's shocking new avatar! ସାଉଥ ଷ୍ଟାରଙ୍କ ୧୦୦ତମ ଫିଲ୍ମ, ୩୦ ବର୍ଷ ପରେ ଏକାଠି ନଜର ଆସିବେ ନାଗାର୍ଜୁନ-ତବୁ
ତବୁଙ୍କ ଚକିତକର ନୂଆ ଅବତାର! ନାଗାର୍ଜୁନଙ୍କ ୧୦୦ତମ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ। ତେଲୁଗୁ ସିନେମାର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ନାଗାର୍ଜୁନ ଆକ୍କିନେନିଙ୍କ ୧୦୦ତମ ଚଳଚ୍ଚିତ୍ରକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ପ୍ରାୟ ୩୦ ବର୍ଷ ପରେ ନାଗାର୍ଜୁନ ଓ ତବୁଙ୍କ ଯୋଡ଼ି ପୁଣିଥରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛି। ତେବେ ଏଥର ତବୁ ଏକ ଭିନ୍ନ ଅବତାରରେ ଦେଖାଯିବେ। ରିପୋର୍ଟ ଅନୁସାରେ, ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟିକା ଭୂମିକାରେ ଅଭିନୟ କରିବେ।
ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ତବୁ ଏହି ଫିଲ୍ମରେ ଗ୍ରେ-ସେଡେଡ୍ ଚରିତ୍ରରେ ନଜର ଆସିବେ। ଏହା ତାଙ୍କ କ୍ୟାରିୟରର ସେହି ବିରଳ ଚରିତ୍ରମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଥିରେ ସେ ପ୍ରମୁଖ ଖଳନାୟିକା ଭାବେ ଦେଖାଯିବେ।
ଏହି ଚଳଚ୍ଚିତ୍ରକୁ 'ମେଡ୍ ଇନ୍ କୋରିଆ' ନାମରେ ଜଣାଶୁଣା ନିର୍ଦ୍ଦେଶକ ନବୀନ (ରା) କାର୍ତ୍ତିକ ନିର୍ଦ୍ଦେଶନା ଦେଉଛନ୍ତି। ନାଗାର୍ଜୁନ ଏହାର ସୁଟିଂ ଆରମ୍ଭ କରିସାରିଥିବା ବେଳେ ତବୁ ମଧ୍ୟ ଶୁଟିଂରେ ଯୋଗ ଦେଇଛନ୍ତି।
ବର୍ତ୍ତମାନ ଏହି ପ୍ରୋଜେକ୍ଟ 'କିଙ୍ଗ୍ ୧୦୦' ନାମରେ ପରିଚିତ ଥିଲେ ମଧ୍ୟ, ଇଣ୍ଡଷ୍ଟ୍ରି ରିପୋର୍ଟ ଅନୁସାରେ ନିର୍ମାତା ମାନେ 'ଅସୁରୁଡୁ' ନାମକୁ ଅଫିସିଆଲ୍ ଟାଇଟଲ୍ ଭାବେ ବିଚାର କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ଏକାଧିକ ଭାଷାରେ ମୁକ୍ତିଲାଭ କରାଯିବାର ଯୋଜନା ରହିଛି।
ନାଗାର୍ଜୁନ ଓ ତବୁଙ୍କ ଯୋଡ଼ି ଦୀର୍ଘଦିନ ଧରି ଦର୍ଶକଙ୍କ ପସନ୍ଦର ଯୋଡ଼ି ଭାବେ ପରିଚିତ। ସେମାନେ ୧୯୯୬ର ବ୍ଲକବଷ୍ଟର 'ନିନ୍ନେ ପେଲ୍ଲାଡାଟା' ଏବଂ ୧୯୯୮ର 'ଆଭିଡା ମା ଆଭିଡେ'ରେ ଏକାଠି ନଜର ଆସିଥିଲେ। ପ୍ରାୟ ତିନି ଦଶନ୍ଧି ପରେ ଏହି ଦୁଇ ତାରକାଙ୍କ ପୁନର୍ମିଳନ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ଉତ୍ସାହକୁ ବହୁଗୁଣିତ କରିଛି।
ତବୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସେଟରୁ ଏକ କ୍ଲାପବୋର୍ଡର ଫଟୋ ସେୟାର କରି ଶୁଟିଂ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ଫଟୋ ସହ ସେ ଲେଖିଥିଲେ,"And we begin... #King100 Nagarjuna @annapurnastudios." ଏହି ପୋଷ୍ଟ ପରେ ଚଳଚ୍ଚିତ୍ରକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ିଯାଇଛି।
ଡେକାନ୍ କ୍ରୋନିକଲଙ୍କ ସହିତ ଏକ ସାକ୍ଷାତକାରରେ ନାଗାର୍ଜୁନ କହିଛନ୍ତି, "ଆମେ ବହୁ ବର୍ଷ ଧରି ପରସ୍ପରକୁ ଜାଣିଛୁ। ମୁଁ ତାଙ୍କୁ ତାଙ୍କ କ୍ୟାରିୟର ଆରମ୍ଭରୁ ଜାଣେ। ଯେତେବେଳେ ତବୁ ଜାଣିଲେ ଯେ ମୁଁ ମୋର ୧୦୦ତମ ଚଳଚ୍ଚିତ୍ର କରୁଛି, ସେ ଏହାର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।"
ତବୁ ସବୁବେଳେ ଭିନ୍ନ ଧରଣର ଚରିତ୍ରରେ ନିଜ ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି। 'ମକବୁଲ୍', 'ହାଇଦର', 'ଅନ୍ଧାଧୁନ୍' ଏବଂ 'ଜାଲ୍: ଦି ଟ୍ରାପ୍' ଭଳି ଚଳଚ୍ଚିତ୍ରରେ ତାଙ୍କ ନକାରାତ୍ମକ ଓ ଜଟିଳ ଚରିତ୍ର ବେଶ୍ ପ୍ରଶଂସା ସାଉଁଟି ଥିଲା।
ଏବେ 'କିଙ୍ଗ୍ ୧୦୦'ରେ ମୁଖ୍ୟ ଖଳନାୟିକା ଭାବେ ତବୁଙ୍କ ଅଭିନୟ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।