Supreme Court New Guidelines: ଧର୍ଷଣ ମାମଲାରେ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ପୀଡ଼ିତାଙ୍କ ସମ୍ମାନ ପାଇଁ...
ଧର୍ଷଣ ଓ ଯୌନ ନିର୍ଯାତନା ମାମଲାର ରାୟ ଲେଖିବା ସମୟରେ ପୀଡ଼ିତାଙ୍କୁ ଦୋଷାରୋପ କରୁଥିବା କିମ୍ବା ଲିଙ୍ଗଗତ ଧାରଣା ଆଧାରିତ ଶବ୍ଦ ବ୍ୟବହାର ନ କରିବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ବିଚାରପତିଙ୍କୁ ପରାମର୍ଶ ଦେଇଛନ୍ତି।
ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ‘ରାୟ ଲେଖିବାରେ ଲିଙ୍ଗ ସଚେତନତା ଓ ସମ୍ବେଦନଶୀଳତା’ ରେ ଏହି ନିର୍ଦ୍ଦେଶ ଦିଆଯାଇଛି।
କମିଟି କହିଛି, ରାୟରେ ‘ଅସହାୟ ମହିଳା’, ‘ପବିତ୍ରତା ହରାଇବା’ କିମ୍ବା ‘ମର୍ଯ୍ୟାଦା ହନନ’ ଭଳି ଶବ୍ଦ ବ୍ୟବହାର ନ କରାଯାଉ। ଏହା ବଦଳରେ ‘ପୀଡ଼ିତା’, ‘ସର୍ଭାଇଭର୍’, ‘ଯୌନ ନିର୍ଯାତନା’ ଓ ‘ଶାରୀରିକ ସ୍ୱାଧୀନତା’ ଭଳି ନିରପେକ୍ଷ ଶବ୍ଦ ପ୍ରୟୋଗ କରିବାକୁ କୁହାଯାଇଛି।
ରିପୋର୍ଟରେ ଉଲ୍ଲେଖ ରହିଛି, ମାମଲା ଦାଖଲରେ ବିଳମ୍ବ, ଶରୀରରେ ଆଘାତ ଚିହ୍ନ ନ ଥିବା କିମ୍ବା ପ୍ରତିରୋଧ ନ କରିବାକୁ ସମ୍ମତିର ପ୍ରମାଣ ଭାବେ ଧରାଯିବ ନାହିଁ। ପ୍ରତ୍ୟେକ ପୀଡ଼ିତାଙ୍କ ପ୍ରତିକ୍ରିୟା ଆଘାତର ପରିସ୍ଥିତି ଅନୁସାରେ ଭିନ୍ନ ହୋଇପାରେ।
ଏହା ସହ ବିଚାର ସମୟରେ ପୀଡ଼ିତାଙ୍କ ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା, ଅପମାନଜନକ ପ୍ରଶ୍ନରୁ ରୋକିବା, ଇନ୍-କ୍ୟାମେରା ଶୁଣାଣି ଓ ଆଇନଗତ ସହାୟତା ଭଳି ପଦକ୍ଷେପ ନେବାକୁ କମିଟି ସୁପାରିସ କରିଛି। ଯୌନ ଅପରାଧ ମାମଲାରେ ନ୍ୟାୟ ପ୍ରକ୍ରିୟା ଅଧିକ ସମ୍ବେଦନଶୀଳ ଓ ମାନବିକ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।