Sonia Gandhi’s Childhood Home to Become Museum? ଇଟାଲୀରେ 'ଇଣ୍ଡିଆନ୍ ହାଉସ୍', ମ୍ୟୁଜିୟମରେ ପରିଣତ ହେବ ସୋନିଆଙ୍କ ଘର!
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଇଟାଲୀରେ ଥିବା ପୈତୃକ ଘର ଏବେ ମ୍ୟୁଜିୟମ୍ରେ ପରିଣତ ହେବାକୁ ଯାଉଛି।
ଇଟାଲୀରେ ରହୁଥିବା ଜଣେ ଭାରତୀୟ ଶିଖ ବ୍ୟବସାୟୀ ସୁଖଦେବ ସିଂହ କାଙ୍ଗ ଏହି ଘରକୁ ୬ ବର୍ଷ ତଳେ କିଣିଥିଲେ।
ଏବେ ଏହାକୁ ଏକ ଆଧୁନିକ ମ୍ୟୁଜିୟମ୍ରେ ପରିଣତ କରିବାକୁ ସେ ଯୋଜନା କରୁଛନ୍ତି।
ଏଥିପାଇଁ ସେ ଗାନ୍ଧୀ ପରିବାରଙ୍କୁ ଭେଟିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି।
Advertisment ସୁଖଦେବ ସିଂହ କାଙ୍ଗଙ୍କ କହିବା ଅନୁସାରେ, ଇଟାଲୀର ଭିଚେଞ୍ଜା ପ୍ରଦେଶର ଲୁସିଆନା ଅଞ୍ଚଳରେ ଥିବା ଏହି ଘରର ନାମ ରହିଛି 'ଇଣ୍ଡିଆନ୍ ହାଉସ୍'।
ଘର ବାହାରେ ଭାରତୀୟ ତ୍ରିରଙ୍ଗା ଲାଗିଥିବା ବେଳେ ଏକ ନାମଫଳକରେ ଏହାକୁ ସୋନିଆ ଗାନ୍ଧୀଙ୍କ ଜନ୍ମସ୍ଥାନ ବୋଲି ଉଲ୍ଲେଖ କରାଯାଇଛି।
୬ଟି କୋଠରୀ ଥିବା ଏହି ଘରେ ସୋନିଆ ଗାନ୍ଧୀଙ୍କ ଜନ୍ମ ୯ ଡିସେମ୍ବର ୧୯୪୬ରେ ହୋଇଥିଲା।
ଏଠାରେ ସେ ନିଜ ପିଲାଦିନର ପ୍ରାରମ୍ଭିକ ସମୟ ବିତାଇଥିଲେ।
ଘରଟି ଧୂସର ରଙ୍ଗର ପଥର ଓ କଂକ୍ରିଟ୍ରେ ନିର୍ମିତ ଏକ କୋଠାରେ ଅବସ୍ଥିତ।
Advertisment ୧୯୯୨ରେ ପଞ୍ଜାବରୁ ଯାଇଥିଲେ ଇଟାଲୀ ୫୨ ବର୍ଷୀୟ ସୁଖଦେବ ସିଂହ କାଙ୍ଗ ପଞ୍ଜାବର ହୋଶିଆରପୁର ଜିଲ୍ଲାର ଏକ ଗାଁରୁ ୧୯୯୨ରେ ଇଟାଲୀ ଯାଇଥିଲେ।
ସେଠାରେ ଜୀବନ ଆରମ୍ଭ କରିବା ତାଙ୍କ ପାଇଁ ସହଜ ନଥିଲା।
ପ୍ରଥମେ ସେ ଡାଏରୀ ଫାର୍ମ, କୃଷି କ୍ଷେତ୍ର ଏବଂ କାରଖାନାରେ କାମ କରିଥିଲେ।
୨୦୨୦ରେ ସେ ନିଜ ପତ୍ନୀ ଓ ଝିଅଙ୍କ ନାମରେ ଏହି ଘର କିଣିଥିଲେ।
ଘରର ରକ୍ଷଣାବେକ୍ଷଣ ପାଇଁ ଜଣେ କେୟାରଟେକର୍ ନିଯୁକ୍ତ କରାଯାଇଛି।
ପର୍ଯ୍ୟଟକମାନେ ଘରଟିକୁ ଦେଖିବାକୁ ଆସିଲେ କେୟାରଟେକର୍ ସେମାନଙ୍କୁ ସହଯୋଗ କରନ୍ତି।
ଏହି ଘରର ଟ୍ୟାକ୍ସ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତିବର୍ଷ ପ୍ରାୟ ୧,୦୦୦ ୟୁରୋ ଖର୍ଚ୍ଚ ହେଉଛି।
ସୁଖଦେବ ଓ ତାଙ୍କ ପରିବାର ଗାନ୍ଧୀ ପରିବାରର ଜଣେ ବଡ଼ ପ୍ରଶଂସକ।
ପ୍ରତିବର୍ଷ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ସେମାନେ ଏକ ବଡ଼ ସାଧାରଣ କାର୍ଯ୍ୟକ୍ରମ ଆୟୋଜନ କରନ୍ତି।
କାଙ୍ଗ କହିଛନ୍ତି ଯେ, ଇଟାଲୀରେ ଥିବା କିଛି ପରିଚିତଙ୍କଠାରୁ ସେ ଜାଣିବାକୁ ପାଇଥିଲେ ଯେ, ଏହି ଘରଟି ଜଣେ ଭାରତୀୟ ଏବଂ ଶିଖ ପରିବାର ହାତକୁ ଯାଉ ବୋଲି ଇଚ୍ଛା ରହିଛି।
ତେଣୁ ସେ ଏହାକୁ କିଣିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଏହାର ଐତିହାସିକ ପରିଚୟକୁ ଅକ୍ଷୁଣ୍ଣ ରଖିଛନ୍ତି।
ଏହି ଘରକୁ ଭଡ଼ାରେ ଦେବା କିମ୍ବା ଗୁରୁଦ୍ୱାରରେ ପରିଣତ କରିବା ପାଇଁ ଅନେକ ପ୍ରସ୍ତାବ ଆସିଥିଲେ ମଧ୍ୟ ପରିବାର ତାହାକୁ ଗ୍ରହଣ କରିନଥିଲେ।
ସୋନିଆ ଗାନ୍ଧୀ ଓ ମାଇନୋ ପରିବାର ସହ ଏହି ଘରର ଐତିହାସିକ ସମ୍ପର୍କକୁ ସଂରକ୍ଷିତ ରଖିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ।
ଏହି ଘରକୁ ଏକ ଅତ୍ୟାଧୁନିକ ମ୍ୟୁଜିୟମ୍ରେ ପରିଣତ କରିବାକୁ ଚାହୁଁଛନ୍ତି ସୁଖଦେବ।
ଏଥିପାଇଁ ସେ ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାକୁ ଆଶା ରଖିଛନ୍ତି।
ମ୍ୟୁଜିୟମ୍ରେ ସୋନିଆଙ୍କ ପିଲାଦିନର ଫଟୋ, ବ୍ୟକ୍ତିଗତ ସାମଗ୍ରୀ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ସ୍ମୃତିଚିହ୍ନ ରଖିବାକୁ ସେ ଚାହୁଁଛନ୍ତି।
ଏଥିପାଇଁ ଗାନ୍ଧୀ ପରିବାରର ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।
ମ୍ୟୁଜିୟମ୍ ନିର୍ମାଣ ହେବା ପରେ ଇଟାଲୀ ଯାଉଥିବା ଶହ ଶହ ଭାରତୀୟ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସିବେ।
ଏହାଦ୍ୱାରା ସ୍ଥାନୀୟ ଗାଁର ପର୍ଯ୍ୟଟନ ଓ ଅର୍ଥନୀତିକୁ ମଧ୍ୟ ଲାଭ ମିଳିବ ବୋଲି ସେ ଆଶା ରଖିଛନ୍ତି।
ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ମୃତିଗ୍ରନ୍ଥ 'Belong: A Journey of Love' ପ୍ରକାଶ ପାଇବା ପରେ ତାଙ୍କ ଜୀବନ ଓ ଇଟାଲୀରେ ବିତାଇଥିବା ପିଲାଦିନକୁ ନେଇ ପୁଣି ଚର୍ଚ୍ଚା ବଢ଼ିଛି।
ଏହି ପୁସ୍ତକ ପଢ଼ିବାକୁ ମଧ୍ୟ ଅପେକ୍ଷା କରିଛନ୍ତି କାଙ୍ଗ।
ସେ କହିଛନ୍ତି, କିଛି ବର୍ଷ ପୂର୍ବେ ପଞ୍ଜାବର କିଛି ବନ୍ଧୁ ତାଙ୍କୁ ସୋନିଆ ଗାନ୍ଧୀଙ୍କ ଘର ବିଷୟରେ ପଚାରିଥିଲେ।
ସେତେବେଳେ ସେ କେବେ ଭାବିନଥିଲେ ଯେ ଦିନେ ସେହି ଘରର ଚାବି ତାଙ୍କ ହାତରେ ରହିବ।
ଏବେ ସମସ୍ତଙ୍କ ନଜର ରହିଛି ଗାନ୍ଧୀ ପରିବାର ଏହି ପ୍ରସ୍ତାବକୁ କିଭଳି ଗ୍ରହଣ କରୁଛନ୍ତି ଏବଂ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘର କେବେ ମ୍ୟୁଜିୟମ୍ର ରୂପ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
