Sonia Gandhi: ସୋନିଆ ଗାନ୍ଧୀ ଓ ‘ଏକ ନିବିଡ଼ ପ୍ରେମ ଯାତ୍ରା’
ଗୋବିନ୍ଦ ଭୂୟଁା ୧୯୬୬ ମସିହା।
ଇଂଲାଣ୍ଡର ପ୍ରସିଦ୍ଧ କେମ୍ବ୍ରିଜ ପରିସରରେ ଏକ ଗ୍ରୀକ ରେଷ୍ଟୁରାଣ୍ଟ।
ଇଟାଲିରୁ ଆସି 'ଜ୍ୟାରେଟ ସ୍କୁଲ ଅଫ ଇଂଲିଶ'ରେ ପାଠ ପଢୁଥିବା ୧୯ ବର୍ଷୀୟା ସୋନିଆ ପ୍ରଥମେ ସେଇଠି ରାଜୀବଙ୍କୁ ଦେଖିଥିଲେ।
ଡେଙ୍ଗା, ଗାଢ଼ କଳା ଦୁଇ ଆଖି ଓ ସୁଦର୍ଶନ; ସେହି ଅପରିଚିତ ଯୁବକଙ୍କୁ ଲୁଚେଇ ଲୁଚେଇ ବାରମ୍ବାର ଚାହିଁବାକୁ ସୋନିଆଙ୍କ ଯୁବା ମନ ଟାଣି ହୋଇଯାଉଥିଲା।
ଏବଂ ତାହା ଥିଲା ନିଟୋଳ ପ୍ରେମ।
ସେତେବେଳେ ରାଜୀବଙ୍କ ବୟସ ୨୨।
ସେ ଇଞ୍ଜିନିୟରିଂ ପଢୁଥାଆନ୍ତି।
କ୍ରମେ ଦୁହିଁଙ୍କ ଭିତରେ ପରିଚୟ, ବନ୍ଧୁତା ଓ ଉଭୟ ପରିବାରର ସମ୍ମତିରେ ବା'ଘର।
ରାଜୀବଙ୍କ ପତ୍ନୀ, ଇନ୍ଦିରାଙ୍କ ବୋହୂ, ରାହୁଳ ଓ ପ୍ରିୟଙ୍କାଙ୍କ ମା' ଭାବରେ ତାଙ୍କର ଭୂମିକା ଓ ଭାରତ ଭୂମିରେ ଭାରତୀୟ ଜାତି ଓ ଭାରତୀୟତାକୁ ନେଇ ତାଙ୍କର ନିଜରପଣ, ନିବିଡ଼ପଣ ଇତ୍ୟାଦିର ଆଧାରରେ ସୋନିଆ ଲେଖିଛନ୍ତି ଆତ୍ମଜୀବନୀ- 'ବିଲଙ୍ଗିଙ୍ଗ: ଏ ଜର୍ନି ଅଫ ଲଭ।' ସୋନିଆ ଗାନ୍ଧୀ ପ୍ରଚଣ୍ଡ ଆତ୍ମବିଶ୍ବାସର ଅଧିକାରିଣୀ।
ଖୁବ୍ ସାହସିନୀ ମଧ୍ୟ।
ସେ ଅଧ୍ୟାତ୍ମଚେତା; ଧୈର୍ଯ୍ୟ, ନମ୍ରତା, ସୌଜନ୍ୟ, ସହନଶୀଳତା ଆଦି ଦୁର୍ଲଭ ଗୁଣଗୁଡ଼ିକ ତାଙ୍କ ଚିତ୍ତବୃତ୍ତିର ଅଳଙ୍କରଣ ଓ ଯଥାଯଥ ଭାବରେ ସେଗୁଡ଼ିକର ଉପଯୋଗ କରି ପର୍ବତ ପ୍ରମାଣ ଆହ୍ବାନଗୁଡ଼ିକ ସହିତ ସେ ଅନବରତ ଲଢୁଛନ୍ତି।
ଇଟାଲି ଦେଶର ଏକ ଅଖ୍ୟାତ ସହରୁ ସାଧାରଣ ନିମ୍ନମଧ୍ୟବିତ୍ତ ପରିବାରର ଝିଅଟିଏ ନିଜ ବାପା, ମା', ସାନବଡ଼ ଦୁଇ ଭଉଣୀଙ୍କଠାରୁ ବିଦାୟ ନେଇ 'ପ୍ରେମ' ପାଇଁ ସୁଦୂର ଭାରତକୁ ଏକାକିନୀ ଆସିବା ତାଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଆହ୍ବାନ ଥିଲା।
ଏବଂ ସେ ଆହ୍ବାନ ତାଙ୍କୁ ବିଜୟୀ କରିଚି; ତାଙ୍କ ଦାଂପତ୍ୟ ଖୁବ୍ ପ୍ରୀତିପଦ ଥିଲା।
କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଆଗରେ ଅନେକ ଜଟିଳ ସଂକଟ ଉଭା ହୋଇଚି।
୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ୧୯୯୧ ମେ ୨୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ତାଙ୍କୁ ତ୍ରସ୍ତ ଓ ସ୍ତବ୍ଧ କରିଦେଇଚି।
ଘଟଣାକ୍ରମରେ ସଂଘର୍ଷ ପାଲଟି ଯାଇଚି ତାଙ୍କ ଜୀବନର ପଥ ଓ ପୃଥିବୀ।
ରାହୁଳ ଓ ପ୍ରିୟଙ୍କାଙ୍କୁ ନେଇ ତାଙ୍କର ଛୋଟ ସଂସାରର ସେ ଶାନ୍ତି ଓ ନିରାପତ୍ତା ଖୋଜିଛନ୍ତି।
ରାଜୀବଙ୍କ ସ୍ଥାନରେ କଂଗ୍ରେସ ଦଳର ନେତୃତ୍ବ ନେବା ପାଇଁ ପ୍ରସ୍ତାବ ପରେ ପ୍ରସ୍ତାବ ତାଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି।
ନିଜର ଭଙ୍ଗା ହୃଦୟରେ ଦୃଢ଼ତା ସଂଗ୍ରହ କରି ସୋନିଆ ପ୍ରତ୍ୟାଖ୍ୟାନ କରିଛନ୍ତି।
୧୯୯୬ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦେଶରେ ଶୋଚନୀୟ ଭାବରେ ବିଫଳ ହୋଇଚି।
୧୯୯୭ ବେଳକୁ ଦଳ ସବୁଠୁ ଅଧିକ ଦୟନୀୟ ସ୍ଥିତିରେ ପହଞ୍ଚିଚି।
ଏହାର ପୂର୍ଣ୍ଣ ସୁଯୋଗ ନେବା ପାଇଁ ବିଜେପି-ଆରଏସଏସ ଧର୍ମ ଭିତ୍ତିରେ 'ବିଭାଜନମୂଳକ ଅଭିସନ୍ଧି' ଧରି ଭୋଟବ୍ୟାଙ୍କ ବଢ଼େଇବାକୁ ଉତ୍ସାହିତ ହୋଇଚି।
ସୋନିଆ ବ୍ୟଥିତ ହୋଇପଡ଼ିଛନ୍ତି।
ଭାରତକୁ ଗାନ୍ଧୀଜୀ, ପଣ୍ଡିତ ନେହରୁ, ଇନ୍ଦିରାଜୀ ଓ ଅନ୍ୟ ପ୍ରମୁଖ ଦେଶଭକ୍ତମାନେ ଯେଉଁ ରୂପରେ ଦେଖିବାକୁ ଚାହୁଥିଲେ; 'ବିବିଧତା ଭିତରେ ଏକତା', ଯାହା ଭାରତର ଆତ୍ମା, ପ୍ରତିଜ୍ଞା ଓ ସୌନ୍ଦର୍ଯ୍ୟ; ତାହାକୁ ସେହି ରୂପରେ ଅତୁଟ ରଖିବା ଲକ୍ଷ୍ୟରେ ସୋନିଆ ଦ୍ବନ୍ଦ୍ବ, ବିଷାଦ ଓ ଅସ୍ଥିରତାର ଘୂର୍ଣ୍ଣିରେ ଘାରି ହୋଇଛନ୍ତି।
ଏଥିପାଇଁ ତାଙ୍କ ଯୋଗ୍ୟତା ବାବଦରେ ସେ ନିଜକୁ ପ୍ରଶ୍ନ ପଚାରିଛନ୍ତି।
ତାଙ୍କ ବିଦେଶିନୀ ପରିଚୟ ତାଙ୍କୁ ଚିନ୍ତାଗ୍ରସ୍ତ କରିଚି।
ପିଲାଦିନୁ ସ୍ମୃତିରେ ଥିବା ଭଗବଦ୍ ଗୀତାର ସନ୍ଦେଶ ତାଙ୍କ ଭିତରେ ସମ୍ଭାବନା ସଂଚାର କରିଚି।
ଲାଲବାହଦୁର ଶାସ୍ତ୍ରୀ ସଂସ୍କୃତ ବିଦ୍ୟାପୀଠର ପ୍ରଫେସର ବାଚସ୍ପତି ଉପାଧ୍ୟାୟଙ୍କୁ ଅନୁରୋଧ କରି ୧୯୯୭ ଜାନୁଆରିରୁ ଗୋଟିଏ ବର୍ଷ ଧରି ତାଙ୍କ ଜରିଆରେ ଭଗବଦ୍ ଗୀତାର ଶ୍ଳୋକଗୁଡ଼ିକୁ ହିନ୍ଦୀରେ ବୁଝିଛନ୍ତି।
ଶ୍ରୀକୃଷ୍ଣଙ୍କ ମୁହଁରେ 'କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ' େଶ୍ଳାକାଂଶର ମର୍ମ ମହାଭାରତର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ-ବିମୁଖ ଯୋଦ୍ଧା ଅର୍ଜୁନଙ୍କୁ ଧନୁ ଧରିବାକୁ ଉଦ୍ବୁଦ୍ଧ କରିବା ପରି ଭାରତକୁ ସାଂପ୍ରଦାୟିକ ଶକ୍ତି ମୁଠାରୁ ମୁକ୍ତ କରିବା ଲାଗି କର୍ତ୍ତବ୍ୟର ଡାକରା ସୋନିଆଙ୍କୁ ଶୁଭିଛି।
୧୯୯୭ ମସିହାରେ ସୋନିଆ କଂଗ୍ରେସର ସଭ୍ୟ ପଦ ଗ୍ରହଣ କରିଛନ୍ତି।
୧୯୯୮ ମସିହା ମାର୍ଚ୍ଚ ୪ ତାରିଖରେ ବର୍ଷୀୟାନ ନେତା ସୀତାରାମ କେଶରୀଙ୍କ ସ୍ଥାନରେ ସେ କଂଗ୍ରେସ ଦଳର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।
କଂଗ୍ରେସ କାର୍ଯ୍ୟାଳୟରୁ ଅବେଗ-ଚାଳିତ ଭାବରେ ସେ ସୀତାରାମ କେଶରୀଙ୍କ ବାସଭବନରେ ପହଞ୍ଚିଛନ୍ତି।
ସେଠାରେ ସୋନିଆ ନଇଁ ପଡ଼ି କେଶରୀଜୀଙ୍କ ପାଦ ସ୍ପର୍ଶ କରିଛନ୍ତି ଓ କେଶରୀଜୀ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି।
ଗୁରୁଜନଙ୍କର ପାଦ ଛୁଇଁବା ଓ ଆଶୀର୍ବାଦ ନେବା ହେଉଚି ଭାରତୀୟ ସଂସ୍କୃତି; ଭାରତୀୟତା।
ସୋନିଆ ଅନ୍ତଃକରଣରେ ଭାରତୀୟତାକୁ ଗ୍ରହଣ କରି ସାରିଛନ୍ତି।
ସୋନିଆଙ୍କ ପାରଦର୍ଶୀ ନେତୃତ୍ବ ଫଳରେ ଜଡ଼ତା ଭାଙ୍ଗିଚି ଓ କଂଗ୍ରେସ ଦଳ ସକ୍ରିୟ ହୋଇଚି।
୧୯୯୯ ସାଧାରଣ ନିର୍ବାଚନରେ ସୋନିଆ ନିର୍ବାଚନ ଲଢ଼ିଛନ୍ତି।
ରାଜୀବଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଆମେଥିରୁ ଲଢ଼ିବାକୁ ସେ ଚାହିଁଛନ୍ତି, ହେଲେ ଦଳର ଅଭିଜ୍ଞ ନେତାମାନଙ୍କର ପରାମର୍ଶରେ ଆମେଥି ସହିତ ସେ ଦକ୍ଷିଣ ଭାରତ କର୍ଣ୍ଣାଟକର ବେଲାରିରୁ ମଧ୍ୟ ଲୋକସଭାକୁ ପ୍ରାର୍ଥୀ େହାଇଛନ୍ତି।
ସୋନିଆଙ୍କୁ କଡ଼ା ଟକ୍କର ଦେବା ପାଇଁ ବିଜେପି, ଅନୁଭବୀ ନେତ୍ରୀ ସୁଷମା ସ୍ବରାଜଙ୍କୁ ବେଲାରିରେ ପ୍ରାର୍ଥୀ କରିଚି।
ସୁଷମାଙ୍କର ସ୍ଲୋଗାନ ଥିଲା 'ଦେଶୀ ବେଟୀ' ଓ 'ବିଦେଶୀ ବୋହୂ'; ହେଲେ ଆମେଥି ସହ ବେଲାରିରେ ଏକ ସୁନ୍ଦର ବ୍ୟବଧାନରେ ସୋନିଆ ଜିତିଛନ୍ତି।
'ବିଦେଶୀ ବୋହୂ'କୁ ଭୋଟରମାନେ ଗ୍ରହଣ କରିଛନ୍ତି।
ସୋନିଆ ମନେ ପକେଇଛନ୍ତି, ୧୯୯୯ରେ ମହାରାଷ୍ଟ୍ରର ବରିଷ୍ଠ ନେତା, କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଶରଦ ପାୱାର ଏବଂ ତାଙ୍କ ଅନ୍ୟ ଦୁଇ ଜଣ ସଦସ୍ୟ ସାଥି ଏକ ଲମ୍ବା ଚିଠି ଲେଖି ସେ ବିଦେଶିନୀ ହୋଇଥିବାରୁ ଭାରତର କୌଣସି ଉଚ୍ଚ ପଦରେ ରହିପାରିବେ ନାହିଁ ବୋଲି ଦାବି କରିଥିଲେ।
ଏପରିକି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ମୁହଁାମୁହିଁ ବିଦେଶିନୀ ପ୍ରସଙ୍ଗକୁ ସେ ଦୋହରାଇଥିଲେ।
ଦେହରକ୍ଷୀଙ୍କ ଗୁଳିରେ ଇନ୍ଦିରାଙ୍କ ମୃତ୍ୟୁର କରୁଣ ପ୍ରସଙ୍ଗ ସୋନିଆ ଲିପିବଦ୍ଧ କରିଛନ୍ତି।
ମୃତ୍ୟୁର ପୂର୍ବ ଦିନ ଅକ୍ଟୋବର ୩୦ ତାରିଖ ଇନ୍ଦିରାଜୀ ଓଡ଼ିଶାରେ ଥିଲେ ଓ ସନ୍ଧ୍ୟାରେ ଦିଲ୍ଲୀ ଫେରିଥିଲେ।
ଭୁବନେଶ୍ବରଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ସେଦିନ ଅଭିଭାଷଣ ଦେଇ ଇନ୍ଦିରାଜୀ କହିଥିଲେ- ''ମୁଁ ଆଜି ଅଛି, କାଲିକୁ ନ ଥାଇପାରେ। x x x ଯେତେବେଳେ ମୋର ମୃତ୍ୟୁ ହେବ ମୋର ପ୍ରତ୍ୟେକଟି ରକ୍ତବୁନ୍ଦା ଭାରତକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବାରେ ଉପଯୋଗ ହେବ।'' ପ୍ରଧାନମନ୍ତ୍ରୀଙ୍କ ପସନ୍ଦକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସେଦିନ ଏବ ଆଦିବାସୀ ଶାଢ଼ି ପ୍ରଦର୍ଶନୀର ଆୟୋଜନ କରିଥିଲେ।
ଇନ୍ଦିରାଜୀ ସେଠାରୁ ନିଜ ପସନ୍ଦର ତିନିଖଣ୍ଡ ଶାଢ଼ି ନେଇଥିଲେ।
ଦିଲ୍ଲୀରେ ପହଞ୍ଚି କିଛି ସମୟର ବିଶ୍ରାମ ପରେ ବିଳମ୍ବିତ ସନ୍ଧ୍ୟାରେ ପ୍ୟାକେଟ ଖୋଲି ସେହି ହାତବୁଣା ସୂତା ଶାଢ଼ିଗୁଡ଼ିକୁ ସେ ବୋହୂ ସୋନିଆଙ୍କୁ ଦେଖେଇଥିଲେ।
ଇନ୍ଦିରାଙ୍କ ମୃତ୍ୟୁ ସମ୍ବାଦ ଘୋଷଣା ପରେ ରାଜୀବଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସର ବରିଷ୍ଠ ନେତାମାନଙ୍କର ପ୍ରସ୍ତାବ ଶୁଣି ସୋନିଆ ବିକଳ ହୋଇ ହାତ ଯୋଡ଼ି ସେଥିରୁ ନିବୃତ୍ତ ହେବାକୁ ରାଜୀବଙ୍କୁ ନେହୁରା ହୋଇଥିଲେ।
ସେ କାନ୍ଦିକାନ୍ଦି କହିଥିଲେ, ''ନା କଦାପି ହୋଇପାରିବ ନାହିଁ।
ତମେ ପ୍ରତ୍ୟାଖ୍ୟାନ କର।
ସେମାନେ ତମକୁ ମଧ୍ୟ ମାରିଦେବେ।'' ସେହି କରୁଣ ପରିବେଶରେ ସୋନିଆଙ୍କୁ ରାଜୀବ କହିଥିଲେ, ''ସେମାନେ ଯେମିତି ହେଲେ ମୋତେ ହତ୍ୟା କରିବେ'' (ଦେ ଉଇଲ କିଲ୍ ମି ଏନିୱେ)।
ଇନ୍ଦିରାଙ୍କ ନିଧନ ପରେ ସୃଷ୍ଟି ହୋଇଥିବା ଦୁଃଖଦାୟକ ଶିଖ ବିରୋଧୀ ଦଙ୍ଗା ବିଷୟ ସୋନିଆ ଲିପିବଦ୍ଧ କରିଛନ୍ତି।
ପୁସ୍ତକରେ ଜରୁରୀକାଳୀନ ପରିସ୍ଥିତି ଓ ତା'ର ମନ୍ଦ ଦିଗ, ସଞ୍ଜୟଙ୍କ ଅକାଳ ମୃତ୍ୟୁ, ଇନ୍ଦିରାଙ୍କ ସହିତ ମେନକାଙ୍କ ମତାନ୍ତର ଓ ସେ ଘର ଛାଡ଼ିବା, ଅପରେସନ ବ୍ଲୁଷ୍ଟାର ଇତ୍ୟାଦି ପ୍ରସଙ୍ଗ ସ୍ଥାନିତ ହୋଇଚି।
ଦଙ୍ଗାଜନିତ ଅମାନବୀୟ ନରସଂହାରକୁ ସୋନିଆ ଘୋର ନିନ୍ଦା କରିଛନ୍ତି।
ଏହି ସଂକ୍ରାନ୍ତରେ ଭାରତର ବିଚାର ବ୍ୟବସ୍ଥାକୁ ନେଇ ତାଙ୍କ ଅଭିମତ ପ୍ରଣିଧାନଯୋଗ୍ୟ। େସ ଲେଖିଛନ୍ତି- ''ଆମ ବିଚାର ବ୍ୟବସ୍ଥା ପଦ୍ଧତିଗତ ଭାବରେ ବିଫଳ।
କୌଣସି ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି।
ଦେଶରେ ବାରମ୍ବାର ଦଙ୍ଗା ଘଟୁଚି, ମାତ୍ର ଅପରାଧୀଙ୍କୁ ଦଣ୍ଡ ମିଳୁନାହିଁ।'' ୨୦୦୪ ମସିହାରେ ବିଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ବାଛିବା ପ୍ରସଙ୍ଗ ସେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ତାଙ୍କ ଉପରେ ସକଳ ଚାପକୁ ନମ୍ରତାର ସହ ଏଡ଼େଇ ଦେଇ, ତାହା ତାଙ୍କ ବିବେକର ନିଷ୍ପତ୍ତି ବୋଲି ସୋନିଆ ସେଦିନ କହିଥିଲେ।
ସନ୍ଧ୍ୟାରେ ତାଙ୍କ ବାସଭବନ ଆଗରେ ସମବେତ ଉତ୍ସାହୀ ଓ ଉଦ୍ବିଗ୍ନ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ- ''ସଂପ୍ରତି ରାଜନୀତି କ୍ଷମତାସର୍ବସ୍ବ ହୋଇଯାଇଚି।
ସାଧୁତା ଓ ମୂଲ୍ୟବୋଧର ରାଜନୀତିରେ କଂଗ୍ରେସ ବିଶ୍ବାସ କରେ ବୋଲି ଆସନ୍ତୁ ଆମ୍ଭେମାନେ ବିଶ୍ବକୁ ଜଣାଇଦେବା।'' ତାଙ୍କୁ ଅକୁଣ୍ଠ ସହଯୋଗ କରିଥିବା ଦଳର ପ୍ରବୀଣ ଓ ଅନୁଭବୀ ନେତାମାନଙ୍କ ଭିତରେ ଅର୍ଜୁନ ସିଂହ, ପ୍ରିୟରଞ୍ଜନ ଦାସମୁନ୍ସୀ, ମାଧବରାଓ ସିନ୍ଧିଆ, ଅହମ୍ମଦ ପଟେଲ, ଓସ୍କାର ଫର୍ଣ୍ଣାଡିଜ, ଏ.
କେ.
ଆଣ୍ଟୋନି, ଶୀଲା ଦୀକ୍ଷିତ, ମୋହାସିନା କିଦୱାଇ ପ୍ରଭୃତିଙ୍କ ନାମ ପୁସ୍ତକରେ ସ୍ଥାନିତ ହୋଇଚି।
ପ୍ରଣବ ମୁଖାର୍ଜୀଙ୍କ ବିଦ୍ବାନ୍ପଣକୁ ପ୍ରଶଂସା କରି ତାଙ୍କୁ ସେ 'ଏନ୍ସାଇକ୍ଲୋପିଡିକ' ବୋଲି ଲେଖିଛନ୍ତି।
କଂଗ୍ରେସର ନେତୃତ୍ବ ନେବା ପରେ ସଭାସମିତିରେ, ଏପରିକି ପାର୍ଲିଆମେଣ୍ଟରେ ବକ୍ତବ୍ୟ ଦେବା ପାଇଁ ତାଙ୍କ ଦକ୍ଷତାର ଊଣାପଣ କଥା ମଧ୍ୟ ସେ ଲେଖିଛନ୍ତି।
ପ୍ରିୟଙ୍କା ପ୍ରଥମେ ତାଙ୍କ ପାଇଁ ଭାଷଣ ଲେଖୁଥିଲେ ଓ ଘରେ ତାହାକୁ ବାରମ୍ବାର ପଢ଼ି ସେ ପ୍ରସ୍ତୁତ ହେବା କଥା ସୋନିଆ ଲୁଚେଇ ନାହାନ୍ତି।
୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦ୍ବାରା ଦେଶର ନିର୍ବାଚନ କମିସନ ନିଯୁକ୍ତିର ଆଇନ ପରିବର୍ତ୍ତନରେ ନିର୍ବାଚନର ସ୍ବଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ସେ ଲେଖିଛନ୍ତି।
ନୋଟ ବନ୍ଦୀ, କୋଭିଡ୍ ମହାମାରୀର ପରିଚାଳନା ତ୍ରୁଟି ପ୍ରସଙ୍ଗ ପୁସ୍ତକରେ ସ୍ଥାନ ପାଇଚି।
ସୋନିଆ ଭାରତବର୍ଷର ବିକାଶ ପାଇଁ ଯୁବପିଢ଼ି ଉପରେ ଗଭୀର ଆସ୍ଥା ସ୍ଥାପନ କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ମହାସଂକଟ ବୋଲି ପୁସ୍ତକରେ ସେ ଆଲୋଚନା କରିଛନ୍ତି।
ପୁସ୍ତକର ପୂର୍ଣ୍ଣାହୁତିର ଶେଷ ଧାଡ଼ିରେ ସୋନିଆ ଲେଖିଛନ୍ତି- ''ପ୍ରେମ ମୋତେ ସବୁବେଳେ ବାଟ ବତେଇଚି, ପ୍ରେମ ମୋତେ କେବେ ପର କରିନାହିଁ।'' ସାତଟି ଭାଗ ଓ ୩୭ ଅଧ୍ୟାୟରେ ବିଭକ୍ତ, ଚମତ୍କାର ଗଦ୍ୟଶୈଳୀରେ ଏହା ଏକ ସୁଲିଖିତ ଆତ୍ମଜୀବନୀ।
ପୁସ୍ତକର ଶୀର୍ଷକରେ ଗୋଟିଏ ଧାଡ଼ିରେ ସେ କହିଛନ୍ତି ଯେ ସେ ଭାରତର! (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୮୨୭୫୦୯୧ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
