social justice schemes ଓଡ଼ିଶାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଉଚ୍ଚଶିକ୍ଷାରେ ସଂରକ୍ଷଣ ବୃଦ୍ଧିରେ କଲେ ସନ୍ତୋଷ ବ୍ୟକ୍ତ
"ଭୁବନେଶ୍ବର: ଆଜି (ବୁଧବାର) ଦିନିକିଆ ଗସ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଓଡ଼ିଶା ଆସି ବିଭିନ୍ନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ରାଜ୍ୟ ସରକାର ନିକଟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍ସି, ଏସ୍ଟି ଓ ଏସ୍ଇବିସିଙ୍କ ସଂରକ୍ଷଣ କୋଟା ବୃଦ୍ଧି କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।
Advertisment ସମୀକ୍ଷା ବୈଠକରେ ଅନୁସୂଚିତ ଜାତି, ଓବିସିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରି ଛାତ୍ରବୃତ୍ତି, ଉଚ୍ଚ ଶିକ୍ଷା ଓ ଚାକିରୀରେ ସଂରକ୍ଷଣ ସମ୍ପର୍କରେ ପଚାରିବୁଝିଥିଲେ ରାଷ୍ଟ୍ରମନ୍ତ୍ରୀ ।
ନିକଟରେ ଅନୁସୂଚିତ ଜନଜାତି ଙ୍କ ସଂରକ୍ଷଣ ହାର ୨୨.୫ % କୁ, ଅନୁସୂଚିତ ଜାତିଙ୍କ ସଂରକ୍ଷଣ ହାର ୧୬.୨୫% କୁ ବୃଦ୍ଧି କରିବା ସହ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଏହି ଶିକ୍ଷା ବର୍ଷଠାରୁ ଲାଗୁ କରାଯାଇଛି ।
ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିଷୟରେ ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।
ସେହିପରି ଜନଆକ୍ରୋସର ଶିକାର ହେଉଥିବା ପୀଡିତଙ୍କୁ ଆର୍ଥିକ ସହୟତା ଯୋଗାଇ ଦିଆଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।
ରାଜ୍ୟରେ ଆନ୍ତଃଜାତି ବିବାହିତ ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ସହାୟତାକ୍ରମେ ୨.୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯାଉଅଛି ।
୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪,୯୫୮ ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା ।
ଏଥିସହ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।
କେନ୍ଦ୍ର ସରକାରଙ୍କ ପେନସନ୍ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୯୦, ୨୮୩ ଭିନ୍ନକ୍ଷମଙ୍କୁ ପେନସନ୍ ଦିଆଯାଉଥିବା ସୂଚନା ଦିଆଯାଇଥିଲା ।
ଏଥିସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ବିଦ୍ୟାଳୟ ଓ ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏଥିସହ ଭିନ୍ନକ୍ଷମ ଶିଶୁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ସେମାନଙ୍କୁ ପ୍ରାରମ୍ଭିକ ସହାୟତା ଯୋଗାଇଦେବା ବିଷୟରେ ଗୁରୁତ୍ବ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ବୈଠକରେ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ, ବିଏମସିର ଅତିରିକ୍ତ ଆୟୁକ୍ତ ସସ୍ମିତା ସାହୁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍କ ଶାସନ ସଚିବ ଗୀତାଞ୍ଜଳି ନାଏକ, ମଧୁସ୍ମିତା ସାମଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
"