Snana Yatra: ସ୍ନାନବେଦିରେ ଦିବ୍ୟଲୀଳା: ଦ୍ବାଦଶ ଯାତ୍ରାର ଆଦ୍ୟପର୍ବ, ହାରିଲା ତାତି, ଜିତିଲା ଭକ୍ତି
"ପୁରୀ: ଡହଡହ ଖରା ଡରାଉଥିଲା।
ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିଲା।
ହେଲେ ଭାବ ବିନୋଦିଆଙ୍କୁ ସ୍ନାନମଣ୍ଡପରେ ଦର୍ଶନ କରିବାର ଉତ୍ସୁକତା ଆଗରେ ସବୁ ଫିକା ପଡ଼ିଥିଲା।
ତାତି ହାରିଥିଲା, ଭକ୍ତି ଜିତିଥିଲା।
ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦିରେ ସ୍ନାନ କରୁଥିବାର ଦୃଶ୍ୟ ପ୍ରତ୍ୟକ୍ଷ କରିବା ଲାଗି ୨ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା।
କଥାକୁହା ଚକା ଆଖିରେ ଆଖି ମିଶିବା କ୍ଷଣି ଭକ୍ତ ଆଖିରୁ ନିଗିଡ଼ି ଆସୁଥିଲା ଆବେଗର ଅଶ୍ରୁ।
କିଏ କହୁଥିଲା ମୋ ଧନ, ପୁଣି କିଏ କହୁଥିଲା ମୋ ସାଆନ୍ତ ଆସିଲେ।
ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମଧ୍ୟରେ ମହାମିଳନର ଏହି ଅପୂର୍ବ ଅବକାଶ ଭେଟି ଦେଇଥିଲା ଦ୍ବାଦଶ ଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା।Advertisment Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ହେଉଛି ଆଦ୍ୟ ପର୍ବ।
ସ୍ନାନବେଦିରେ ମହାପ୍ରଭୁ ରଚୁଥିବା ମାନବୀୟ ଲୀଳା ସ୍ବୟଂ ପ୍ରଭୁଙ୍କ ନିର୍ଦେଶ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.
ଭାସ୍କର ମିଶ୍ରଙ୍କ ମତାନୁଯାୟୀ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁ ଆବିର୍ଭାବ ହୋଇଥିଲେ।
ତେଣୁ ଏହାକୁ ଆବିର୍ଭାବ ମହୋତ୍ସବ ବୋଲି ମଧ୍ୟ କୁହାଯାଏ।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ଯଜ୍ଞ ମଣ୍ଡପରେ ଅବତରିଥିବାରୁ ଏହାକୁ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୋଲି କୁହାଯାଏ।
ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ବାମଦେବ ସଂହିତା ଆଦିରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।
ଡ.
ମିଶ୍ରଙ୍କ ମତ ଅନୁଯାୟୀ ମହାପ୍ରଭୁ ସ୍ବୟଂ ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ଆଦ୍ୟ ପର୍ବକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ ନିର୍ଦେଶ ଦେଇଥିଲେ।
ତେଣୁ ଦାରୁ ବ୍ରହ୍ମଙ୍କୁ ଶାସ୍ତ୍ରୀୟ ବିଧି ବିଧାନ ସହ ଏହି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ କରାଯାଏ ବୋଲି ସେ କହିଛନ୍ତି।
ପାଗ ସକାଳୁ ତତଲା ଥିଲା।
ମାତ୍ର ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଉଚିତ ସମୟରେ ଚାଲିବାରୁ ଦର୍ଶନ ସହଜ ହୋଇଥିଲା।
ଖରା ଯୋଗୁଁ ଭକ୍ତଙ୍କ ଅନୁପସ୍ଥିତି ଫଳରେ ବଡ଼ଦାଣ୍ଡ ସାମିଆନା କିଛି ସମୟ ଫାଙ୍କା ପଡ଼ିଥିଲା।
ଅପରାହ୍ଣ ବେଳକୁ ଛାଇ ଆଣିଥିଲା ଆଶ୍ବସ୍ତି।
ଜମିଥିଲା ସ୍ଥାନୀୟ ଭକ୍ତଙ୍କ ଭିଡ଼।
ରୌଦ୍ର ତାପରେ ବଡ଼ଦାଣ୍ଡ କୁହୁଳୁଥିଲା।
ଅଥଚ ସଂକୀର୍ତନିଆମାନେ ଖାଲିପାଦରେ ନୃତ୍ୟ କରିବାର ଦୃଶ୍ୟ ଆଶ୍ଚର୍ଯ୍ୟଚକିତ କରୁଥିଲା।
ଭକ୍ତି ଭାବରେ ବିଭୋର ଭକ୍ତମାନେ ବାହା ପ୍ରସାରି ନାଚରେ ମତ୍ତ ଥିଲେ।
ସ୍ବେଚ୍ଛାସେବୀମାନେ ଭକ୍ତଙ୍କ ତୃଷ୍ଣା ମେଣ୍ଟାଇବାରେ ଲାଗି ପଡ଼ିଥିଲେ।
ଅଗ୍ନିଶମ ବାହିନୀର ଆଗ୍ନିକମାନେ ଅସହ୍ୟ ଖରାରେ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନ କରି ଖରା ଓ ଭକ୍ତିର ପରୀକ୍ଷାକୁ ସାମାନ୍ୟ ସହଜ କରି ଦେଉଥିଲେ।
ଅସହ୍ୟ ଖରା ଯୋଗୁଁ ବଡ଼ଦାଣ୍ଡରେ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା।
ମନ୍ଦିର ଭିତରକୁ ଯାଉଥିବା ଭକ୍ତମାନେ ସିଲିଂ ବ୍ୟାରିକେଡ୍ ଦେଇ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।
ରାସ୍ତାରେ ପାଣି ଢଳା ଯାଉଥିଲା, ମୁଣ୍ଡ ଉପରେ ପାଣି ସିଞ୍ଚନ ହେଉଥିଲା।
ତଥାପି ଖରା ଅସହ୍ୟ ହେବାରୁ ବହୁ ଭକ୍ତ ଅଂଶୁଘାତର ଶିକାର ହୋଇଥିଲେ।
ଭୋର ୫ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା।
୪ଟାରୁ ହାତୀବେଶ ଆରମ୍ଭ ହୋଇ ୪ଟା ୪୦ ସୁଦ୍ଧା ଶେଷ ହୋଇଥିଲା।
ସାହାଣମେଲା ଦର୍ଶନ ବେଳକୁ ପୁଣି ସାମିଆନା ଭରିଯାଇଥିଲା।
ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବା ପରେ ବେଢ଼ାର ବାମ ପାର୍ଶ୍ବରେ ଯାଇ ସ୍ନାନ ମଣ୍ଡପ ତଳେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିଥିଲେ।
ଉତ୍ତର କିମ୍ବା ଦକ୍ଷିଣ ଦ୍ବାର ଦେଇ ପ୍ରତ୍ୟାଗମନ କରିଥିଲେ।
ଭିଡ଼ରେ ଦୀପ ଜାଳିଲେଭକ୍ତଙ୍କ ପାଇଁ ଦୀପ ଲଗାଇବାକୁ ଦୀପ ଷ୍ଟାଣ୍ଡର ବ୍ୟବସ୍ଥା ନଥିଲା।
ତେଣୁ ବଡ଼ ଦାଣ୍ଡ କଡ଼ରେ ଗହଳି ଭିତରେ ବହୁ ଭକ୍ତ ଦୀପ ଜାଳିଥିଲେ।
ଯଦିଓ ଦୀପ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ସିଂହଦ୍ବାର ସମ୍ମୁଖରୁ ହଟାଇବାରେ ପୁଲିସ୍ ସଫଳ ହୋଇଥିଲା।
କିନ୍ତୁ ଦୀପ ଲାଗିବାରେ ରୋକ୍ ଲଗାଇପାରିନଥିଲା।
ଭକ୍ତମାନେ ଦୀପ କିଣି ଆଣି ସିଂହଦ୍ବାର ସମ୍ମୁଖରେ ପୁଲିସ୍ ଅଲକ୍ଷ୍ୟରେ ଦୀପ ଜାଳୁଥିଲେ।
ପୁଲିସ ଦୀପଗୁଡ଼ିକୁ ଲିଭାଇଥିଲା।
Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ ଏକାଥରକେ ଛପନ ଭୋଗ ସ୍ନାନମଣ୍ଡପରେ ବିଜେ ପରେ ମହାପ୍ରଭୁଙ୍କ ନିକଟରେ କେବଳ ସକାଳ ଧୂପ ଅନୁଷ୍ଠିତ ହେବାର ବିଧି ରହିଛି।
ସ୍ନାନମଣ୍ଡପରେ ଘଣ୍ଟଛତା ସକାଳ ଧୂପରେ ଆଜି ଏକକାଳୀନ ଛପନ ଭୋଗ ବଢ଼ାଯାଇଛି।
ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁଙ୍କ ପାଖରେ ୫ଥରରେ ଛପନ ଭୋଗ କରାଯାଏ।
କିନ୍ତୁ ସ୍ନାନବେଦିରେ ଏକକାଳୀନ ଛପନ ଭୋଗ ବଢ଼ାଯାଏ।
ଆଉ ଏକ ବିଶେଷତ୍ବ ହେଉଛି, ଖୋଲା ଆକାଶ ତଳେ କେବଳ ସ୍ନାନବେଦିରେ ହିଁ ସଙ୍ଖୁଡ଼ି ଭୋଗ ବଢ଼ାଯାଏ।
ରଥ ଉପରେ ସଙ୍ଖୁଡ଼ି ଭୋଗ ବଢ଼ାଯାଏ ନାହିଁ।
ବିଶ୍ବାସ ରହିଛି ମହାପ୍ରଭୁ ଗଣପତି ରୂପ ଧାରଣ କରିଥିବାରୁ ଶୁଣ୍ଢରେ ଏହି ଛପନ ଭୋଗ ଗ୍ରହଣ କରିଥାଆନ୍ତି।
କିଛି ସମୟର ଛାଇ ଦେଲା ତ୍ରାହିସକାଳୁ ଖରାର କୋପ ଦେଖିବାକୁ ମିଳିଥିଲା।
ଅପରାହ୍ଣରେ ଛାଇ କିଛି ସମୟ ପାଇଁ ତ୍ରାହି ଦେଇଥିଲା।
ଦିନ ତମାମ ଖରା ସାଙ୍ଗକୁ ଗୁଳୁଗୁଳି ଭକ୍ତଙ୍କୁ ଦହଗଞ୍ଜ କରିଥିଲା।
ଦୁଇ ବର୍ଷ ତଳେ ବାଗେଡ଼ିଆ ଧର୍ମଶାଳା ସମ୍ମୁଖ ଭାଗରେ ସେଡ୍ ହୋଇଥିବାରୁ ଭକ୍ତମାନେ ଖରା ଦାଉରୁ ରକ୍ଷା ପାଇଁ ଏହା ମଧ୍ୟରେ ଛିଡ଼ା ହୋଇ ଯାଉଥିଲେ।
କିନ୍ତୁ ଏଥର ସେଡ୍ ନଥିବାରୁ ଖରା ହେବା ମାତ୍ରେ ଲୋକେ ଛାଇ ଖୋଜିଥିଲେ।
ଏଥିପାଇଁ ବଡ଼ଦାଣ୍ଡ ସଂଲଗ୍ନ ଦୋକାନ ପିଣ୍ଡା କିମ୍ବା କୌଣସି ମଠ କାନ୍ଥ କଡ଼ରେ ଜାକିଜୁକି ହୋଇ ବସି ରହିଥିଲେ।
ବହୁ ଭକ୍ତ ଖରା ଦାଉରୁ ମୁକ୍ତି ପାଇଁ ଦର୍ଶନ ଲାଗି ହୋଇଥିବା ବ୍ୟାରିକେଡ୍ ସାମିଆନା ତଳେ ଆଶ୍ରୟ ନେଇଥିଲେ।"