School bus accident: ଶୌଚ ପାଇଁ ଅଟକିଥିଲା ସ୍କୁଲ ବସ୍, ପଛରୁ ମାଡ଼ିଆସିଲା ଟ୍ରକ୍; ୪ ଶିଶୁଙ୍କ ମୃତ୍ୟୁ
ପିକ୍ନିକ୍ରୁ ଖୁସିରେ ଘରକୁ ଫେରୁଥିଲେ ସ୍କୁଲ ପିଲା।
ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ।
ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍କୁ ପଛପଟୁ ଧକ୍କା ଦେଇଛି ଦ୍ରୁତଗାମୀ ଟ୍ରକ୍।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Advertisment କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା?
ସୂଚନା ଅନୁସାରେ, ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲା ଠଠିଆ ଥାନା ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଏହି ଦୁର୍ଘଟଣା ଘଟିଛି।
ଏକ ସ୍କୁଲ ବସ୍ରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ପିକ୍ନିକ୍ ସାରି ଫେରୁଥିଲେ।
ମଙ୍ଗଳବାର ସକାଳ ପ୍ରାୟ ୫ଟା ୪୫ ମିନିଟ୍ରେ ବସ୍ଟି ଏକ୍ସପ୍ରେସ୍ୱେରେ ଅଟକିଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ରେ ଥିବା ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
Advertisment ୪ ଶିଶୁ ମୃତ, ଗୁରୁତରଙ୍କୁ କାନପୁର ସ୍ଥାନାନ୍ତର ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।
ଆହତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତିର୍ୱା ମେଡିକାଲ କଲେଜକୁ ନିଆଯାଇଥିଲା।
ସେଠାରେ ଟ୍ରମା ସେଣ୍ଟରରେ ୪ ଜଣ ଶିଶୁଙ୍କୁ ମୃତ ଘୋଷଣା କରାଯାଇଥିଲା।
ସ୍କୁଲର ପ୍ରିନ୍ସିପାଲ ଏବଂ ଅନ୍ୟ ଜଣେ ଛାତ୍ର ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କାନପୁର ପଠାଯାଉଥିବା ସୂଚନା ମିଳିଛି।
ଅନ୍ୟପଟେ ୨୨ ଜଣ ସାମାନ୍ୟ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ତିର୍ୱା ମେଡିକାଲ କଲେଜରେ ଚାଲିଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ ପୋଲିସ ଅଧୀକ୍ଷକ ବିନୋଦ କୁମାର ମେଡିକାଲ କଲେଜରେ ପହଞ୍ଚିଥିଲେ।
ସେମାନେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଡାକ୍ତରମାନଙ୍କୁ ସମସ୍ତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏସ୍ପି ବିନୋଦ କୁମାରଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ଥିଲେ।
ଦୁର୍ଘଟଣାରେ ସୁରକ୍ଷିତ ଥିବା ପିଲା ଓ ସ୍କୁଲ କର୍ମଚାରୀଙ୍କୁ ଅନ୍ୟ ଗାଡ଼ିର ବ୍ୟବସ୍ଥା କରି ଘରକୁ ପଠାଯାଉଛି।
ଶୌଚ ପାଇଁ ଅଟକିଥିଲା ବସ୍, ପଛରୁ ପିଟିଲା ଟ୍ରକ୍ ଜଣେ ଆହତ ଛାତ୍ରଙ୍କ କହିବା ଅନୁସାରେ, କନ୍ନୌଜ ଅଞ୍ଚଳରେ ପିଲାମାନଙ୍କୁ ଶୌଚ କରାଇବା ପାଇଁ ବସ୍ଟି ରାସ୍ତାରେ ଅଟକିଥିଲା।
ଏହି ସମୟରେ ପଛପଟୁ ଆସୁଥିବା ଟ୍ରକ୍ଟି ବସ୍କୁ ଧକ୍କା ଦେଇଥିଲା।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
