Satkosia Deer Poaching: ହରିଣ ଶିକାର କରି ଖାଇଦେଲେ ସାତକୋଶିଆ ଅଭୟାରଣ୍ୟ ଜଗୁଆଳି

Jul 04, 2026 - 20:47
Satkosia Deer Poaching: ହରିଣ ଶିକାର କରି ଖାଇଦେଲେ ସାତକୋଶିଆ ଅଭୟାରଣ୍ୟ ଜଗୁଆଳି

ଅନୁଗୁଳ:  ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବେଧଡ଼କ ଶିକାର ଚାଲିଛି। ଏଥିପାଇଁ ବେଆଇନ ଶିକାରୀଙ୍କୁ ଦାୟୀ କରାଯାଉଛି। କିନ୍ତୁ ବାସ୍ତବରେ ଏହି ଶିକାର ପଛରେ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଥିବା ବନ ବିଭାଗ କର୍ମଚାରୀଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ହାତ ରହିଛି। ଏହି କଥାର ପ୍ରମାଣ ଆଜି ଏକ ଘଟଣାରୁ ମିଳିଛି। ଅଭୟାରଣ୍ୟରୁ ଏକ ବଡ଼ ହରିଣ ଶିକାର କରି ଖାଇଦେଇଥିବା ଅଭିଯୋଗରେ ୨ଜଣ ୱାଚରଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ହରିଣ ମୁଣ୍ଡ ଓ ରନ୍ଧା ହୋଇଥିବା ହରିଣ ମାଂସ ମଧ୍ୟ ଜବତ କରାଯାଇଛି। 

୧୬୭୨ ବନ୍ୟଜନ୍ତୁ ଶିକାର ମାମଲା ଗଡ଼ୁଛି, ସ୍ବତନ୍ତ୍ର କୋର୍ଟ କେବେ?

ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ୍‌ରେ ଗତକାଲି ରାତିରେ ହରିଣ ଶିକାର ହୋଇଥିଲା। ମଝିପଡ଼ା ସେକ୍ସନରେ ଥିବା ଆଣ୍ଟି ପୋଚିଂ ସ୍କ୍ବାଡ୍‌ ଶିବିରରେ ହରିଣ ମାଂସ ରୋଷେଇ କରି ଖାଉଥିବା ନେଇ ଟିକରପଡ଼ା ରେଞ୍ଜ୍‌ ଅଧିକାରୀ ସୁମନ୍ତ ମହାକୁଡ଼ ଖବର ପାଇଥିଲେ। ତୁରନ୍ତ ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ୨ ୱାଚର ସମେତ ୪ ଜଣଙ୍କୁ ଧରିଥିଲେ। ସେମାନଙ୍କ ନିକଟରୁ ଡେକ୍‌ଚିରେ ରନ୍ଧା ହୋଇଥିବା ହରିଣ ମାଂସ ମିଳିଥିଲା। ସେହିପରି ମୃତ ହରିଣର ସିଂଘ ଲାଗିଥିବା ସତେଜ ମୁଣ୍ଡ ମଧ୍ୟ ଜବତ କରାଯାଇଥିଲା। ୨ ୱାଚର ରାମିମୁଣ୍ଡା ଗାଁର କୁଳମଣି ନାୟକ(୩୪) ଓ ମଝିପଡ଼ା ଗାଁର ପ୍ରତାପ ଦେହୁରୀ(୪୬) ଏବଂ ସହାୟକ ରାମିମୁଣ୍ଡା ଗାଁର ଶିବପ୍ରସାଦ ନାୟକ(୨୧) ଓ ଯୋଗେନ୍ଦ୍ର ପାଇକରା(୬୫) ଶିକାର କରିଥିଲେ। 

Poaching: ବନ୍ୟଜନ୍ତୁ ଶିକାର ପାଇଁ ପାହାଡ଼ ଉପରେ ବିଦ୍ୟୁତ୍‌ ତାର, ଜଳିଗଲେ ଦୁଇ ଯୁବକ

ଖବରନେବାରୁ ଜଣାଯାଇଛି, ନିକଟରେ ଉକ୍ତ ସେକ୍ସନରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେମାନଙ୍କ ସ୍ଥାନରେ କେହି ଯୋଗ ଦେଇନାହାନ୍ତି। ଏହାର ସୁଯୋଗ ‌ନେଇ ସେମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଗଦାଧର ପାତ୍ର କହିଛନ୍ତି, ଅଭିଯୁକ୍ତମାନେ ଶିକାରୀ କୁକୁର ଲଗାଇ ହରିଣକୁ ଦୌଡ଼ାଉଥିଲେ। ହରିଣ ହାଲିଆ ହେବା ପରେ ସେମାନେ ପଥରରେ ମାରି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏମାନେ ପୂର୍ବରୁ ଏଭଳି ବନ୍ୟପ୍ରାଣୀ ଶିକାର କରୁଥିଲେ କି ନାହିଁ, ସେନେଇ ଅଧିକ ତଦନ୍ତ କରାଯାଉଛି। 

ଅନ୍ୟପକ୍ଷରେ ବନ୍ୟପ୍ରାଣୀଙ୍କ ପାଇଁ ସବୁଠାରୁ ଅଧିକ ସୁରକ୍ଷିତ ସ୍ଥାନ କୁହାଯାଉଥିବା ସାତକୋଶିଆ ଏବେ ଅସୁରକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗରେ ୱାଚରମାନଙ୍କ ପାଇଁ ପ୍ରତି ମାସରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନେ ବନ୍ୟପ୍ରାଣୀ ଶିକାର କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ସେପଟେ ବିଭାଗୀୟ ଅଧିକାରୀଙ୍କ ଢିଲାପଣ ପାଇଁ ଏପରି ଘଟଣା ଘଟୁଥିବା ଅଭିଯୋଗ ହେଉଛି।