Murder: ଗୁଜରାଟରେ ଚାଞ୍ଚଲ୍ୟ; ପୁଅକୁ ହତ୍ୟା କରି ନାଟକ ରଚିଲେ ଦଂପତି

Jul 04, 2026 - 20:47
Murder: ଗୁଜରାଟରେ ଚାଞ୍ଚଲ୍ୟ; ପୁଅକୁ ହତ୍ୟା କରି ନାଟକ ରଚିଲେ ଦଂପତି

ରାଜକୋଟ: ଗୁଜରାଟର ରାଜକୋଟ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ପାରିବାରିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ଦର୍ଶାଯାଇଥିବା ବେଳେ ପ୍ରକୃତରେ ତାଙ୍କୁ ନିଜ ବାପା-ମାଆ ହିଁ ଜଘନ୍ୟ ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ସ୍ତ୍ରୀ ଏହି ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ କରିବା ପରେ ପୁଲିସ ହତ୍ୟାକାରୀ ବାପା ଓ ମାଆଙ୍କୁ ଗିରଫ କରିଛି।

ପୁଲିସର ସୂଚନା ମୁତାବକ, ରାଜକୋଟ ଜିଲ୍ଲାର ଗୋଣ୍ଡାଲ ତାଲୁକା ଅନ୍ତର୍ଗତ ଗୁଣ୍ଡାଲା ଗ୍ରାମରେ ଗତ ଜୁନ୍ ୩୦ ତାରିଖ ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ମୃତ ଯୁବକ ଜଣକ ହେଉଛନ୍ତି ରାମ ବାବୁଭାଇ ବାମ୍ଭଭା। ରାମଙ୍କର ମଦ୍ୟପାନ କରିବାର ଅଭ୍ୟାସ ଥିଲା, ଯାହାକୁ ନେଇ ପ୍ରାୟ ସମୟରେ ତାଙ୍କର ବାପା ବାବୁଭାଇ ଓ ମାଆ ମନୀଷାବେନଙ୍କ ସହ ପ୍ରବଳ ଝଗଡ଼ା ହେଉଥିଲା। ଘଟଣା ଦିନ ମଧ୍ୟ ମଦ୍ୟପାନକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ କଳହ ଉଗ୍ର ରୂପ ନେଇଥିଲା। ବିବାଦ ବଢ଼ିବା ପରେ କ୍ରୋଧାନ୍ୱିତ ହୋଇ ମାଆ ମନୀଷାବେନ ପୁଅ ରାମଙ୍କୁ ଜବରଦସ୍ତି ଏସିଡ୍ ପିଆଇ ଦେଇଥିବାତ ବେଳେ ସେହି ସମୟରେ ବାପା ବାବୁଭାଇ ପୁଅକୁ ମାଡ଼ ମାରିବା ସହ ଶେଷରେ ତଣ୍ଟି ଚିପି ହତ୍ୟା କରିଥିଲେ। ମାତ୍ର ୪ ମାସ ତଳେ ବିବାହ କରିଥିବା ରାମଙ୍କ ସ୍ତ୍ରୀ ବଂଶୀବେନ ଏହି ସମ୍ପୂର୍ଣ୍ଣ ଘଟଣା ବାବଦରେ ଜାଣିବା ପରେ ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାୟର କରିଥିଲେ।

Murder: ପୁଣେରେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ବାଗ୍‌ଦତ୍ତା ଓ ପ୍ରେମିକଙ୍କୁ ପଚରାଉଚରା

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡ ପରେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ବାପା ବାବୁଭାଇ ସ୍ଥାନୀୟ ରାଜନୈତିକ ନେତାମାନଙ୍କ ସହ ଯୋଗାଯୋଗ କରିଥିଲେ। ଗୋଣ୍ଡାଲ ସିଭିଲ୍ ହସ୍ପିଟାଲରେ କୌଣସି ସନ୍ଦେହ ନଉପୁଜାଇ ତୁରନ୍ତ ଏକ ପ୍ୟାନେଲ୍ ଶବ ବ୍ୟବଚ୍ଛେଦ କରାଇ ମାମଲାକୁ ରଫାଦଫା କରିବା ପାଇଁ ସେ ପ୍ରଶାସନ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଡାକ୍ତରୀ ମାଇକ୍ରୋସ୍କୋପିକ୍ ଯାଞ୍ଚ ଏବଂ ପୁଲିସର ସତର୍କ ତଦନ୍ତ ଯୋଗୁଁ ଏହି ଚକ୍ରାନ୍ତ ଧରାପଡ଼ିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ଶରୀରରେ ବିଷକ୍ରିୟା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି। ଗୋଣ୍ଡାଲ ପୁଲିସ ବଂଶୀବେନଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ବାପା-ମାଆଙ୍କୁ ଜେଲ୍ ପଠାଇଛି।