Heavy Rain in Odisha ଲଘୁଚାପ ପ୍ରଭାବ: ୨୪ ଘଣ୍ଟାରେ ରାଜ୍ୟରେ ୨୪.୮ ମିଲିମିଟର ବର୍ଷା

Jul 04, 2026 - 19:49
Heavy Rain in Odisha ଲଘୁଚାପ ପ୍ରଭାବ: ୨୪ ଘଣ୍ଟାରେ ରାଜ୍ୟରେ ୨୪.୮ ମିଲିମିଟର ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁଦୃଢ଼ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୪ ତାରିଖ ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ହୋଇଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ରାଜ୍ୟର ୬ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୮ଟି ବ୍ଲକ ସହ ୩ଟି ସହରାଞ୍ଚଳର ୪ଟି କେନ୍ଦ୍ରରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ରେକର୍ଡ ହୋଇଛି। ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଏହା ସ୍ୱାଭାବିକ ହାର ୪୩.୭ ମିଲିମିଟର ତୁଳନାରେ ୧୧୫.୮ ପ୍ରତିଶତ ଅଧିକ ରହିଛି। 

Rain for 8 days: ୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Rain: ବର୍ଷାରେ ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥ ସ୍ଥିତି ସଙ୍ଗିନ, ଓଭରବ୍ରିଜରୁ ଫ୍ଲାଏ ଆସ୍ ବୋହି ସୃଷ୍ଟି ହେଲା ଖାଇ

ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବର୍ତ୍ତମାନ ସତର୍କ ସ୍ତରରୁ ତଳେ ପ୍ରବାହିତ ହେଉଛନ୍ତି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ଅଧୀନସ୍ଥ ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର୍ (SEOC) ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରକ୍ଷା କରି ୨୪ ଘଣ୍ଟିଆ ପରିସ୍ଥିତିର ନିରୀକ୍ଷଣ କରୁଛି। 
ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ସମସ୍ତ ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।