Sand mafia: ବାଲିମାଫିଆଙ୍କ ଜଘନ୍ୟକାଣ୍ଡ: ଘରୁ ଡାକିନେଇ ମାରି ଫିଙ୍ଗିଦେଲେ
ବାଲିଅନ୍ତା ବଜାର/ଫୁଲନଖରା: ମଙ୍ଗଳବାର ରାତିରେ ରାଜଧାନୀ ଉପକଣ୍ଠ ଭୀମପୁର ନିକଟରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ବାଲିମାଫିଆମାନେ ପାହାଳ ଥାନା ତଳ ଅନନ୍ତପୁର ଗାଁର ପ୍ରସନ୍ନ ବେହେରାଙ୍କ ପୁଅ ପ୍ରଭାତ ବେହେରା ଓରଫ ଜଗା (୩୪)ଙ୍କୁ ହତ୍ୟାକରି ଏକ ପୋଲ ତଳେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଅନନ୍ତପୁର ନିକଟ କଟକ ସଦର ଥାନା ବେତଖଲିନଗରୀ ଗାଁର ୨ ଭାଇ ଦେବାଶିଷ ପାତ୍ର ଓରଫ୍ ଟେନିସ୍, ପ୍ରୀତିଶ ପାତ୍ର ଓ ତାଙ୍କର କିଛି ସହଯୋଗୀ ପ୍ରଭାତକୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ପାହାଳ ଥାନା ପୁଲିସ ୨ ଭାଇଙ୍କୁ ଅଟକ ରଖିଛି ଏବଂ ଫେରାର ସହଯୋଗୀମାନଙ୍କୁ ଠାବ କରିବାକୁ ଚଢ଼ଉ ଚଳାଇଛି। ଆଜି ସକାଳୁ ଘଟଣା ଜଣାପଡ଼ିବା ପରେ ଭୀମପୁର ଓ ଅନନ୍ତପୁରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟା ଅଭିଯୁକ୍ତ ୨ ଭାଇଙ୍କୁ ପୁଲିସ ଗିରଫ କରିବା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଫୁଲନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତ ୨ଭାଇଙ୍କୁ ଘଟଣାସ୍ଥଳକୁ ଅଣାଯାଉ ବୋଲି ଦାବିକରି ପୁଲିସକୁ ମୃତଦେହ ଜବତ କରିବା ପାଇଁ ଦେଇ ନଥିଲେ। ପ୍ରାୟ ୩ଘଣ୍ଟା କାଳ ବରିଷ୍ଠ ପୁଲିସ ଅଧିକାରୀମାନେ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ।
Sand Smuggling: ସକ୍ରିୟ ମାଫଆ, ନିଷ୍କ୍ରିୟ ଖଣି ବିଭାଗ
ଅଭିଯୁକ୍ତ ୨ ଭାଇଙ୍କୁ ଘଟଣାସ୍ଥଳକୁ ଆଣିବା ଜିଦ୍ରେ ରାସ୍ତାରୋକ
ଫୁଲନଖରା-ନିଆଳି ରାସ୍ତାରେ ୩ ଘଣ୍ଟା ଯାତାୟାତ ଠପ୍
ଆଜି ମର୍ଣ୍ଣିଂ ୱାକ୍ କରୁଥିବା କିଛି ଲୋକେ ଭୀମପୁରସ୍ଥିତ ସିନର୍ଜି କଲେଜ ନିକଟ ପଡ଼ିଆରେ ଏକ ପୋଲ ତଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖି ପାହାଳ ଥାନା ପୁଲିସକୁ ଜଣାଇଥିଲେ। ଯୁବକଙ୍କ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ମୃତଦେହ ପାଖରେ ଭଙ୍ଗା ମଦ ବୋତଲ, ଭଙ୍ଗା ମୋବାଇଲ୍, ପ୍ଲାଷ୍ଟିକ ପାଇପ, ଏଟିଏମ୍ କାର୍ଡ ପଡ଼ିଥିଲା ଏବଂ କିଛି ଦୂରରେ ଏକ କଳାରଙ୍ଗର ସ୍କୁଟି ଥିଲା। ପ୍ଲାଷ୍ଟିକ୍ ପାଇପ୍ରେ ନିର୍ଘାତ ପିଟିବା ସହ ମୁହଁରେ ଭଙ୍ଗା ମଦବୋତଲ ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ବାରି ହୋଇପଡ଼ୁଥିଲା। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚିବା ପରେ ପରେ ମୃତ ଜଗାଙ୍କ ପରିବାର ଲୋକେ ପହଞ୍ଚିଯାଇଥିଲେ। ଗତକାଲି ରାତିରେ ଟେନିସ୍ ଘରୁ ଡାକିନେଇଥିଲା ଏବଂ ସେ ହିଁ ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଅନନ୍ତପୁର ଓ ଆଖପାଖ ଗାଁର ଶହଶହ ଲୋକ ଘଟଣାସ୍ଥଳରେ ରୁଣ୍ଡ ହେବା ପରେ ଉତ୍ତେଜନା ବଢ଼ିଥିଲା। ଲୋକେ ପୁଲିସକୁ ମୃତଦେହ ଜବତ କରିବାକୁ ଦେଇ ନଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପାହାଳ ଥାନାର ଏକ ଟିମ୍ ବେତଖଲିନଗରୀରେ ଚଢ଼ଉ କରି ଟେନିସ୍ ଓ ପ୍ରୀତିଶକୁ ଉଠାଇଥିଲା। ମୁଖ୍ୟ ଅଭିଯୁକ୍ତ ୨ଭାଇଙ୍କୁ ପୁଲିସ ଗିରଫ କରିସାରିଛି ବୋଲି ଜଣାଇବା ପରେ ବି ଉତ୍ତ୍ୟକ୍ତ ଲୋକ ମୃତଦେହକୁ ଛାଡ଼ିନଥିଲେ। ଅଭିଯୁକ୍ତ ୨ଭାଇଙ୍କୁ ଘଟଣାସ୍ଥଳକୁ ଅଣାଯାଉ ବୋଲି ଅଡ଼ି ବସି ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ଡିସିପି ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଅନୁପ କାନୁନ୍ଗୋ, ଏସିପି ଅଭିମନ୍ୟୁ ନାୟକ, ପ୍ରଶାନ୍ତ ସାହୁ, ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା, ସରପଞ୍ଚ ବିଶ୍ୱଜିତ ଭୋଇ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
Sand: ବାଲିଘାଟ ପଂଚାୟତକୁ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବ୍ଲକବାସୀ
ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଟେନିସ୍ର ହାଇୱା ଅଛି ଏବଂ ସେ ଚୋରାରେ ବାଲିମାଟି ଚାଲାଣ କରୁଛି। କିଛି ଦିନ ପୂର୍ରରୁ ଜଗା ତା’ପାଖରୁ ହାଇୱା ବୁଝାସୁଝା କାମ ଛାଡ଼ିଦେଇଥିଲା। ଏହାପରେ ଟଙ୍କାପଇସା ହିସାବପତ୍ରକୁ ନେଇ ଟେନିସ୍ ଓ ତା’ ଭାଇ ପ୍ରୀତିଶ ବହୁଥର ଜଗାକୁ ଧମକ ଦେଇଥିଲେ ଏବଂ କାମ କରିବାକୁ ବାଧ୍ୟ କରୁଥିଲେ। କିନ୍ତୁ ଜଗା ମନା କରିଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଟେନିସ୍ ଘରକୁ ଆସି ଜଗାକୁ ଡାକିଥିଲା। ଘରକୁ ଫେରିଲେ ଖାଇବ ବୋଲି କହି ଜଗା ତା’ ସହ ଯାଇଥିଲା। ଫେରିବା ବିଳମ୍ବ ହେବାରୁ ସାନ ଭାଇ ବିରଞ୍ଚି ଫୋନ୍ କରିଥିଲା। କିନ୍ତୁ ଫୋନ୍ ସୁଇଚ୍ଅଫ୍ ହୋଇଯାଇଥିଲା। ରାତିସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଜଗାକୁ ପାଇନଥିଲେ। ତେଣୁ ଜଗାଙ୍କ ସାନ ଭାଇ ବିରଞ୍ଚିଙ୍କ କହିବା କଥା ଟେନିସ୍ ଓ ଅନ୍ୟ ୫ଜଣ ଜଗାକୁ ହତ୍ୟା କରିଛନ୍ତି। ମଦ ପିଆଇ ନିଶାରେ ଚୁର୍ କରିବା ପରେ ହତ୍ୟାକରି ପଳାଇଛନ୍ତି।