Samlei Project-2: ବର୍ଷାରେ ବିସ୍ଥାପନର ଆଦେଶ: ସମଲେଇ ପ୍ରକଳ୍ପ-୨ ପାଇଁ ଘର ଛାଡ଼ିବେ ୩୩୭ ପରିବାର
"ସମ୍ବଲପୁର: ଠିକ୍ ବର୍ଷାରେ ସମଲେଇ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ଘର ଛାଡ଼ିବାକୁ ଆସିଛି ତହସିଲଦାରଙ୍କ ଆଦେଶ।
ସେଥିରେ ପୁଣି ଦଳିତ ବୋଲି ଜାଣିଲେ କେହି ଭଡ଼ାଘର ମଧ୍ୟ ଦେବାକୁ ରାଜି ହେଉନାହାନ୍ତି।
ଯେଉଁମାନେ ଘର ଦେଉଛନ୍ତି ଦର ଏତେ ଅଧିକ ଯେ ହାତ ପାଉନି।
ଏହା କହିଛନ୍ତି ସମ୍ବଲପୁର ଜିଲ୍ଲା ଫାର୍ମରୋଡ଼ ନିକଟସ୍ଥ ମାଛବନ୍ଧ ପଡ଼ାର ବିସ୍ଥାପନ ହେବାକୁ ଥିବା ପରିବାର।
ଅନ୍ୟଦିଗରେ ପ୍ରଶାସନ ପକ୍ଷରୁ ଏମାନଙ୍କ ଥଇଥାନ କ"ଣ କରାଯାଇଛି କେହି ଜାଣିପାରୁ ନଥିବା କହିଛନ୍ତି।Advertisment ସମଲେଇ-୧ ପରେ ଫାର୍ମରୋଡ଼ ନିକଟରେ ଚାଲିଛି ସମଲେଇ ପ୍ରକଳ୍ପ-୨ ଅନ୍ତର୍ଗତରେ ଯାତ୍ରୀନିବାସ, ବୋଟିଂଜୋନ୍, ମ୍ୟୁଜିକାଲ ଫାଉଣ୍ଟେନ, ଶିଶୁଉଦ୍ୟାନ ସମେତ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ।
ଏଥିପାଇଁ ୩୩୭ ପରିବାରଙ୍କୁ ବିସ୍ଥାପନ କରିବାକୁ ସର୍ଭେ ସରିଛି।
ଯେଉଁଥିରେ ୬୩ ବସ୍ତି ବାସିନ୍ଦା, ୨୦୦ ଅଣବସ୍ତି ବାସିନ୍ଦା ଏବଂ ୨ଟି ଧାର୍ମିକ ଏବଂ କ୍ଲବ୍ ପ୍ରତିଷ୍ଠାନ ରହିଛି।
ଏହି ପର୍ଯ୍ୟଟନ ପ୍ରକଳ୍ପକୁ କାହାରି ବିରୋଧ ନାହିଁ।
କିନ୍ତୁ ଯେଉଁଭଳି ଭାବରେ ବସ୍ତି ବାସିନ୍ଦାଙ୍କୁ ଅଚାନକ ଅନ୍ୟାୟପୂର୍ଣ୍ଣ ଘର ଛାଡ଼ିବା ପାଇଁ କୁହାଯାଇଛି ତାକୁ ନେଇ ଫାର୍ମରୋଡ଼ ମାଛବନ୍ଧ ବସ୍ତି ଅଧିବାସୀ ଆପତ୍ତି ଉଠାଇଛନ୍ତି।
ସେମାନଙ୍କ କହିବା ଅନୁସାରେ, ସମଲେଇ ପ୍ରକଳ୍ପ-୧ କାର୍ଯ୍ୟ ଚାଲିଥିବା ବେଳେ ୨୦୧୮ ମସିହାରେ ଘର ଛାଡ଼ିବା ପାଇଁ ନୋଟିସ ହୋଇଥିଲା।
ଏହାକୁ ନେଇ ସେମାନେ ତହସିଲ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ।
କିନ୍ତୁ ତା" ପରଠାରୁ ଘର ଛାଡ଼ିବା କିମ୍ବା ପୁନର୍ବାସ କଥା ଉଠିଲାନି।
ଅନ୍ୟ ପଡ଼ାକୁ ଯେଉଁଭଳି ଅଧିକାରୀମାନେ ଯାଇ ଘନଘନ ବୈଠକ କରୁଥିଲେ ତାଙ୍କ ପାଖକୁ କେହି ଆସିଲେ ନାହିଁ।
୮ ବର୍ଷ ପରେ ଏବେ ଅଚାନକ ଜୁଲାଇ ପ୍ରଥମ ସପ୍ତାହ ବେଳକୁ ତହସିଲ କର୍ମଚାରୀ ଆସି ୨୦ ତାରିଖ ସୁଦ୍ଧା ଘର ନ ଛାଡ଼ିଲେ ଘର ଭାଙ୍ଗିଦିଆଯିବ ବୋଲି କହୁଛନ୍ତି।
କ୍ଷତିପୂରଣରେ ବି କୌଣସି ସ୍ପଷ୍ଟ ପ୍ୟାକେଜ ନାହିଁ।
କେବଳ ୪ ହଜାର ଟଙ୍କାର ଘରଭଡ଼ା ଏବଂ ପରିବହନ ଖର୍ଚ୍ଚ ଦିଆଯିବା କଥା କୁହାଯାଇଛି।
ସମଲେଇ ପ୍ରକଳ୍ପ-୨ ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି ୭ ମାସର ଗର୍ଭବତୀ ଥିବା ଏହି ପଡ଼ାର କୁନ୍ତୀ ଷଣ୍ଢ କହନ୍ତି, ବଡ଼ବଜାର, ଦୁର୍ଗାପାଲି ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠିକୁ ଘର ଖୋଜିବାକୁ ଯାଇ ନାହାନ୍ତି।
କିନ୍ତୁ, ଏସ୍ସି ଜାତି ବୋଲି ଜାଣିଲେ କେହି ଘର ଦେଉନାହାନ୍ତି।
ଏଣେ କିନ୍ତୁ ଶରୀରର ଏ ସ୍ଥିତିରେ କେମିତି ଘର ଛାଡ଼ିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିବା କହନ୍ତି।
ପରଘରେ ବାସନ ମାଜୁଥିବା କୁନ୍ତୀଙ୍କ ଘରେ ଶିଶୁ ସନ୍ତାନଙ୍କ ସହିତ ସ୍ବାମୀ ଅଛନ୍ତି।
ଏସ୍ଏମ୍ସିର ସଫେଇ କର୍ମଚାରୀ ସଂଜୁ ଦୀପଙ୍କ ଅବସ୍ଥା ଭାରି ଖରାପ।
ସେ ଲକ୍ଷାଧିକ ଟଙ୍କା ଋଣକରି ନିଜ ସନ୍ତାନମାନଙ୍କ ସହିତ ରୁହନ୍ତି।
କିନ୍ତୁ ପୁନର୍ବାସ ପ୍ୟାକେଜରେ ତାଙ୍କୁ ତାଙ୍କ ମା"ଙ୍କ ପରିବାର ସହିତ ମିଶାଇ ଦିଆଯାଇଛି।
ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ଜଣେମାତ୍ର ମହିଳା ଭାବରେ ୧୫ ବର୍ଷ ଧରି ରାଜଘାଟରେ ଶବବାହକ କାର୍ଯ୍ୟକରି ଚର୍ଚ୍ଚିତ ଥିଲେ ଶାନ୍ତି ବେହେରା।
ଆଜି ପୁଣି ଶାନ୍ତିଙ୍କ ପାଇଁ ବିସ୍ଥାପନ ଆହ୍ବାନ ମାଡ଼ିଆସୁଛି।
ନିଜ ଛୋଟ ନାତି, ନାତୁଣୀଙ୍କୁ ଧରି ୧୫ ଦିନ ହେଲା ଘର ଖୋଜୁଥିଲେ ମଧ୍ୟ ମିଳୁ ନାହିଁ।
ଏହି ପଡ଼ାର ପିଙ୍କି କୁମ୍ଭାର, ସ୍ବପ୍ନା ସୁନା, ମଂଜୁଳା ଖୁରା, ସୁକାନ୍ତି ଯାଦବ ସମେତ ଅନେକ ପରିବାର ମାତ୍ର ୧୫ ଦିନରେ ୪୦୦୦ ଟଙ୍କାର ଘର କେଉଁଠୁ ଖୋଜିବେ ବୋଲି ପ୍ରଶ୍ନ କରୁଛନ୍ତି।
ବର୍ଷା ୨ ମାସର ମହଲତ ସହିତ ଅଙ୍ଗନବାଡ଼ି, ଶୌଚାଳୟ, ଷ୍ଟ୍ରିଟଲାଇଟ ସହିତ ଉପଯୁକ୍ତ କ୍ଷତିପୂରଣ ଏବଂ ଥଇଥାନ ବ୍ୟବସ୍ଥା ପାଇଁ ସମସ୍ତେ ଦାବି କରିଛନ୍ତି।
ଭୂ-ଅର୍ଜନ ଅଧିକାରୀ ଅଭିଷେକ ସ୍ବାଇଁ କହିଛନ୍ତି, ସମଲେଇ ପ୍ରକଳ୍ପ-୨ ବିସ୍ଥାପିତଙ୍କୁ ଦୁର୍ଗାପାଲି, କୁସୁମପଡ଼ା, ଚାଉଁରପୁରରେ ଥଇଥାନ ବ୍ୟବସ୍ଥା କରାଯାଇଛି।
ପ୍ରକଳ୍ପ-୧ ଭଳି ଜମି, ଘରଭଡ଼ା ଏବଂ ପରିବହନ ଖର୍ଚ୍ଚ ପ୍ରଦାନ ଭଳି ସମାନ ଥଇଥାନ ବ୍ୟବସ୍ଥା ରହିଛି।
ବର୍ଷା ମାସରେ ସେମାନଙ୍କ ଘର ଉଚ୍ଛେଦ ନ କରିବା ପାଇଁ ଆଲୋଚନା ଚାଲିଥିବା ଜଣାଇନ୍ତି।
Farmers: ସାର ପାଇଁ ଦହଗଞ୍ଜ ଚାଷୀ: ଧାଡ଼ିରେ ଆଧାରକାର୍ଡ, ଅପେକ୍ଷାରେ ୨ ଶହରୁ ଅଧିକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।