Ratha yatra: କାଦୁଆ ଗୁଣ୍ଡିଚା: ରାତିସାରା ଛୁଟିଲା ଭକ୍ତଙ୍କ ସୁଅ
"ନା ବର୍ଷା ଥମୁଥିଲା, ନା ଭିଡ଼।
ଅଣନିଃଶ୍ବାସୀ ହୋଇଯାଉଥିଲେ, କିନ୍ତୁ ମହାପ୍ରଭୁଙ୍କ ରଥ ଟାଣିବାର ଅଭିପ୍ସାକୁ ଅଟକାଇ ପାରୁନଥିଲେ।
ଆବାଳ ବୃଦ୍ଧବନିତା ବର୍ଷାରେ ଭିଜିଭିଜି ରଥ ଟାଣିଥିଲେ।
ଇନ୍ଦ୍ରଦେବ ଆଜି ଆଦୌ ସଦୟ ହୋଇନଥିଲେ।
ମାତ୍ର ଭକ୍ତଙ୍କ ଉତ୍କଣ୍ଠାକୁ ଅବଦମିତ କରିପାରିନଥିଲେ।
ହରିନାମରେ ଉଚ୍ଛୁଳି ଉଠୁଥିଲା ଶ୍ରୀକ୍ଷେତ୍ର।
ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ଗଗନପବନ।
ମହାପ୍ରଭୁଙ୍କୁ ରଥରେ ପାଇ ରଥ ଧନ୍ୟ ହୋଇଥିଲା।
ରଥାରୂଢ଼ ମହାପ୍ରଭୁଙ୍କ ସ୍ପର୍ଶ ପାଇ ବଡ଼ଦାଣ୍ଡ ବି ଯେମିତି ଜୀବନ ପାଇଥିଲା।
ବଡ଼ଦାଣ୍ଡର କାଦୁଅ ସାଉଁଟିବାକୁ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା।
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହାମିଳନର ଏହି ଦୃଶ୍ୟ ଥିଲା ଅନନ୍ୟ ଓ ନିଆରା।
ରଥରେ କଳା ବାମନଙ୍କୁ ଦର୍ଶନ କରିବା ପାଇଁ ସଭିଏଁ ଆତୁର ହୋଇଥିଲେ।
ନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି।
କିନ୍ତୁ ପହଣ୍ଡି ସରିବା ବିଳମ୍ବ ଯୋଗୁଁ ରଥଟଣା ବିଳମ୍ବ ହୋଇଥିଲା।
ରଥଟଣାର ପ୍ରଥମ ବିଗୁଲ୍ ବାଜିବା ବେଳକୁ ଘଣ୍ଟାରେ ୫ଟା ୫ ବାଜି ଯାଇଥିଲା।
ତାଳଧ୍ବଜ, ଦର୍ପଦଳନ ମରୀଚିକୋଟ ଡେଇଁ ଯାଇଥିଲେ।
କିନ୍ତୁ ନନ୍ଦିଘୋଷ ରଥ ମାତ୍ର କେଇ ଚକ ଗଡ଼ି ଅଟକି ଯାଇଥିଲେ।
ପ୍ରବଳ ବର୍ଷା ଯୋଗୁଁ ଭକ୍ତମାନେ ଆଜି ରଥ ଟାଣିବା ସହଜ ହୋଇନଥିଲା।
ଅସମ୍ଭାଳ ଭିଡ଼ ଭିତରେ ରଥ ଦଉଡ଼ି ପାଖକୁ ଯିବାକୁ ସାହସ ଜୁଟାଇ ପାରିନଥିଲେ।
ଦୂରରୁ ରଥାରୂଢ଼ ପ୍ରଭୁଙ୍କୁ ଦେଖି ମନ କଥା କହି ଆସନ୍ତାକାଲି ରଥ ଟାଣିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ।
ରଥ ବଡ଼ଦାଣ୍ଡରେ ଅଟକିଥିବାରୁ ରାତିତମାମ ଭକ୍ତଙ୍କ ସୁଅ ଛୁଟିଛି।Advertisment ରିପୋର୍ଟ: ସତ୍ୟନାରାୟଣ ରାଉତରାୟ, ଫଟୋ: ସନ୍ତୋଷ କାହିଁକି କୁହନ୍ତି "କାଦୁଆ ଗୁଣ୍ଡିଚା"?ପୁରୀ: ଶ୍ରୀମନ୍ଦିର ସ୍ବତ୍ବଲିପିଠୁ ନେଇ ୧୫୦ ବର୍ଷ ତଳର ରେକର୍ଡରେ ଧୂଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା ସମ୍ପର୍କରେ ଉଲ୍ଲେଖ ରହିଛି।
ଏବେ ଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଗୋଟିଏ ଦିନରେ ରଥ ଶ୍ରୀମନ୍ଦିରଠାରୁ ଯାଇ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗୁଛି।
ମାତ୍ର ଅତୀତରେ ରାସ୍ତାଘାଟ ଅବସ୍ଥା ଭଲ ନଥିଲା।
ତେଣୁ ଗୋଟିଏ ଦିନରେ ରଥ ପହଞ୍ଚିବା ସମ୍ଭବ ହେଉନଥିଲା।
ତେଣୁ ପ୍ରଥମ ଦିନକୁ ଗୁଣ୍ଡିଚା ଯାତ୍ରା ଓ ଦ୍ବିତୀୟ ଦିନର ଯାତ୍ରାକୁ ଧୂଳିଆ ଗୁଣ୍ଡିଚା କୁହାଯାଉଥିବାର ବିବରଣୀ ରହିଛି।
ଯଦି ପ୍ରବଳ ବର୍ଷା ହୋଇ ରାସ୍ତାଘାଟ କାଦୁଅ ହେଉଥିଲା ତାକୁ "କାଦୁଆ ଗୁଣ୍ଡିଚା" ବୋଲି କୁହାଯାଉଥିଲା।
ଏହି କ୍ରମରେ ଆଜି ମହାପ୍ରଭୁଙ୍କର କାଦୁଆ ଗୁଣ୍ଡିଚା ହୋଇଥିଲା।
ଡ.ଭାସ୍କରଚନ୍ଦ୍ର ମିଶ୍ରଙ୍କ "ଶ୍ରୀଗୁଣ୍ଡିଚା ଯାତ୍ରା" ପୁସ୍ତକରେ ଉଲ୍ଲେଖ ପ୍ରକାରେ ୧୫୦ ବର୍ଷ ପୂର୍ବେ "ଉତ୍କଳ ଦୀପିକା" ଖବରକାଗଜରୁ ମିଳୁଥିବା ସୂଚନା ମୁତାବକ ଅତୀତରେ ଗୁଣ୍ଡିଚା ଘର ନିକଟରେ ରଥ ପହଞ୍ଚିବାକୁ ପ୍ରାୟ ୩ରୁ ଚାରିଦିନ ସମୟ ଲାଗି ଯାଉଥିଲା।
ସେ ସମୟରେ ବଙ୍ଗୀୟ ଯାତ୍ରୀମାନେ ଶ୍ରୀଗୁଣ୍ଡିଚା ପରଦିନ ତିନି ରଥ ଟାଣିବାକୁ ସୁଯୋଗ ପାଉଥିଲେ।
ଏହି ଦିନର ଯାତ୍ରା ଧୂଳିଆ ଗୁଣ୍ଡିଚା ନାମରେ ପରିଚିତ ହେଉଥିଲ।
ଏବେ ବି ସ୍ଥାନୀୟ ଅଧିବାସୀମାନେ ଗୁଣ୍ଡିଚା ପରଦିନର ରଥଟଣାକୁ ଏଥର ଧୂଳିଆ ଗୁଣ୍ଡିଚା ହେଲା ବୋଲି କୁହନ୍ତି।
ଅନ୍ୟ କେତେକଙ୍କ ମତରେ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ରାସ୍ତାରେ ଧୂଳି ଉଡ଼ୁଥିବାରୁ ସେଇଦିନର ଯାତ୍ରାକୁ ଧୂଳିଆ ଗୁଣ୍ଡିଚା କୁହାଯାଉଥିଲା।
ଯେଉଁ ବର୍ଷ ତିନିଟି ରଥ ଗୋଟିଏ ଦିନରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଯାଏ, ତା" ପରଦିନ ସନ୍ଧ୍ୟାରେ ଶ୍ରୀବିଗ୍ରହଙ୍କୁ ପହଣ୍ଡି କରି ଆଡ଼ପମଣ୍ଡପକୁ ନିଆଯାଏ।
ଶ୍ରୀମନ୍ଦିର ସ୍ବତ୍ବଲିପିରେ ଉଲ୍ଲେଖ ଅଛି ଯେ ଆଡ଼ପ ବିଜେ ତଥା ଧୂଳିଆ ଗୁଣ୍ଡିଚା ଦିନ ମଙ୍ଗୁ ମଠ, ଏମାର ମଠ, ନେବଳ ଦାସ, ଚନ୍ଦ୍ରା ଦେଈ, ଜଗନ୍ନାଥ ବଲ୍ଲଭ ମଠ, ଗଙ୍ଗାମାତା ମଠ, ଓଡ଼ିଆ ମଠ, ରାଘବ ଦାସ ମଠ, ଗୋପୀନାଥ ପୂଜାପଣ୍ଡା ସାମନ୍ତଙ୍କ ପକ୍ଷରୁ ପନ୍ତି ଭୋଗ ହୋଇଥାଏ।
ତେଣୁ ଧୂଳିଆ ଗୁଣ୍ଡିଚାର ଉଲ୍ଲେଖ ଦେଖିବାକୁ ମିଳେ।
ଝୁଣିଦେଲେ ଟାହିଆ ପୁରୀ: ଟାହିଆର ମର୍ଯ୍ୟାଦା ରଖିଲେ ନାହିଁ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁମୁଟରୁ ବଡ଼ଦାଣ୍ଡକୁ ଓହ୍ଲାଇବା ବେଳକୁ ମୁଣ୍ଡରେ ଟାହିଆ ନଥିଲା।
ବିନା ଟାହିଆରେ ଠାକୁରଙ୍କ ପହଣ୍ଡି ଆଜି ଅତିରିକ୍ତ ଆକର୍ଷଣରେ ଶୂନ୍ୟତା ଭରିଥିଲା।
ଶ୍ରୀମନ୍ଦିର ଭିତରେ ପହଣ୍ଡି ହୋଇ ଆସିବା ବେଳେ ହିଁ ଟାହିଆ ତଳେ ପଡ଼ି ଯାଇଥିଲା।
ତେବେ ବାନ୍ଧିବାରେ ତ୍ରୁଟି ଯୋଗୁଁ ଏପରି ଘଟିଥିବା କୁହାଯାଉଛି।
ଦୀର୍ଘ ଦୁଇ ଦଶନ୍ଧି ପରେ ପୁଣି ଏମିତି ଏକ ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି।
ପୂର୍ବରୁ ସେନାପଟା ଢିଲା ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା।
ତେଣୁ ଟାହିଆ ଲାଗିବାରେ ସମସ୍ୟା ଦେଖାଯିବ ବୋଲି ଆଶଙ୍କା କରାଯାଉଥିଲା।
ଟାହିଆ ମହାପ୍ରଭୁଙ୍କ ପହଣ୍ଡି ସଂଦର୍ଶନର ଅତୀବ ଆକର୍ଷଣୀୟ ଉପାଦାନ।
ମହାପ୍ରଭୁ ଝୁଲିଝୁଲି ଆସୁଥିବା ବେଳେ ଟାହିଆ ଦୋଳାୟମାନ ଦୃଶ୍ୟରେ ଭକ୍ତ ବିଭୋର ହୋଇଥାଆନ୍ତି।
ମାତ୍ର ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡିରେ ଏହି ଅଭାବ ବାରି ହୋଇପଡ଼ିଥିଲା।
ଖାଲି ସେତିକି ନୁହେଁ, ଶ୍ରୀବଳଭଦ୍ରଙ୍କ ମୁଣ୍ଡରେ ଟାହିଆ ଲାଗି ରଥାରୂଢ଼ ହେବା ପର୍ଯ୍ୟନ୍ତ ରହିଥିଲା।
ଅଥଚ ରଥ ସିଂହାସନ ଉପରରେ ପ୍ରଭୁ ଶ୍ରୀବଳଭଦ୍ର ବିଜେ ହେବା ପୂର୍ବରୁ ଏହାକୁ କିଛି ସେବକ କ୍ଷତି ପହଞ୍ଚାଇଥିଲେ।
ଏଥିରୁ ସଜ ଫୁଲ ଓ ତୁଳସୀ ଛିଣ୍ଡାଇ ଦେଇଥିଲେ।
ସାଂସ୍କୃତିକ ସଂଗଠକ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଟାହିଆ ସମଗ୍ର ବିଶ୍ବବାସୀଙ୍କୁ ଭାବମୁଗ୍ଧ କରିଥାଏ।
ଠାକୁର ବିନା ଟାହିଆରେ ବଡ଼ଦାଣ୍ଡକୁ ବାହାରି ରଥ ଆରୋହଣ କରିବା ବେଳେ ବହୁ ଅଭାବବୋଧ ବାରି ହୋଇପଡ଼ୁଥିଲା।
ଏପରି କାହିଁକି ହେଲା, ତା"ର ତର୍ଜମା ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ପହଣ୍ଡି ପରେ ଟାହିଆକୁ ସୁରକ୍ଷିତ ଭାବେ ସମ୍ମାନର ସହ ଓହ୍ଲାଇ ନେବାକୁ ବ୍ୟବସ୍ଥାବଳୀରେ ନିର୍ଦ୍ଦେଶ ସତ୍ତ୍ବେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଟାହିଆ କ୍ଷେତ୍ରରେ ଏହି ନିୟମ ମାନିଲେ ନାହିଁ।
NEET: ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ ମହାପ୍ରଭୁଙ୍କୁ ନୃତ୍ୟରେ ପାଛୋଟି ନେଲେମହାପ୍ରଭୁ ଜନ୍ମମାଟି ଗୁଣ୍ଡିଚାବାଡ଼ି ଯିବାକୁ ସଜବାଜ ହୋଇ ରତ୍ନ ସିଂହାସନରୁ ଓହ୍ଲାଇ ଆସିଥିଲେ।
ମହାପ୍ରଭୁଙ୍କ ଏହି ଖୁସିକୁ ଦ୍ବିଗୁଣିତ କରିଥିଲେ ନୃତ୍ୟଶିଳ୍ପୀ।
ନୃତ୍ୟ ଓ ବନାଟି ଖେଳ ପ୍ରଦର୍ଶନର ପଟୁଆରରେ ମହାପ୍ରଭୁଙ୍କୁ ପାଛୋଟି ନେଇଥିଲେ।
ପହଣ୍ଡି ଆଗେଆଗେ ଓଡ଼ିଶୀ ନୃତ୍ୟ, ମାହାରୀ, ଦେବଦାସୀ, ଗୋଟିପୁଅ ନୃତ୍ୟ ପ୍ରଦର୍ଶନ ହୋଇଥିଲା।
ହନୁମାନ, ଶିବ, ଜଗନ୍ନାଥ ବେଶରେ ମଧ୍ୟ ଶିଳ୍ପୀମାନେ ନିଜ ନୃତ୍ୟ ଭେଟି ଦେଇ ମହାପ୍ରଭୁଙ୍କୁ ଆଡ଼ମ୍ବରରେ ପାଛୋଟି ଆଣିଥିଲେ।
ଭକ୍ତମାନେ ଭାବୋଚ୍ଛ୍ବାସ ନୃତ୍ୟ ଦେଖି ବିଭୋର ହୋଇଥିଲେ।
ଏହାଦ୍ବାରା ଓଡ଼ିଶୀ ଓ ପାରମ୍ପରିକ ବନାଟି ପ୍ରଦର୍ଶନୀର ପ୍ରଚାର ପ୍ରସାର ବ୍ୟାପକ ହୋଇଛି।
ସ୍ବେଚ୍ଛାସେବୀଙ୍କ ଗ୍ରିନ୍ କରିଡର୍ବହୁ ଭକ୍ତଙ୍କ ସମାଗମ ଯୋଗୁଁ ଠେଲାପେଲା ବଢ଼ିଥିଲା।
ଭିଡ଼ରେ ରୁନ୍ଧି ହୋଇ ବହୁ ଭକ୍ତ ଚେତା ହରାଇଥିଲେ।
ତେଣୁ ଅଧିକାଂଶ ଭକ୍ତଙ୍କର ଚିକିତ୍ସା ଆବଶ୍ୟକତା ପଡ଼ିଥିଲା।
ଶତାଧିକ ଭକ୍ତ ଗହଳି ମଧ୍ୟରେ ଅସୁସ୍ଥ ହୋଇ ପଡ଼ିଥିଲେ।
ସେମାନଙ୍କୁ ମେଡିକାଲ୍ରେ ପହଞ୍ଚାଇବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିଲା।
ଏପରିକି ବାଇକ୍ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ହୋଇଥିଲା।
ଭକ୍ତଙ୍କ ଭିଡ଼ ଏଡ଼ାଇ ଆମ୍ବୁଲାନ୍ସ ମେଡିକାଲରେ ପହଞ୍ଚାଇବା ସହଜ ନଥିଲା।
ଆମ୍ବୁଲାନ୍ସକୁ ମେଡିକାଲ୍ ନିକଟରେ ପହଞ୍ଚାଇବା ପାଇଁ ସ୍ବେଚ୍ଛାସେବୀମାନେ ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ମାନବଶୃଙ୍ଖଳ କରି ଗ୍ରିନ୍ କରିଡର୍ ପ୍ରସ୍ତୁତ କରିଥିଲେ।
ଫଳରେ ଭକ୍ତମାନେ ତୁରନ୍ତ ମେଡିକାଲ୍ରେ ପହଞ୍ଚି ଚିକିତ୍ସା ପାଇବା ସମ୍ଭବ ହୋଇପାରିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।