Ratha yatra: ବର୍ଷାରେ ଭିଜିଲେ ସାଆନ୍ତେ, ଭାବରେ ଭିଜିଲେ ଭକ୍ତ
"ଭୁବନେଶ୍ବର: ବର୍ଷକୁ ଥରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଖି ପୂରେଇ ଦେଖିବା ପାଇଁ ଭକ୍ତଙ୍କ ମନ ବ୍ୟାକୁଳ ହୋଇଥାଏ।
ଭାବବିନୋଦିଆ କଳାଠାକୁର ମଧ୍ୟ ଭକ୍ତର ଭାବରସରେ ଭିଜିବାକୁ ତରତର ହୋଇଥାନ୍ତି।
ସମସ୍ତ ଲୌକିକତା ମଧ୍ୟରେ ଯିଏ ଅଲୌକିକ, ସେହି କାଳିଆ ସାଆନ୍ତଙ୍କୁ ଆଜି ରଥ ଉପରେ ଦର୍ଶନ କରିବାକୁ ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ ଥିଲେ।
କଳାଠାକୁରଙ୍କୁ ଛଳଛଳ ନୟନରେ ଦର୍ଶନ ପାଇଁ ବ୍ୟାକୁଳ ହେଉଥିଲେ ଶ୍ରଦ୍ଧାଳୁ।
ହାତଟେକି ଡାକୁଥିଲେ ମହାପ୍ରଭୁ, କାଳିଆ ସାଆନ୍ତ, ମହାବାହୁ ବୋଲି।
ଭାବବିହ୍ବଳରେ କେତେଜଣ ନାଚୁୁଥିଲେ।
ସମୟ ଯେତିକି ଉଛୁର ହେଉଥିଲା, ଶ୍ରଦ୍ଧାଳୁ ସେତିକି ବ୍ୟାକୁଳ ହେଉଥିଲେ।
ଭକ୍ତଙ୍କ ଆଖିର ପଲକ ପଡ଼ୁ ନଥିଲା।
ଅବିଶ୍ରାନ୍ତ ବର୍ଷା ମଧ୍ୟ ଭକ୍ତଙ୍କ ଭକ୍ତି ଓ ଭାବକୁ ଉଣା କରିପାରୁନଥିଲା।
ଏଣେ ରଥ, ପଥ ଓ ଭକ୍ତ ବ୍ୟାକୁଳ ହେଉଥିବା ଜାଣି ଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡ଼ଭାଇ ବଡ଼ଠାକୁର ବଳଭଦ୍ର ଓ ସାନଭଉଣୀ ମା" ସୁଭଦ୍ରାଙ୍କୁ ଧରି ଭକ୍ତଙ୍କ ମେଳରେ ରଥାରୂଢ଼ ହେବା ପରେ ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜ, ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପରିବେଶ।Advertisment ଚାରିଆଡ଼ୁ ଶୁଭିଥିଲା ମଣିମା, ମଣିମା ଡାକ।
ହେଲେ ଅବିଶ୍ରାନ୍ତ ବର୍ଷା ମଧ୍ୟ ମହାପ୍ରଭୁଙ୍କୁ ତା"ର ଭକ୍ତି ନୈବେଦ୍ୟ ଯେପରି ଅଜାଡ଼ି ଦେବାକୁ ଅଡ଼ି ବସିଥିଲା।
ମହାପ୍ରଭୁ ମଧ୍ୟ ବର୍ଷାକୁ ନିରାଶ କରିନଥିଲେ।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠୁ ଜ୍ବରପୀଡ଼ିତ ଶ୍ରୀବିଗ୍ରହ ୧୫ ଦିନର ଅଣସରକାଳୀନ ସେବା ପରେ ସୁସ୍ଥ ହୋଇ ଆଜି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥାରୂଢ଼ ହୋଇ ପତିତଜନଙ୍କୁ ଦର୍ଶନ ଦେଇଛନ୍ତି।
ଭକ୍ତଙ୍କ ଗହଣରେ ବର୍ଷାରେ ଭିଜିଭିଜି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି।
ଏଥିପାଇଁ ଉତ୍ସବମୁଖର ହୋଇଛି ଭୁବନେଶ୍ବର ଓ ଏହାର ପୁରପଲ୍ଲୀ।
ଭକ୍ତିଭାବ ଆଗରେ ତୁଛ ହୋଇଛି ଆଜିର ଅବିଶ୍ରାନ୍ତ ବର୍ଷା।
ଭାବ ଓ ଭକ୍ତିରେ ଭିଜିଛନ୍ତି ଅଗଣିତ ଭକ୍ତ।
ମହାପ୍ରଭୁଙ୍କୁ ସମର୍ପି ଦେଇଛନ୍ତି ଭକ୍ତିଅର୍ଘ୍ୟ।
କାଳିଆ ସାଆନ୍ତଙ୍କ ଚକାଆଖିରେ ଭକ୍ତର ଚର୍ମଚକ୍ଷୁର ମିଳନ ବେଳେ ଝରିପଡ଼ିଛି ଲୋତକ।
ଭକ୍ତିରସରେ ବୁଡ଼ିଛି ଭୁବନେଶ୍ବର ଓ ଆଖପାଖର ଶ୍ରୀଜଗନ୍ନାଥଙ୍କ ମନ୍ଦିର।
ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାର ତାଳେତାଳେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି ଭକ୍ତିଭାବରେ ବିଭୋର ଭକ୍ତବୃନ୍ଦ।
ଆଜି ଏକ ଅନନ୍ୟ ଧାର୍ମିକ ଉନ୍ମାଦନାରେ ବାନ୍ଧି ହୋଇଯାଇଥିଲା ସଂପୂର୍ଣ୍ଣ ରାଜଧାନୀ।
ଇସ୍କନ୍ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ।
ତୁହାକୁ ତୁହା ବର୍ଷାରେ ନୂଆପଲ୍ଲୀରୁ ଆଠ ନମ୍ୱର ଯାଏଁ ରାସ୍ତାରେ ରୁଣ୍ଡ ହୋଇଥିଲେ ଶହ ଶହ ଭକ୍ତ।
ସମସ୍ତଙ୍କ ତୁଣ୍ଡରେ ଥିଲା ଜଗନ୍ନାଥଙ୍କ ନାମ ଓ ଆଖିରେ ଥିଲା ପ୍ରଭୁଙ୍କ ପାଇଁ ପ୍ରତୀକ୍ଷା।
ଏଭଳି କିଛି ଦୃଶ୍ୟ ଆଜି ପବିତ୍ର ଘୋଷଯାତ୍ରାରେ ଦେଖିବାକୁ ମିଳିଥିଲା।
ସକାଳ ପ୍ରାୟ ସାଢ଼େ ୭ଟାରେ ମଙ୍ଗଳ ଆଳତି ପରେ ସାଢ଼େ ୮ଟାରେ ରଥ ପ୍ରତିଷ୍ଠା ହୋଇଥିଲା।
ଦିନ ୧୨ଟାରେ ମଧ୍ୟାହ୍ନ ଭୋଗ ପରେ ୨ଟାରେ ପହଣ୍ଡି କରାଯାଇଥିଲା।
ଅପରାହ୍ଣ ପ୍ରାୟ ୩ଟା ୧୫ରେ ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ରଥଟଣା ଆରମ୍ଭ ହୋଇଥିଲା।
ପ୍ରାୟ ସାଢ଼େ ଛଅଟାରେ ରଥ ୟୁନିଟ୍-୮ସ୍ଥିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।
କିସ୍ ଶ୍ରୀବାଣୀ କ୍ଷେତ୍ରରେ ଝିପିଝିପି ବର୍ଷାରେ ପହଣ୍ଡିଚନ୍ଦ୍ରଶେଖରପୁର: ପବିତ୍ର ରଥଯାତ୍ରା ଅବସରରେ ଆଜି କିସ୍ ପରିସର ଶ୍ରୀବାଣୀ କ୍ଷ୍ରେତରେ ସକାଳ ଆଳତି ସହିତ ପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଥିଲା।
ଏହା ପରେ ତିନି ରଥକୁ ପୂଜା କରାଯାଇ ଚାରମାଳ ବନ୍ଧାଯାଇଥିଲା।
ମନ୍ଦିର ଗମ୍ଭୀରାରୁ ପହଣ୍ଡି କରାଯାଇ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ରଥକୁ ଅଣାଯାଇଥିଲା।
ପ୍ରାୟ ୧୦ଟା ବେଳେ ରଥ ଉପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିପୂଜା କରାଯାଇଥିଲା।
ତିନିଟାରେ ଅଚ୍ୟୁତ ସାମନ୍ତ ତିନିରଥରେ ଛେରାପହଁରା କରିଥିଲେ।
ପାଖାପାଖି ସାଢ଼େ ଚାରିଟା ବେଳେ ରଥଟଣା ଆରମ୍ଭ ହୋଇଥିଲା।
ପ୍ରଥମେ ବଳଭଦ୍ରଙ୍କ ରଥକୁ ପୁରୁଷମାନେ ଟାଣିଟାଣି ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ।
ପ୍ରବଳ ବର୍ଷାରେ ମଧ୍ୟ ବିପୁଳ ଜନସମାଗମ ହୋଇଥିଲା।
ମା" ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଓ ଯୁବତୀମାନେ ଟାଣିଥିଲେ।
ଶେଷରେ ଗହଳଲଗାଇ କାଳିଆ ଠାକୁରଙ୍କ ରଥ ଟଣାଯାଇଥିଲା।
ଏହି ସମୟରେ ଶିଖରଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ବାଟରେ ରଥକୁ ପୂଜା କରାଯାଇ ରସଗୋଲା ଭୋଗହାଣ୍ଡି ଲାଗି କରାଯାଇଥିଲା।
ପ୍ରାୟ ସଂଧ୍ୟା ସମୟରେ ତିନି ରଥ ଗୁଣ୍ଡିଚାରେ ପହଞ୍ଚିଯାଇଥିଲେ।
ଏହି ଅବସରରେ ରାତିରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସହିଦନଗର ବିଷ୍ଣୁମନ୍ଦିରସହିଦନଗର ସାଂସ୍କୃତିକ ସମିତି ଆନୁକୂଲ୍ୟରେ ରଥଯାତ୍ରା ଆୟୋଜିତ ହୋଇଯାଇଛି।
ସକାଳ ପ୍ରାୟ ସାଢ଼େ ୯ଟାରେ ରଥ ପ୍ରତିଷ୍ଠା ହୋଇଥିଲା।
ମଧ୍ୟାହ୍ନ ଖେଚୁଡ଼ି ଭୋଗ ପରେ ଅପରାହ୍ଣ ସାଢ଼େ ୩ଟାରେ ପହଣ୍ଡି କରାଯାଇଥିଲା।
ଜିତେନ୍ଦ୍ରନାଥ ରଥ ଓ ରେବତୀକାନ୍ତ ବିଶ୍ୱାଳ ଛେରାପହଁରା କରିଥିଲେ।
ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା।
ସନ୍ଧ୍ୟା ସାଢ଼େ ୬ଟାରେ ରଥ ମା" ଖଣ୍ଡୁଆଳ ମନ୍ଦିରରେ ପହଞ୍ଚିଥିଲା।
ଏହି ଅବସରରେ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଭକ୍ତଙ୍କ ପାଇଁ ସରବତ ଓ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା।
ଏଥି ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ୪୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ।
ପାହାଡ଼ ଉପରୁ ରଥରେ ଗଡିିଗଡି ଆସିଲେ ଚତୁର୍ଦ୍ଧାମୂର୍ତ୍ତି ଜଟଣୀ/ପୁରୁଣା ଭୁବନେଶ୍ବର: ଭାଇଭଉଣୀ ସହ ପାହାଡ଼ ଉପରୁ ଗଡିଗଡି ଆସନ୍ତି ମହାପ୍ରଭୁ ଜଗନ୍ନାଥ।
ଆଗପଟରୁ ଭକ୍ତମାନେ ଭିଡ଼ନ୍ତି ଓ ପଛଆଡ଼ୁ ଭକ୍ତମାନେ ଟାଣିଧରନ୍ତି।
ରଥର ଆଗରେ ଲାଗେ, ରଥ ପଛରେ ଲାଗେ ଦଉଡ଼ି।
ଖାଲି ଓଡ଼ିଶା ନୁହେଁ ବରଂ ଏଭଳି ଦୃଶ୍ୟ ସାରା ଭାରତବର୍ଷରେ ବିରଳ।
ଆଜି ରଥଯାତ୍ରା ଅବସରରେ ନିର୍ଦ୍ଧାରିତ ସମୟ ଅନୁସାରେ ଲବଣଗିରିରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା ହୋଇଥିଲା।
ବର୍ଷାପାଗ ସତ୍ତ୍ବେ ଆସନ୍ନ ସନ୍ଧ୍ୟାରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଗଡ଼ିଥିଲା ରଥ।
ଡା.
ତିରୁପତି ପାଣିଗ୍ରାହୀ ଏଥିରେ ଛେରାପହଁରା କରିଥିଲେ।
ଏହାର ଆୟୋଜକଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମ୍ପାଦକ ସୁଧାଂଶୁ ମୋହନ ପଟ୍ଟନାୟକ, ଯୋଗୀନାଥ ପ୍ରଧାନ ଓ ବହୁ ମୁରବୀ ସାମିଲ ହୋଇଥିଲେ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଲବଣଗିରି ଜଗନ୍ନାଥ ମନ୍ଦିରରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ।
ଲବଣଗିରି ଜଗନ୍ନାଥ ମନ୍ଦିର କମିଟିର ସୂଚନା ଅନୁସାରେ, ୨୦୦୧ ମସିହାରେ ଯେତେବେଳେ ରଥଟଣା ଆରମ୍ଭ କରିବାକୁ ଯୋଜନା ହେଲା, ପାହାଡ଼ ଉପରୁ କିଭଳି ଭାବେ ରଥ ଟଣାଯିବ ତାହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ।
ହଠାତ୍ ଜଣେ ସନ୍ନ୍ୟାସୀ ଲବଣଗିରିଠାରେ ପହଞ୍ଚି ଉଭୟ ପଟରେ ଦଉଡ଼ି ବାନ୍ଧି ରଥ ଟାଣିବାକୁ ଉପଦେଶ ଦେଇଥିଲେ, ଯାହାକୁ ସମସ୍ତେ ଗ୍ରହଣ କରିବା ସହ ସେହିଦିନଠାରୁ ରଥ ଆଗରେ ଦଉଡ଼ି ଏବଂ ରଥପଛରେ ଦଉଡ଼ି ବାନ୍ଧି ରଥ ଟାଣୁଛନ୍ତି।
ସୁଦର୍ଶନ ଦାରୁପୀଠରେ ରଥଯାତ୍ରାବାଲିଅନ୍ତା: କୁଆଖାଇ ନଦୀ ତଟ ଗଡ଼କଣ୍ଟୁଣିଆ (ହୀରାପୁର) ସୁଦର୍ଶନ ଦାରୁପୀଠରେ ପବିତ୍ର ଘୋଷଯାତ୍ରା ଯଥାବିଧି ଅନୁଷ୍ଠିତ ହୋଇଯାଇଛି।
ଭୋର୍ରୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।
ପୂର୍ବାହ୍ଣ ୧୦ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା।
ମଧ୍ୟାହ୍ନ ୧୨ଟାରେ ବିଗ୍ରହମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା।
ଅପରାହ୍ଣ ୩.୪୫ ରେ ନବ କିଶୋର ନାୟକ ଛେରାପହଁରା କରିଥିଲେ।
ଏହାପରେ ୪.୧୫ରେ ରଥଟଣା ହୋଇଥିଲା।
ଶହଶହ ଶ୍ରଦ୍ଧାଳୁ ରଥ ଦଉଡ଼ି ଟାଣିଟାଣି ୧ କିମି ଦୂରରେ ରଥିଜେମା(ପ୍ରତାପଶାସନ) ଭଗବତୀ ମନ୍ଦିରରେ ତିନିଠାକୁରଙ୍କୁ ପହଞ୍ଚାଇଥିଲେ।
ସନ୍ଧ୍ୟା ୫ଟା ସୁଦ୍ଧା ରଥ ମାଉସୀମା ମନ୍ଦିରରେ ଲାଗିଥିଲା।
ଏହି ରଥଯାତ୍ରା ଦେଖିବାକୁ ଆଜି ରାଜଧାନୀରୁ ବି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ।
କୁଆଖାଇ ନଦୀବନ୍ଧରେ ଆଜି ବଡ଼ଦାଣ୍ଡର ଭିଡ଼ ଦେଖିବାକୁ ମିଳିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।